ସମାଜ ପୋର୍ଟାଲ ଡେସ୍କ: ଦେଶରେ ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହେଉଥିବା ଯୋଗ୍ୟତା ପ୍ରବେଶିକା ପରୀକ୍ଷା ‘ନିଟ’ ଜାତୀୟ ସ୍ୱାର୍ଥ ପୂରଣ କରୁଛି ଓ କୌଣସି ପରିସ୍ଥିତିରେ ସଂଖ୍ୟାଲଘୁ ଅନୁଷ୍ଠାନର ଅଧିକାର ଉଲ୍ଲଂଘନ କରୁନାହିଁ ବୋଲି ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଓ ଅନ୍ୟ କେତେକ ମେଡିକାଲ କଲେଜ ଦ୍ୱାରା କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ମାମଲାରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ଶୁଣାଣି କରି ଏହା କହିଛନ୍ତି।
ସୁପ୍ରିମକୋର୍ଟ ନିଜ ରାୟରେ ସେହି ସବୁ ମେଡିକାଲ କଲେଜଗୁଡିକୁ ନିଜସ୍ୱ ପ୍ରବେଶିକା କରାଇବା ପାଇଁ ଅନୁମତି ଦେଇନାହାନ୍ତି। କୋର୍ଟ କହିଛନ୍ତି, ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସରକାର ଏହି ବ୍ୟବସ୍ଥା ଗ୍ରହଣ କରିଛନ୍ତି ଓ ତାହା ସମସ୍ତ ମେଡିକାଲ କଲେଜ ପାଇଁ ବାଧ୍ୟତାମୂଳକ। ସଂସ୍ଥା ସଂଖ୍ୟାଲଘୁ ହେଉ କି ସଂଖ୍ୟାଗରିଷ୍ଠ, ଏହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ।
ଜଷ୍ଟିସ୍ ମିଶ୍ର କହିଛନ୍ତି ଯେ ଜନସ୍ୱାସ୍ଥ୍ୟର ଉନ୍ନତି ସହ ଜଡିତ ଡାକ୍ତରୀ ଶିକ୍ଷାର ବିକାଶ ପାଇଁ ନିଟ ଅପରିହାର୍ଯ୍ୟ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିୟମାବଳୀ ସମ୍ବିଧାନ ଅନୁଯାୟୀ ଗ୍ରହଣୀୟ। ଜଷ୍ଟିସ୍ ମିଶ୍ର ତାଙ୍କ ରାୟରେ କହିଛନ୍ତି ଯେ ସାମଗ୍ରିକ ଜାତୀୟ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି, ତେଣୁ ଏଥିରେ କୌଣସି ଛାଡ କରାଯିବ ନାହିଁ।



