www.samajalive.in
Monday, December 8, 2025
17.1 C
Bhubaneswar

ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ଦମନ ସଂପର୍କିତ ଜାତୀୟସ୍ତରୀୟ ବୈଠକ, ଯୋଗଦେଲେ ରାଜ୍ୟ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବାମପନ୍ଥୀ ଉଗ୍ରବାଦ ଦମନ ସଂପର୍କିତ ଜାତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଏହି ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇଥିଲେ।
ରାଜ୍ୟର ନକ୍ସଲ ବା ମାଓବାଦୀ ଦମନ ସଂପର୍କରେ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ଓ ବଳିଷ୍ଠ ନେତୃତ୍ୱରେ ଓଡିଶା ବାମପନ୍ଥୀ ଉଗ୍ରବାଦର ମୁକାବିଲା କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟ ସରକାରଙ୍କ ଜନକୈନ୍ଦ୍ରିକ ନୀତି ଏବଂ ବିକାଶମୂଳକ ପଦକ୍ଷେପ ଯୋଗୁଁ ଅଧିକାଂଶ ପ୍ରଭାବିତ ଅଞ୍ଚଳର ସ୍ଥିତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିପାରିଛି।

ସିପିଆଇ (ମାଓବାଦୀ)ଙ୍କ ପ୍ରଭାବ କ୍ଷେତ୍ର ୨୧ଟି ଜିଲାରୁ ୧୦ଟି ଜିଲାର ସୀମିତ ପକେଟକୁ ହ୍ରାସ ପାଇଛି, ହିଂସାର ତୀବ୍ରତା କମିପାରିଛି ଏବଂ ବିପୁଳ ଜନସମର୍ଥନ ଆଧାରରେ ସ୍ଥାନୀୟ କ୍ୟାଡରମାନଙ୍କୁ ମାଓବାଦୀ ସଙ୍ଗଠନରେ ନିଯୁକ୍ତି ହ୍ରାସ ପାଇଛି। ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ ଉଗ୍ରବାଦରୁ ମୁକ୍ତ ହୋଇଥିବା କ୍ଷେତ୍ରଗୁଡ଼ିକ ରାଜ୍ୟ ସରକାରଙ୍କ ସକ୍ରିୟ ବିକାଶମୂଳକ ପଦକ୍ଷେପ ଏବଂ ଜନକଲ୍ୟାଣକାରୀ ନୀତି ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିଛନ୍ତି। ଦଶନ୍ଧି ଦଶନ୍ଧି ଧରି ମାଓବାଦୀଙ୍କ ଗଡ଼ ଥିବା ମାଲକାନଗିରି ଜିଲାର ସ୍ୱାଭିମାନ ଅଞ୍ଚଳକୁ ସୁରକ୍ଷା ବଳ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଓ ଆଧିପତ୍ୟକୁ ଆଣିପାରିଛି। ବିକାଶର ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଦ୍ୱାରା ଏହି ଅଞ୍ଚଳ ସାମାଜିକ-ଅର୍ଥନୈତିକ-ରାଜନୈତିକ ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛି ।

- Advertisement -

ଗୁରୁପ୍ରିୟା ସେତୁ ନିର୍ମାଣ ଏହି ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ଓ ଜୀବିକାରେ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିଛି । ପାଠପଢାର ସୁବିଧା ପାଇଁ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ୭ ହଜାରରୁ ଅଧିକ ସ୍ମାର୍ଟ ଫୋନ ବଣ୍ଟନ କରାଯାଇଛି। ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଓ ପାରାମେଡିକାଲ ସଂଖ୍ୟାକୁ ସମ୍ପ୍ରସାରିତ କରାଯିବା ସହ ବୋଟ ଆମ୍ବୁଲାନ୍ସ ଓ ଜଳ ଆମ୍ବୁଲାନ୍ସ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ବା ନକ୍ସଲ ସମସ୍ୟାର ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା ନିମନ୍ତେ ଭାରତ ସରକାରଙ୍କ ସହାୟତା ପାଇଁ ଧନ୍ୟବାଦ ଜଣାଇ ଅର୍ଥମନ୍ତ୍ରୀ କିଛି ସମସ୍ୟା ଉପରେ ଭାରତ ସରକାରଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ବିଭିନ୍ନ ମୋବାଇଲ ସଂଯୋଗ ଯୋଜନାରେ ମୋବାଇଲ ଟାୱାର ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଶୀଘ୍ର ଶେଷ କରାଯିବା ଓ ସେନାର ଯାତାୟତ, ଆଗ ପୋଷ୍ଟର ରକ୍ଷଣାବେକ୍ଷଣ ଏବଂ ବାମପନ୍ଥୀ ଉଗ୍ରବାଦୀ ବା ନକ୍ସଲଙ୍କ ସହ ସଂଘର୍ଷ ଭଳି ଜରୁରୀ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ସୁରକ୍ଷା ବାହିନୀ ପାଇଁ ନିରବଚ୍ଛିନ୍ନ ହେଲିକପଫର ସେବା ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଥିବାରୁ ରାଜ୍ୟକୁ ଏକ ଉତ୍ସର୍ଗୀକୃତ ହେଲିକପଫର ପ୍ରଦାନ କରିବାକୁ ଦାବି କରିଥିଲେ।

ବାମପନ୍ଥୀ ଉଗ୍ରବାଦ ବା ନକ୍ସଲ ପ୍ରଭାବିତ ଅଞ୍ଚଳରେ ସକ୍ରିୟ ଓ ସୁଦୃଢ ସୁରକ୍ଷା ବ୍ୟବସ୍ଥା ଏବଂ ଆଦିବାସୀ ଅଞ୍ଚଳର ସାମଗ୍ରିକ ବିକାଶ ଆମ ରାଜ୍ୟର ଆଭିମୁଖ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ସର୍ବଦା ଗୁରୁତ୍ୱାରୋପ କରି ଆସିଛନ୍ତି। ଏହି ସମସ୍ୟାର ମୂଳୋତ୍ପାଟନ ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ସଂସ୍ଥା ଓ ପଡ଼ୋଶୀ ରାଜ୍ୟମାନଙ୍କ ସହ ସମନ୍ୱୟ ରକ୍ଷା କରି ନିଷ୍ଠାପର ଭାବେ ପ୍ରୟାସ ଜାରି ରଖିବେ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କହିଥିଲେ।
ଏହି ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପୋଲିସ ମହାନିର୍ଦେଶକ ସୁନୀଲ କୁମାର ବଂଶଲ ଯୋଗଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଓଡ଼ିଶାର ମାଓ ଦମନ କାର୍ଯ୍ୟକଳାପ ଉପରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଆସନ୍ତା ବର୍ଷ ସମଗ୍ର ଦେଶରୁ ବାମପନ୍ଥୀ ଉଗ୍ରବାଦର ମୂଳୋତ୍ପାଟନ କରାଯିବ ଏବଂ ରାଜ୍ୟ ସରକାରଙ୍କୁ ଏଥି ନିମନ୍ତେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories