ନର୍ଲା: ବର୍ତମାନ ନର୍ଲା ବ୍ଲକରେ ବିଭିନ୍ନ ସ୍ଥାନରେ ଚାଷୀମାନେ ସ୍ୱଳ୍ପ ପରିମାଣର ଜମିରେ ଧାନ ଚାଷ କରିଛନ୍ତି। ଜଳସେଚନ ବ୍ୟବସ୍ଥାକୁ ନେଇ କେତେକ ସ୍ଥାନରେ ଚାଷୀ ଚାଷ କରିଛନ୍ତି। ଧାନ ଚାଷ ପ୍ରାୟତଃ ଭଲ ହୋଇଥିବା ବେଳେ କେତେକ ସ୍ଥାନରେ ଚାଷ ଜମିକୁ ପାଣି ଅଭାବ କାରଣରୁ ଚାଷ ମରିବା ସ୍ପଷ୍ଟ ଜଣାପଡିବା ପରେ ଗାଈଗୋରୁଙ୍କୁ ଚରିବା ପାଇଁ ଛାଡିଦେଇଥିବା ଦେଖିବାକୁ ମିଳିଛି। ତେବେ ଜଳସେଚନ ବ୍ୟବସ୍ଥାରେ ପର୍ଯ୍ୟାପ୍ତ ପରିମାଣ ପାଣିର ବ୍ୟବସ୍ଥା ନଥିବା ବେଳେ ଆବଶ୍ୟକତାଠାରୁ ଅଧିକ ପରିମାଣର ଚାଷ ଜମିରେ ଚାଷୀମାନେ ଚାଷ କରୁଥିବା କାରଣରୁ ପାଣି ନିଅଣ୍ଟ ହୋଇଥିବା ଜଣାପଡିଛି। କ୍ଷୁଦ୍ର ଜଳସେଚନ ସୁବିଧା ନେଇ ନର୍ଲାର ନର୍ଲା, ମାଣ୍ଡେଲ, ସର୍ଗିଗୁଡା, ରୁପ୍ରା, ତୁଳାପଡା ଆଦି ସ୍ଥାନରେ ଚାଷ କରାଯାଇଥିବା ବେଳେ ସରକାରୀ ରିପୋର୍ଟ ମୁତାବକ ସମୁଦାୟ ୧୨୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ତେବେ ତୁଳାପଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣିକୁ ନେଇ ଚାଷୀ ଚାଷ କରିଛନ୍ତି। ସେହିପରି ଭାନପୁର ଅଂଚଳରେ ମଧ୍ୟ କିଛି ଚାଷୀ ଚାଷ କରିଛନ୍ତି। ଚାଷୀ ଏକ ପ୍ରକାର ଲୋଭଗ୍ରସ୍ତ ହୋଇ ଶସ୍ୟ ପାଇବା ଆଶାରେ ଚାଷ କରିଥିବା ବେଳେ ବର୍ତମାନ ବହୁଚାଷ ଜମି ମରଣ ମୁହଁରେ ପଡିସାରିଛି। ଚାଷକୁ ଆଶା ନ କରି ଚାଷୀମାନେ ଗାଈଗୋରୁ ଚରିବା ପାଇଁ ଜମିକୁ ଛାଡିଦେଇଛନ୍ତି। ଫଳରେ ଏକର ଏକର ଚାଷ ଜମି ଆଜି କ୍ଷତିଗ୍ରସ୍ତ ହୋଇଛି।
Popular Categories



