୧ ଫେବୃୟାରୀରୁ ଅନେକ ନିୟମରେ ହେବ ପରିବର୍ତ୍ତନ, ଜାଣିରଖନ୍ତୁ ନଚେତ୍ ଅସୁବିଧାରେ ପଡିବେ

ନୂଆଦିଲ୍ଲୀ : ଆସନ୍ତାକାଲିଠୁ ଫେବୃୟାରୀ ମାସ ଆରମ୍ଭ ହେଉଛି । ୧ ଫେବୃୟାରୀରେ ଦେଶର ବଜେଟ୍ ମଧ୍ୟ ଉପସ୍ଥାପନ ହେବ । ପ୍ରତି ମାସର ପ୍ରଥମ ତାରିଖରେ କିଛି ଜରୁରି ପରିବର୍ତ୍ତନ କରାଯାଏ । ତେବେ ଚାଲନ୍ତୁ ଜାଣିବା ୧ ଫେବୃୟାରୀରେ କେଉଁ ନିୟମରେ ପରିବର୍ତ୍ତନ ହେଉଛି ।

ନୂଆ ଆଇଏମପିଏସ୍(IMPS) ନିୟମ

୧ ଫେବୃୟାରୀରୁ ଆଇଏମପିଏସ୍ ଜରିଆରେ ଟଙ୍କା ଟ୍ରାନ୍ସଫରର ପ୍ରକ୍ରିୟା ବଦଳିଯିବ । ଏବେ ଆପଣ ଗୋଟିଏ ଦିନରେ ନାଁ ଓ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଜରିଆରେ ଅନଲାଇନରେ ୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରିପାରିବେ । ଆଇଏମପିଏସର ବର୍ତ୍ତମାନର ନିୟମ ଅନୁସାରେ ବଡ ରାଶି ପଠାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ହିତାଧିକାରୀଙ୍କ ନାଁ ଏବଂ ଆଇଏଫଏସସି କୋଡର ଆବଶ୍ୟକତା ପଡିଥାଏ । କିନ୍ତୁ ଏବେ କେବଳ ନାଁ ମୋବାଇଲ ନମ୍ବର ଯଥେଷ୍ଟ । ୩୧ ଅକ୍ଟୋବରରେ ଏନପିସିଆଇ ଏକ ସର୍କୁଲାର ଜରିଆରେ ଏହି ବଡ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଥିଲା ।

ଏନପିଏସ(NPS) ନିୟମ

ଏନପିଏସର ନୂଆ ନିୟମ ଅନୁସାରେ ଏବେ କୌଣସି ବି ଏନପିଏସ୍ ଆକାଉଣ୍ଟଧାରୀଙ୍କୁ ସମୁଦାୟ ଜମା ରାଶିର ୨୫ ପ୍ରତିଶତରୁ ଅଧିକ ଭାଗର ଉଠାମର ଅନୁମତି ମିଳିବନି । ଏହି ନୂଆ ନିୟମ ୧୨ ଜାନୁୟାରୀରେ ଏକ ନୋଟିଫିକେସନ ଜରିଆରେ ଘୋଷଣା ହୋଇଥିଲା ଏବଂ ଏହା ୧ ଫେବୃୟାରୀ ୨୦୨୪ରୁ ଲାଗୁ ହେବ । ଏଥିରେ କେବଳ ପିଲାଙ୍କ ପାଠପଢା, ବିବାହ, ଘର କିଣିବା ପାଇଁ, ବ୍ୟବସାୟ ଆରମ୍ଭ କରିବା ଭଳି ବଡ ପରିସ୍ଥିତିରେ ହିଁ ଉଠାଣର ସୁବିଧା ମିଳିବ ।

ଫାଷ୍ଟ୍ୟାଗ୍ ନିୟମ

ଯେଉଁ ଗ୍ରାହକ ୩୧ ଜାନୁୟାରୀ ସୁଦ୍ଧା ଫାଷ୍ଟ୍ୟାଗର କେଓ୍ବାଇସି କରିନାହାଁନ୍ତି ସେମାନଙ୍କ ଫାଷ୍ଟ୍ୟାଗ୍ ୧ ଫେବୃୟାରୀ ୨୦୨୪ରୁ ବ୍ୟାଙ୍କର ନିଷ୍କ୍ରିୟ ହୋଇଯିବ । ସେଥିରେ ଯେତେ ବାଲାନ୍ସ ଥିଲେ ମଧ୍ୟ କାର୍ଡ କାମ ଦେବନି । ଯଦି ଆପଣ ଏପର୍ଯ୍ୟନ୍ତ ଫାଷ୍ଟ୍ୟାଗ୍ କେଓ୍ବାଇସି କରାଇନାହାଁନ୍ତି ତେବେ ତୁରନ୍ତ କରାଇଦିଅନ୍ତୁ । ନଚେତ୍ ହଇରାଣରେ ପଡିବେ ।

Comments are closed.