ନୂଆଦିଲ୍ଲୀ: ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଵଡେକର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ତାଙ୍କ ଦ୍ୱିତୀୟ ପାଳିର ପ୍ରଥମ ୧୦୦ ଦିନ ମଧ୍ୟରେ ଜମ୍ମୁ ଓ କାଶ୍ମୀର ହେଉ ବା ଅର୍ଥନୈତିକ କ୍ଷେତ୍ର ହେଉ, ଐତିହାସିକ ଓ ଯୁଗାନ୍ତକାରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନୂଆଦିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି, ଜମ୍ମୁ, କାଶ୍ମୀର ଓ ଲଦାଖ୍କୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପୁନର୍ଗଠନ କରାଯିବା ଏକ ଯୁଗାନ୍ତକାରୀ ନିଷ୍ପତ୍ତି। ଜାଵଡେକର କହିଛନ୍ତି, ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତରେ ଭାରତର ନିଷ୍ପତ୍ତିକୁ ଅନ୍ତର୍ଜାତୀୟ ସଙ୍ଗଠନ ଜି.-୭, ୟୁ.ଏନ୍.ସି.ସି. ଓ ବିଶ୍ୱନେତାମାନେ ସମର୍ଥନ ଜଣାଇଛନ୍ତି।
ସେ ଆହୁରି କହିଛନ୍ତି, ସରକାରୀ କ୍ଷେତ୍ରରେ ସ୍ୱଚ୍ଛତା ଆଧାରରେ ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି। ଦେଶରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି। ୨୦୧୫ ମସିହା ସୁଦ୍ଧା ଭାରତ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବ ନେଇ ଜାଵଡେକର ଆଶାବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ଜାଵଡେକର କହିଛନ୍ତି, ନିର୍ବାଚନ ପୂର୍ବରୁ ଏହିସବୁ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାଲାଗି ପ୍ରସ୍ତୁତ କରାଯାଇଥିଲା। ସେ କହିଛନ୍ତି, ଏହିସବୁ ନିଷ୍ପତ୍ତି କୃଷକ, ଗରିବ, ଶ୍ରମିକ, ଅନୁସୂଚିତ ଜାତି ଓ ଜନଜାତିକୁ ସଶକ୍ତିକରଣ କରିବା ଲକ୍ଷ୍ୟରେ କରାଯାଇଛି। କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ଆବାସ, ଜଳଜୀବନ ମିଶନ, ଆୟୁଷ୍ମାନ ଭାରତ, କୃଷକମାନଙ୍କ ରୋଜଗାରକୁ ଦ୍ୱିଗୁଣିତ କରିବା, ଉଜ୍ଜ୍ୱଳା ଯୋଜନା ଏବଂ ତିନି ତଲାକ୍ ବ୍ୟବସ୍ଥାକୁ ନିଷେଧ କରିବା ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଅବସରରେ ଜାଵଡେକର କେନ୍ଦ୍ର ସରକାରଙ୍କ ୧୦୦ ଦିନ କାର୍ଯ୍ୟକାଳ ପୂର୍ଣ୍ଣ ସଂକ୍ରାନ୍ତ ଏକ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।



