ନର୍ଲା: କିଛି ଦିନ ହେଲା ଗାଁ ମୁହାଁ ହୋଇଛନ୍ତି ହାତୀପଲ। ଏମାନେ ନର୍ଲା ବ୍ଲକର ବିଭିନ୍ନ ଗ୍ରାମରେ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଜଣାପଡିଛି। ଆଜି ସକାଳେ କେରାଣ୍ଡିଖୁଣ୍ଟିର ଦିପାଞ୍ଜଳୀ ଭୋଇ (୨୫) ଓ ଫସଲାପଡା ଗାଁ ବୁରଡିପଡାର ହୃଷିକେଶ ସା (୭୫) ହାତୀ ଆକ୍ରମଣର ଶିକାର ହେଇଛନ୍ତି। ମହିଳା ଜଣକ ଅଳିଆ ଫିଙ୍ଗିବା ପାଇଁ ଗାଁ ମୁଣ୍ଡକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଠିକ୍ ସେହିଭଳି ବରିଷ୍ଠ ନାଗରିକ ହୃଷିକେଶ ସକାଳ ସମୟରେ ନିଜ ବିଲକୁ ଯାଇଥିବା ବେଳେ ସେ ମଧ୍ୟ ହାତୀ ଆକ୍ରମଣର ଶିକାର ହେଇଛନ୍ତି। ଗୁରୁତର ଅବସ୍ଥାରେ ଆହତମାନଙ୍କୁ ପ୍ରଥମେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଜଙ୍ଗଲୀ ହାତୀ ଗାଁ ମୁହାଁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ହାତୀ ରହିଥିବା ଇଲାକାରେ ସନ୍ଧ୍ୟାରୁ ପରଦିନ ସକାଳ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ଛିନ୍ନ କରାଯାଉଛି। ତେବେ ଅସହ୍ୟ ଗୁଳୁଗୁଳି ସମୟରେ ବିଦ୍ୟୁତ ନରହିବା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି।
Popular Categories



