ମୁଖିଗୁଡା:ଜୟପାଟଣା ପଞ୍ଚାୟତ ଅନ୍ତର୍ଗତ ଖଇରମାଲ ଗ୍ରାମର ଅର୍ଜୁନ ରାଉତଙ୍କ ବୟସ ୭୩ ହୋଇ ଥିଲେ ହେଁ ତାଙ୍କୁ ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ବାର୍ଦ୍ଧକ୍ୟ ଭତ୍ତା ପାଇଁ ସେ ବାରମ୍ବାର ଆବେଦନ କରୁଥିଲେ ମଧ୍ୟ ତାଙ୍କୁ କେବେ ଏହି ବାର୍ଦ୍ଧକ୍ୟ ଭତ୍ତା ମିଳିବ ସେ ପ୍ରଶ୍ନ ଉଠାଇଛନ୍ତି।
ଜୟପାଟଣା ବ୍ଲକ ଅନ୍ତର୍ଗତ ଜୟପାଟଣା ପଞ୍ଚାୟତର ଖାଇରମାଲ ଗ୍ରାମର ଅର୍ଜୁନ ରାଉତ(୭୩)ଙ୍କ ଜମିବାଡ଼ି ନାହିଁ। ଭୂମିହୀନ ଅର୍ଜୁନଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ଏକ ମାତ୍ର ମାନସିକ ବିକୃତ ପୁଅର ପରିବାରର ବୋଝ ତାଙ୍କ ଉପରେ ରହିଛି। ଏହି ବୃଦ୍ଧ ବୟସରେ କୁଲି ମଜୁରୀ କରି ପରିବାରର ବୋଝ ଉଠାଉଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଅନେକ ଥର ଆବେଦନ କରିଛନ୍ତି । ଏପରିକି ପିଠା କାର୍ଯ୍ୟକ୍ରମରେ ମଧ୍ୟ ଆବେଦନ କରିଥିଲେ, କିନ୍ତୁ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରି ନାହିଁ। ଅପରପକ୍ଷରେ ତାଙ୍କ ସାଙ୍ଗରେ ଆବେଦନ କରିଥିବା ଅନ୍ୟମାନେ ଭତ୍ତା ପାଇ ସାରିଲେଣି, ହେଲେ ଅର୍ଜୁନଙ୍କୁ ଭତ୍ତା ମିଳି ନାହିଁ । ତାଙ୍କୁ କେଉଁ କାରଣରୁ ସେ ଭତ୍ତା ପାଇବା ପାଇଁ ଯୋଗ୍ୟ ହୋଇପାରୁ ନାହାଁନ୍ତି ତାହା ଜଣାପଡ଼ିନାହିଁ। ଜିଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଅର୍ଜୁନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।



