www.samajalive.in
Saturday, December 6, 2025
26.1 C
Bhubaneswar

ପୌର ନିର୍ବାଚନ: ୪ହଜାର ୪୭୫ଟି ବୁଥରେ ମତଦାନ କରିବେ ୪୨ଲକ୍ଷ ଭୋଟର

ଭୁବନେଶ୍ବର: ପୌର ନିର୍ବାଚନ ପ୍ରଚାରରେ କୌଣସି କୋଭିଡ କଟକଣା ରହିବ ନାହିଁ। ପ୍ରାର୍ଥୀମାନେ ପୂର୍ବରୁ ଯେଭଳି ପ୍ରଚାର କରୁଥିଲେ ସେଭଳି ନିର୍ବାଚନ ପ୍ରଚାର କରିପାରିବେ। କୋଭିଡ ସଂକ୍ରମଣ କମୁଥିବାରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ସଂକ୍ରମଣ ବୃଦ୍ଧି ପାଇଲେ କୋଭିଡ କଟକଣା ଜାରି ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭୩୧ ୱାର୍ଡ ଏବଂ ୩ ମହାନଗରରେ ୧୬୧ଟି ୱାର୍ଡରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣ ପାଇଁ ୪ହଜାର ୪୭୫ଟି ବୁଥ କରାଯିବ ଏବଂ ୪୨ଲକ୍ଷ ଭୋଟରର ନିର୍ବାଚନରେ ଭୋଟ ଦେବେ। ପ୍ରତି ପୋଲିଂ ଟିମରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ ପୋଲିଂ ଅଫିସର ରହିବେ। ଏଥର ପୋଲିଂ କର୍ମଚାରୀ ଚାହିଁଲେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ପାରିବେ। ସେହିପରି ଦୃଷ୍ଟିହୀନ ଭୋଟରମାନଙ୍କ ପାଇଁ ବ୍ରେଲି ବାଲାଟ ପେପର ସୁବିଧା କରାଯାଇଛି ଏବଂ ସେମାନେ ମଧ୍ୟ ସହଜରେ ଏଥିରେ ନିଜର ମତ ସାବ୍ୟସ୍ତ କରିପାରିବେ।
ରାଜ୍ୟର ୧୦୭ଟି ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ଥର ପାଇଁ ପୌର ପରିଷଦ ଓ ମହାନଗର ନିଗମ ନିର୍ବାଚନରେ ନୋଟା ବିକଳ୍ପ ବ୍ୟବହାର କରାଯାଇପାରିବ। ଇଭିଏମ ମେସିନର ସବୁଠୁ ଶେଷରେ ନୋଟା ବଟନ୍ ରହିବ ଏବଂ ନିର୍ବାଚନ ମଇଦାନରେ ଭୋଟରଙ୍କ ମନପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ। ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରତ୍ୟେଟି ବୁଥରେ ଦୁଇଟି ଲେଖାଏଁ ଇଭିଏମ୍ ମେସିନ ରଖାଯିବ। ସେଥିମଧ୍ୟରୁ ଗୋଟିଏ କର୍ପୋରେଟର କିମ୍ବା କାଉନ୍ସିଲର ନିର୍ବାଚନ ପାଇଁ ଓ ଅନ୍ୟଟି ଅଧ୍ୟକ୍ଷ କିମ୍ବା ମେୟର ନିର୍ବାଚନ ପାଇଁ ବ୍ୟବହାର କରାଯିବ। କର୍ପୋରେଟର କିମ୍ବା କାଉନ୍ସିଲର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର ଓ ଅଧ୍ୟକ୍ଷ କିମ୍ବା ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର ନିର୍ବାଚନରେ ବ୍ୟବସ୍ଥା କରାଯିବ।

ଏହାବ୍ୟତୀତ ଭୋଟରମାନଙ୍କ ସୁବିଧା ପାଇଁ କର୍ପୋରେଟର କିମ୍ବା କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ମେସିନ ଉପରେ ଗୋଲାପି ରଙ୍ଗର ଗୋଲ ଷ୍ଟିକର ଲଗାଯିବ। ସେହିପରି ଅଧ୍ୟକ୍ଷ କିମ୍ବା ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ମେସିନ ଉପରେ ହଳଦିଆ ରଙ୍ଗର ଗୋଲ ଷ୍ଟିକର ଲଗାଯିବ। ଫଳରେ ଭୋଟରମା​ନେ କେଉଁ ପ୍ରାର୍ଥୀଙ୍କୁ କେଉଁ ଇଭିଏମ ମେସିନରେ ଭୋଟ ଦେଇପାରିବେ ତାହା ସହଜରେ ଜାଣିପାରିବେ। ପ୍ରତ୍ୟେକ ବୁଥ୍ ଭିତରେ ମତଦାନ ପାଇଁ ୨ଟି ମତଦାନ ପ୍ରକୋଷ୍ଠ ରହିଛି। ଭୋଟରମାନେ ପ୍ରଥମ ପ୍ରକୋଷ୍ଠକୁ ଯାଇ ପ୍ରଥମେ ଅଧ୍ୟକ୍ଷ କିମ୍ବା ମେୟର ପଦ ପାଇଁ ପ୍ରତିଦ୍ବନ୍ଦ୍ବୀତା କରୁଥିବା ପ୍ରାଥୀଙ୍କୁ ମତଦାନ କରିବାକୁ ପଡ଼ିବ। ଏହାପରେ ଦ୍ୱିତୀୟ ପ୍ରକୋଷ୍ଠକୁ ଯାଇ ସେଠାରେ କର୍ପୋରେଟର କିମ୍ବା କାଉନ୍ସିଲର ପଦ ପାଇଁ ପ୍ରତିଦ୍ବନ୍ଦ୍ବୀତା କରୁଥିବା ପ୍ରାର୍ଥୀଙ୍କୁ ମତଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories