www.samajalive.in
Sunday, December 7, 2025
16.1 C
Bhubaneswar

ନୌପରିବହନ ଓ ବାଣିଜ୍ୟିକ ନିବେଶ ଲାଗି ମୋଦୀଙ୍କ ଆମନ୍ତ୍ରଣ: ‘ବୈଶ୍ବିକ ଅସ୍ଥିରତା ସତ୍ତ୍ବେ ଭାରତ ଆଶାର ବତିଘର’

ମୁମ୍ବଇ (ରଘୁନାଥ ମହାପାତ୍ର): ଭାରତର ନୌପରିବହନ ଓ ନୌବାଣିଜ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ଏବେ ହେଉଛି ସଠିକ୍ ସମୟ। ଭାରତର ମାରିଟାଇମ୍‌‌ ସେକ୍ଟର ଦ୍ରୁତଗତି ଓ ଶକ୍ତିର ସହିତ ଆଗକୁ ବଢ଼ୁଛି। କାରଣ ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ସରକାର ୧୦୦ ବର୍ଷର ପୁରୁଣା ଉପନିବେଶ ଆଇନକୁ ପରିବର୍ତ୍ତନ କରି ଆଧୁନିକ ଓ ଭବିଷ୍ୟତକୁ ଲକ୍ଷ୍ୟ ରଖି ନୂତନ ନିୟମ ପ୍ରଣୟନ କରିଛନ୍ତି। ଏହା ରାଜ୍ୟମାନଙ୍କର ବନ୍ଦର ବୋର୍ଡକୁ ଶକ୍ତିଶାଳୀ କରିବା ସହ ନିରାପତ୍ତା ଓ ଦୀର୍ଘସ୍ଥାୟିତ୍ବକୁ ସୁନିଶ୍ଚିତ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମୁମ୍ବଇରେ ଚାଲିଥିବା ଇଣ୍ଡିଆ ମାରିଟାଇମ୍‌‌ ୱିକ୍‌‌(ଆଇଏମଡବ୍ଲ୍ୟୁ)ର ସାମୁଦ୍ରିକ ନେତୃତ୍ବ ସମ୍ମେଳନକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରି କହିଲେ, ବିଶ୍ୱବ୍ୟାପୀ ଏବେ ଯୁଦ୍ଧର ଘନଘଟା, ବାଣିଜ୍ୟ କାରବାର, ଯୋଗାଣ ବ୍ୟବସ୍ଥା ଏବଂ ଅର୍ଥନୀତିରେ ଅସ୍ଥିରତା ସୃଷ୍ଟି ହୋଇଛି। ଏକ୍ଷେତ୍ରରେ ଭାରତ ଏକ ବତୀଘର(ଲାଇଟ୍‌‌ ହାଉସ୍‌‌) ଭଳି ଆଶାର ଆଲୋକ ଦେଖାଉଛି। କାରଣ ବୈଶ୍ବିକ ଅସ୍ଥିରତା ମଧ୍ୟରେ ଭାରତ ନିଜର ରଣନୀତିରେ ସ୍ଥିର ରହିଛି।

- Advertisement -

ଭାରତ ଏବେ ବନ୍ଦର ପରିଚାଳନାକୁ ଡିଜଟାଇଜେସନ କରିବା ସୁଯୋଗ ପାଇଛି। କେନ୍ଦ୍ର ସରକାରଙ୍କ ନୂଆ ସାମୁଦ୍ରିକ ନିୟମ ଆନ୍ତର୍ଜାତିକ ଆଧାରରେ ପ୍ରସ୍ତୁତ କରାଯାଇଛି। ଯଦ୍ଦ୍ବାରା ଭାରତର ସାମୁଦ୍ରିକ କ୍ଷେତ୍ରରେ ବ୍ୟବସାୟ କରିବାକୁ ସୁବିଧା ହେବ, ସରକାରୀ ହସ୍ତକ୍ଷେପ କମ୍‌ ରହିବ ଓ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି। ଏହା ପଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରୁଛି। ଏହା ସହିତ ଭାରତ ‘ଗୋଟିଏ ଦେଶ, ଗୋଟିଏ ବନ୍ଦର’ ପ୍ରକ୍ରିୟା ଭଳି ନୀତିକୁ ଆପଣାଯାଇଛି। ସବୁ ବନ୍ଦର ପରିଚାଳନାକୁ ବ୍ୟବସ୍ଥିତ କରାଯାଇଛି। ଏହାଦ୍ୱାରା ଦେଶର ପ୍ରମୁଖ ବନ୍ଦର ଗୁଡିକର କ୍ଷମତା ଦୁଇଗୁଣା ହୋଇପାରିଛି। କ୍ରୁଜ୍‌‌ ଟୁରିଜିମ୍‌‌ କ୍ଷେତ୍ରରେ ଅଗ୍ରଗତି ହୋଇଛି। ଦେଶର ଅନ୍ତର୍ଦେଶୀୟ ଜଳପଥ (ଇନଲ୍ୟାଣ୍ଡ ୱାଟର ୱେଜ୍‌‌)ରେ ପଣ୍ୟ (କାର୍ଗୋ) ପରିଚାଳନାରେ ୭୦୦ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏବେ ଦେଶରେ ୩୨ଟି ଇନଲ୍ୟାଣ୍ଡ ୱାଟର ୱେଜ୍‌‌ କାର୍ଯ୍ୟକ୍ଷମ ହୋଇପାରିଛି।

ଆମ ଦେଶର ବନ୍ଦର ଗୁଡିକର ମାଲ ପରିଚାଳନା କ୍ଷମତା ବିଗତ ୧୦ ବର୍ଷ ମଧ୍ୟରେ ୯ଗୁଣା ବୃଦ୍ଧି ପାଇଛି। ଭାରତର ବନ୍ଦର ଗୁଡିକ ଏବେ ବିକଶିତ ରାଷ୍ଟ୍ରଗୁଡିକ ତୁଳନାରେ ଭଲ ପ୍ରଦର୍ଶନ କରୁଛନ୍ତି। ଏବେ ଦେଶର ଯେକୌଣସି ସମୁଦ୍ର ତଟକୁ ଗଲେ ସେଠାରେ ଭାରତର ଜାହାଜ ଦେଖିବାକୁ ମିଳିବ। ଭାରତ ଏବେ ନୀଳ ଅର୍ଥନୀତି ଓ ଗ୍ରୀନ ଲଜିଷ୍ଟିକ୍‌‌ ଉପରେ ଗୁରୁତ୍ୱ ଦେଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାହାଜ ନିର୍ମାଣ କ୍ଷେତ୍ରକୁ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଭାରତ ଏକଦା ଜାହାଜ ନିର୍ମାଣର ପ୍ରମୁଖ ରାଷ୍ଟ୍ର ଥିଲା। ଭାରତରେ ତିଆରି ସିପ୍‌‌ ବିଲ୍ଡିଂ ଡିଜାଇନକୁ ଅନ୍ୟ ଦେଶମାନେ ଉପଯୋଗ କରି ନିଜର ବାହାଦୂରୀ ନେଉଥିଲେ। ସିପ୍‌‌ ବିଲ୍ଡିଂ କ୍ଷେତ୍ର ଲାଗି ସରକାର ୭୦, ୦୦୦ କୋଟି ଟଙ୍କାର ନିବେଶ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ସରକାର ପୁଞ୍ଜିନିବେଶକାରୀଙ୍କୁ କମ୍‌‌ ସୁଧରେ ଋଣ ପ୍ରଦାନ କରିବାକୁ ମଧ୍ୟ ପଦକ୍ଷେପ ନେଇଛନ୍ତି।

୨୦୧୬ରେ ପ୍ରଥମ କରି ଆରମ୍ଭ ହୋଇଥିବା ଇଣ୍ଡିଆ ମାରିଟାଇମ୍‌‌ ୱିକ୍‌‌ ଏବେ ଏକ ବିଶ୍ୱ ସମ୍ମିଳନୀରେ ପରିଣତ ହୋଇଛି। ମାରିଟାଇମ୍‌‌ ୱିକ୍‌ ୨୦୨୫ରେ ୮୫ଟି ରାଷ୍ଟ୍ର ଭାଗ ନେଇଛନ୍ତି। ଏଥିରେ ଦେଶ ତଥା ବିଦେଶର ବଡ ବଡ କମ୍ପାନୀର ସିଇଓ, ଷ୍ଟାର୍ଟଅପ୍‌‌, ନୀତି ନିର୍ଦ୍ଧାରକଙ୍କ ସମେତ ୧ ଲକ୍ଷରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ସମ୍ମିଳନୀରେ ୩୫୦ ଆନ୍ତର୍ଜାତିକ ବକ୍ତା ବିଭିନ୍ନ ଆଲୋଚନାରେ ଭାଗ ନେଇଛନ୍ତି। ଏଠାରେ ୫୦୦ରୁ ଅଧିକ କମ୍ପାନୀ ଓ ଷ୍ଟାର୍ଟଅପ୍‌‌ ପକ୍ଷରୁ ଷ୍ଟଲ ପଡ଼ିଛି। ଏହି ମାରିଟାଇମ୍‌‌ ୱିକ୍‌‌ ଅବସରରେ ୬୦୦ ଏମଓୟୁ ସ୍ୱାକ୍ଷର ହୋଇଛି। ଏହି ଏମଓୟୁ ଦ୍ୱାରା ଦେଶରେ ୧୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ।

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ, ରାଷ୍ଟ୍ରମନ୍ତ୍ରୀ ସାନ୍ତନୁ ଠାକୁର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ୍‌‌ ପାୱାର ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ଜାହାଜ ଚଳାଚଳ ଓ ଜାହାଜ ନିର୍ମାଣ କ୍ଷେତ୍ର ସହିତ ଜଡିତ ୨, ୨୦, ୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories