ଭୁବନେଶ୍ବର : ବିଶ୍ବବ୍ୟାପୀ କରୋନାଜନିତ ଭୟାବହତାକୁ ନେଇ ରାଜ୍ୟରେ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଜଗତ ପ୍ରାୟତଃ ବନ୍ଦ ହୋଇ ପାଡିଥିବା ଯୋଗୁଁ ଏ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏ ନେଇ ଶନିବାର ଶକ୍ତି , ଶିଳ୍ପ , ଏମଏସଏମଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବଶ୍ୟଙ୍କର ମିଶ୍ର କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ , ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡା ଓ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲେସ୍ତେଙ୍କ ସହ ଫୋନରେ ଆଲୋଚନା କରିଛନ୍ତି ।
ରାଜ୍ୟର ଏମଏସଏମଇ କ୍ଷେତ୍ରରେ କରୋନା ଯୋଗୁଁ ଜାରି ହୋଇଥିବା ଲକ ଡାଉନ ପାଇଁ ବିଶେଷ ପ୍ରଭାବିତ ହୋଇଛି । ଶ୍ରମିକମାନେ ତାଙ୍କର ବେଉସା ହରାଇ ହାତ ବାନ୍ଧି ବସିବାକୁ ବାଧ୍ୟ ହୋଇଛନ୍ତି । ଶ୍ରମଜିବୀମାନେ ବେରୋଜଗାର ହୋଇଥିବା ଯୋଗୁଁ ଏହି କ୍ଷେତ୍ରରେ ଜୀବିକା ଉପାର୍ଜନ କରୁଥିବା ବୃହତ ବର୍ଗଙ୍କ ଅର୍ଥନୀତି ଧ୍ବସ୍ତ ହୋଇଯାଇଛି। କରୋନା ପରେ ଅବସ୍ଥା ସ୍ବଭାବିକ ହେଲେ ଏହି କ୍ଷେତ୍ରରେ କିପରି ପୁଣିଥରେ ସଚଳ କରାଯାଇ ପାରିବ ସେଥିପାଇଁ କେନ୍ଦ୍ରୀୟ ସହଯୋଗର ସୁଯୋଗ ସୃଷ୍ଟି କରିବାକୁ ମନ୍ତ୍ରୀ ଶ୍ରୀ ମିଶ୍ର କେନ୍ଦ୍ର ମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ। ଦେଶରେ ଅର୍ଥନୀତିରେ ଏମଏମଏମଇ କ୍ଷେତ୍ରରେ ଯୋଗଦାନର ଅଧିକ ଗୁରୁତ୍ବ ରହିଛି। ତେଣୁ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ସେ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖିଥିବା ଜଣାପଡ଼ିଛି ।



