www.samajalive.in
Monday, December 8, 2025
27.1 C
Bhubaneswar

ପ୍ରବାସୀ ଓଡ଼ିଆଙ୍କ କର୍ମ ନିୟୋଜନ ଆହ୍ବାନ; ଦକ୍ଷତା ମ୍ୟାପିଂ ପାଇଁ ରଣନୀତି ଉପରେ ବିଶେଷଜ୍ଞଙ୍କ ଗୁରୁତ୍ବ

ଭୁବନେଶ୍ବର: କରୋନା ପାଇଁ ରାଜ୍ୟର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଏହାକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ସରକାରଙ୍କ ପାଇଁ ବଡ଼ ଆହ୍ବାନ ହୋଇରହିଛି। ଏପରିସ୍ଥଳେ ବାହାରୁ ରାଜ୍ୟକୁ ରୋଜଗାର ହରାଇ ଘରକୁ ଫେରିଥିବା ଲକ୍ଷାଧିକ ପ୍ରବାସୀ ଶ୍ରମିକଙ୍କୁ କର୍ମନିୟୋଜନ ଯୋଗାଇବା ଆଉ ଏକ ଆହ୍ବାନ ଭାବେ ଛିଡ଼ା ହୋଇଛି। ଏପରିସ୍ଥଳେ ଏବେ ଠାରୁ ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ମ୍ୟାପିଂ ଆରମ୍ଭ ପାଇଁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି।

ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟକୁ ବହୁ ସଂଖ୍ୟାରେ ଲୋକ ଫେରୁଛନ୍ତି। ଭବିଷ୍ୟତରେ ସେମାନଙ୍କୁ ପୁରୁଣା ସ୍ଥାନରେ ରୋଜଗାର ମିଳିବା ନେଇ ଅନେକ ଆଶଙ୍କା ରହିଛି। ଏପରିସ୍ଥଳେ ଉତ୍ତର ପ୍ରଦେଶ, ବିହାର, ଝାରଖଣ୍ଡ ଭଳି ରାଜ୍ୟର ସରକାର ଏବେ ଠାରୁ ସେମାନଙ୍କ ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ମ୍ୟାପିଂ ଆରମ୍ଭ କରି ଦେଇଛନ୍ତି। ଓଡ଼ିଶାରେ ୧୦ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ଦିନରେ ରୋଜଗାର ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ଶ୍ରମିକଙ୍କ କେଉଁ କାର୍ଯ୍ୟରେ ଦକ୍ଷତା ରହିଛି ତାହା ଜାଣିବା ସରକାରଙ୍କ ପାଇଁ ଜରୁରୀ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ମ୍ୟାପିଂ ଆରମ୍ଭ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।

- Advertisement -

ସେଣ୍ଟର ଫର ପଲିସି, ଗଭର୍ଣ୍ଣାନ୍ସ ଆଣ୍ଡ ଆଡଭୋକେସି (ସିପିଜିଏ)ର ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା କହିଛନ୍ତି ଓଡ଼ିଶାରେ ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଏକାନ୍ତ ଆବଶ୍ୟକ। ତେବେ ଏହା ପୂର୍ବରୁ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଜରୁରୀ। ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ମ୍ୟାପିଂ ପାଇଁ ଏକ ରାଜ୍ୟସ୍ତରୀୟ ନୋଡ଼ାଲ ଏଜେନ୍ସି ଗଠନ କରିବା ସହ ନିର୍ଦିଷ୍ଟ ମାନଦଣ୍ଡ ଜାରି କରିବା ଉଚିତ। ରାଜ୍ୟରେ କେତେ ସଂଖ୍ୟକ କପଡ଼ା ଶିଳ୍ପ, ସାଧାରଣ କ୍ଷେତ୍ର, ଅଟୋମୋବାଇଲ୍, ହୋଟେଲ୍ ଓ ପର୍ଯ୍ୟଟନ, ଇଲେ‌େ‌କ୍ଟ୍ରାନିକ୍ସ ଓ ଇଲେକ୍ଟ୍ରିକାଲ, ନିର୍ମାଣ, ମେକାନିକାଲ, ସ୍ବାସ୍ଥ୍ୟସେବା, ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ସଂସ୍ଥା, କାରଖାନା ଆଦି ରହିଛି ଏବଂ ଏଥିରେ କେଉଁ କେଉଁ ବର୍ଗର କର୍ମଚାରୀଙ୍କୁ ନିୟୋଜିତ କରିହେବ ତାହାର ସବିଶେଷ ତଥ୍ୟ ରହିବା ଆବଶ୍ୟକ। ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ କେତେଜଣ ଓଡ଼ିଶାରେ ରହିବେ ଆଉ କେତେଜଣ ପୁରୁଣା କର୍ମସ୍ଥଳକୁ ଫେରିବାକୁ ଚାହୁଁଛନ୍ତି ତାହା ସରକାର ଜାଣିବା ଜରୁରୀ।

ଶିଳ୍ପ ଓ ଅଣଶିଳ୍ପ କ୍ଷେତ୍ର ସହ ଜଡ଼ିତ ପ୍ରବାସୀ ଶ୍ରମିକଙ୍କ ବର୍ଗୀକରଣର ଆବଶ୍ୟକତା ରହିଛି। ସେହିପରି ଶ୍ରମିକଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଉଚିତ। ଏ ଦିଗରେ ଶ୍ରମ, ଏମ୍‌ଏସ୍‌ଏମ୍‌ଇ, ଦକ୍ଷତା ବିକାଶ, ପଞ୍ଚାୟତିରାଜ, ଶିଳ୍ପ ବିଭାଗର ମିଳିତ ଉଦ୍ୟମ ଆଗାମୀ ଦିନରେ ବେଶ୍‌ ଫଳପ୍ରଦ ହୋଇପାରିବ। ଅପରପକ୍ଷେ ଓଡ଼ିଶା ପ୍ରବାସୀ ଶ୍ରମିକ କଲ୍ୟାଣ କମିଶନ ଭଳି ଅନୁଷ୍ଠାନ ପ୍ରତିଷ୍ଠା ସହିତ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ୍-୧୯୭୯ର ଉପଯୁକ୍ତ କାର୍ଯ୍ୟକାରିତା ଜରୁରୀ। ପ୍ରବାସୀ ଶ୍ରମିକଙ୍କ ସୁପରିଚାଳନା ପାଇଁ ଓଡ଼ିଶା ଶ୍ରମିକ କଲ୍ୟାଣ ପାଣ୍ଠି ବିନିଯୋଗ ଅତ୍ୟନ୍ତ ଉପାଦେୟ ହୋଇପାରିବ। ସେମାନଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ଅର୍ଥନୀତିକୁ ସଜାଡ଼ିବା ସହଜ ହୋଇପାରିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟକୁ ଏପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷ ପ୍ରବାସୀ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ଶ୍ରମିକଙ୍କ ସଂଖ୍ୟା ଢ଼େର ଅଧିକ ରହିଛି। ଆଗକୁ ମଧ୍ୟ ପ୍ରବାସୀ ଫେରିବାର ସମ୍ଭାବନା ରହିଛି। ଗୁଜରାଟ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଭଳି ରାଜ୍ୟରେ କାମ ଧନ୍ଦା ଆରମ୍ଭ ହୋଇଥିବାରୁ ଫେରିଥିବା ଅନେକ ଶ୍ରମିକ ପୁଣି କର୍ମସ୍ଥଳକୁ ଯିବା ପାଇଁ ବାହାରିଲେଣି। ତଥାପି ଓଡ଼ିଶା ଫେରନ୍ତା ଲକ୍ଷାଧିକ ଶ୍ରମିକଙ୍କୁ ପୁଣି ଥରେ ପୁରୁଣା ସ୍ଥାନରେ କାମ ମିଳିବା ଆଶା କ୍ଷୀଣ। ସେମାନେ ଆଉ ଫେରିବାକୁ ଚାହୁଁନ୍ତାହାନ୍ତି। ଏପରିସ୍ଥଳେ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ ରଖିବା ପାଇଁ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଜରୁରୀ। ଏ ସମ୍ପର୍କରେ ଶ୍ରୀ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରବାସୀଙ୍କୁ କର୍ମନିଯୁକ୍ତି ଯୋଗାଇବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories