ଲାଞ୍ଜିଗଡ଼: ଝିଅ ସହିତ ଜଣେ ଅନ୍ୟଜାତି ଯୁବକର ପ୍ରେମ ସଂପର୍କକୁ ସହ୍ୟ କରିନପାରି ପରିବାର ଲୋକେ ଯୁବକକୁ ହତ୍ୟା କରି ନିଜ ଘର ପଛଆଡେ ଫୋପାଡି ଦେଇଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ପାଇ ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କୁମଖାଲ ଗାଁର ରାମଚନ୍ଦ୍ର ଦଳପତିଙ୍କ ପୁଅ ରଞ୍ଜିତଙ୍କୁ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଗାଁର ଜୟ ମାଝୀ ଓ ଭଏଁରା ମାଝୀ ତାଙ୍କ ଘରୁ ଡାକି ନେଇଥିଲେ। ସନ୍ଧ୍ୟାରେ ରଞ୍ଜିତ ଘରୁ ବାହାରି ଯାଇଥିଲେ ହେଁ ରାତି ସୁଦ୍ଧା ଘରକୁ ଫେରିନଥିଲେ। ଘର ଲୋକେ ରାତି ଓ ଶନିବାର ଦିନ ତମାମ ଖୋଜାଖୋଜି କରିଥିଲେ ହେଁ ରଞ୍ଜିତଙ୍କ ଖୋଜଖବର ମିଳିନଥିଲା। ଏହାପରେ ରଞ୍ଜିତଙ୍କ ବାପା ଜୟ ଓ ଭଏଁରାଙ୍କୁ ନିଜ ପୁଅ ସଂପର୍କରେ ପଚାରିବାରୁ ସେମାନେ କିଛି ଜାଣିନଥିବା କହିଥିଲେ। ଏହାପରେ ହତାଶ ରାମଚନ୍ଦ୍ର ପୁଲିସକୁ ଖବର ଦେବାକୁ ପ୍ରସ୍ତୁତ ହେଉଥିବାବେଳେ ରାତି ୮ଟାରେ ଜୟ ଓ ଆଉଜଣେ ବ୍ୟକ୍ତି ଆଦ୍ନୁ ରଞ୍ଜିତର ମୃତଦେହ ଭଏଁରା ମାଝୀଙ୍କ ଘର ପଛଆଡେ ପଡିଥିବା କହିଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବାବେଳେ ଭଏଁରାଙ୍କ ଘର ପଛଆଡେ ରଞ୍ଜିତର ମୃତଦେହ ସନ୍ଦେହଜନକ ଭାବେ ପଡି ରହିଥିବାବେଳେ ତାର ତଣ୍ଟିକୁ ଚିପି ହତ୍ୟା କରିଥିବା ଓ ତଣ୍ଟିରେ ରଶି ଦାଗ ଥିବା ଦେଖିବାକୁ ପାଇଥିଲେ । ଏ ସଂପର୍କରେ ବିଶ୍ୱନାଥପୁର ପୁଲିସ ନିକଟରେ ଅଭିଯୋଗ କରିଥିଲେ ହେଁ ରାତି ଅଧିକ ହୋଇଥିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା। ରବିବାର ବିଶ୍ୱନାଥପୁର ଥାନାଧିକାରୀ କାହ୍ନୁଚରଣ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସ ଦଳ କୁମଖାଲ ଗାଁରେ ପହଞ୍ଚିବା ସହ ରଞ୍ଜିତର ଶବ ଜବତ କରିବା ସହ ଲାଞ୍ଜିଗଡକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ସଂପର୍କରେ କେସ୍ ନଂ ୩୫/୨୦୧୯ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରେମ ବ୍ୟାପାର ଯୋଗୁଁ ରଞ୍ଜିତର ହତ୍ୟା ଘଟିଥିବା ଏବଂ ଗାଁର ମାଝୀପଡାର କିଛି ବ୍ୟକ୍ତିଙ୍କ ଏଥିରେ ସଂପୃକ୍ତି ଥିବା ମୃତ ରଞ୍ଜିତର ବାପା ରାମଚନ୍ଦ୍ର ଅଭିଯୋଗ କରିଛନ୍ତି।
ଲାଞ୍ଜିଗଡ଼ ବ୍ଲକରେ ଅନରକିଲିଂ, ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା ସନ୍ଦେହ
Popular Categories



