ପାଟଣା: କେନ୍ଦୁଝର ଜିଲା ସାନ ଗମ୍ଭାରିଆ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଗ୍ରାମର ଗୋବର୍ଦ୍ଧନ ମହାନ୍ତ(୩୫) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ଗୋବର୍ଦ୍ଧନ ନିଜ ବିଲରୁ ଘରକୁ ଫେରୁଥିବା ସମୟରେ ଗ୍ରାମର ଏକ ଦମ୍ପତି ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଗୋବର୍ଦ୍ଧନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗୋବର୍ଦ୍ଧନଙ୍କ ମୁଣ୍ଡରୁ ଗଭୀର ଆଘାତ ଲାଗିଛି। ଘଟଣା ସମ୍ପର୍କରେ ଗୋବର୍ଦ୍ଧନଙ୍କ ସ୍ତ୍ରୀ ଇନ୍ଦୁମତୀ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ପରିବାରକୁ ବାରମ୍ବାର ଏହିପରି ଆକ୍ରମଣ ହେଉଥିବା ସେ କହିଛନ୍ତି। ଏକ ମାସ ତଳେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଗ୍ରାମରେ ପଞ୍ଚାୟତ ବସି ସମାଧାନ ହୋଇଥିଲା।



