www.samajalive.in
Friday, December 5, 2025
23.1 C
Bhubaneswar

ପ୍ରଥମ ଦିନିକିଆ: ଆୟରଲାଣ୍ଡକୁ ହରାଇଲା ଇଂଲଣ୍ଡ

ସାଉଥାମ୍ପ୍‍ଟନ: ଆଇସିସି ବିଶ୍ୱକପ୍‍ ସୁପର ଲିଗ୍‍ ଅନ୍ତର୍ଗତ ପ୍ରଥମ ଦିନିକିଆ ସିରିଜ୍‍ ଗୁରୁବାରଠାରୁ ଆରମ୍ଭ ହୋଇଛି। ଘରୋଇ ଇଂଲଣ୍ଡ ଓ ପଡ଼ୋଶୀ ଆୟରଲାଣ୍ଡ ମଧ୍ୟରେ ଏହି ସିରିଜ୍‍ର ପ୍ରଥମ ଦିନିକିଆରେ ଇଂଲଣ୍ଡ ବିଜୟୀ ହୋଇଛି। ବାମହାତି ଫାଷ୍ଟବୋଲର ଡେଭିଡ୍‍ ୱିଲିଙ୍କ ୫ ୱିକେଟ ଦଖଲ ବଳରେ ଆୟରଲାଣ୍ଡକୁ ୬ ୱିକେଟ୍‍ରେ ଇଂଲଣ୍ଡ ପରାସ୍ତ କରିଛି। ଆୟରଲାଣ୍ଡ କର୍ଟିସ୍‍ କାମ୍ଫରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ୪୪.୪ ଓଭରରେ ୧୭୨ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ପରେ ଇଂଲଣ୍ଡ ୨୭.୫ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଥିଲା। ଏହି ସହଜ ବିଜୟ ସହ ୩ ମ୍ୟାଚ୍‍ର ଦିନିକିଆ ସିରିଜ୍‍ରେ ଘରୋଇ ଇଂଲଣ୍ଡ ୧-୦ରେ ଆଗୁଆ ହୋଇଯାଇଛି। ଶନିବାର ୨ୟ ଦିନିକିଆ ମ୍ୟାଚ୍‍ ଖେଳାଯିବ।
ଟସ୍‍ ଜିତି ଇଂଲଣ୍ଡ ଫିଲ୍‍ଡିଂ ନେବା ପରେ ଆୟରଲାଣ୍ଡ ନିୟମିତ ଭାବେ ୱିକେଟ ହରାଇଥିଲା। ୨୮ ରନ୍‍ରେ ଏହାର ୫ଟି ୱିକେଟ ପଡ଼ି ଯାଇଥିଲା। ଗାରେଥ୍‍ ଡେଲାନି ଓ କେଭିନ୍‍ ଓ’ବ୍ରାଇନ୍‍ ୨୨ ରନ୍‍ ଲେଖାଏଁ କରିଥିଲେ। ଆୟରଲାଣ୍ଡ ୭୯ ରନ୍‍ରେ ୭ଟି ୱିକେଟ ହରାଇବା ପରେ କର୍ଟିସ୍‍ କାମ୍ଫର ଓ ଆଣ୍ଡି ମ୍ୟାକ୍‍ବ୍ରାଇନ୍‍ ୮ମ ୱିକେଟ ପାଇଁ ୬୬ ରନ୍‍ ଯୋଗ କରିଥିଲେ। ମ୍ୟାକ୍‍ବ୍ରାଇନ୍‍ ୪୮ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୦ ରନ୍‍ କରିଥିଲେ। ଅପରାଜିତ ଥିବା କର୍ଟିସ୍‍ କାମ୍ଫର ୧୧୮ ବଲ୍‍ରୁ ୪ଟି ଚୌକା ସହ ୫୯ ରନ୍‍ କରିଥିଲେ। ୱିଲି ୫ଟି ୱିକେଟ ନେଇଥିଲେ। ୧୭୩ ରନ୍‍ ବିଜୟଲକ୍ଷ୍ୟରେ ବିଶ୍ୱ ଚମ୍ପିଆନ୍‍ ଇଂଲଣ୍ଡର ଓପ୍‍ନର ଜନି ବେୟାରଷ୍ଟୋ ୨ ରନ୍‍କରି ବିଦାୟ ନେଇଥିଲେ। ଜେସନ୍‍ ରୟ ୨୨ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୪ ରନ୍‍ କରିଥିଲେ। ଜେମ୍‍ସ ଭିନ୍‍ସ ୨୧ ବଲ୍‍ରୁ ୫ଟି ଚୌକା ସହ ୨୫ ରନ୍‍ କରିଥିଲେ। ନବାଗତ ବ୍ୟାଟ୍‍ସମ୍ୟାନ୍‍ ଟମ୍‍ ବାଣ୍ଟନ୍‍ ୧୧ ରନ୍‍କରି ଆଉଟ ହେବା ବେଳକୁ ଇଂଲଣ୍ଡର ସ୍କୋର୍‍ ଥିଲା ୪ ୱିକେଟରେ ୭୮ ରନ୍‍। ପରେ ଦୁଇ ଅଭିଜ୍ଞ ଖେଳାଳି ଅଧିନାୟକ ଇଓନ୍‍ ମୋର୍ଗାନ୍‍ ଓ ସାମ୍‍ ବିଲିଙ୍ଗ୍‍ସ ଆୟରଲାଣ୍ଡକୁ ମ୍ୟାଚ୍‍କୁ ଫେରିବାର ଦେଇନଥିଲେ। ଦୁହେଁ ଅବିଭାଜିତ ୫ମ ୱିକେଟ ପାଇଁ ୯୬ ରନ୍‍ ଯୋଡ଼ିଥିଲେ। ବାମହାତି ମୋର୍ଗାନ୍‍ ୪୦ ବଲ୍‍ରୁ ୨ଟି ଛକା ଓ ୪ଟି ଚୌକା ସହ ୩୬ ଏବଂ ବିଲିଙ୍ଗ୍‍ସ ବିସ୍ଫୋରକ ବ୍ୟାଟିଂକରି ୫୪ ବଲ୍‍ରୁ ୧୧ଟି ଚୌକା ସହ ୬୭ ରନ୍‍କରି ଅପରାଜିତ ଥିଲେ। କ୍ରେଗ୍‍ ୟଙ୍ଗ୍‍ ୨ଟି ୱିକେଟ ପାଇଥିଲେ। ଡେଭିଡ୍‍ ୱିଲି ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories