କଲକାତା : ଜାତୀୟ ରାଜଧାନୀ ଦିଲ୍ଲୀରେ ଜୁନ୍ ୧୫ରେ ହେବାକୁ ଥିବା ନିତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେନାହିଁ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ମମତା ଏହା ଜଣାଇଛନ୍ତି। ମମତା ପତ୍ରରେ ଲେଖିଛନ୍ତି ଯେ ନିତି ଆୟୋଗ ନିକଟରେ ଆର୍ଥିକ ଅଧିକାର ନାହିଁ ଓ ରାଜ୍ୟଗୁଡ଼ିକୁ ସହାୟତା ପ୍ରଦାନ ପାଇଁ ଅୟୋଗ ପାଖରେ କୌଣସି ଅଧିକାର ବି ନାହିଁ। ତେଣୁ ଏହି ବୈଠକରେ ଯୋଗଦେବା ନିରର୍ଥକ ଅଟେ।
ପ୍ରକାଶଯୋଗ୍ୟ ଯେ ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ମୋଦୀଙ୍କ ଉପରେ ବର୍ଷିଥିଲେ ଓ ବାରମ୍ବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଟିଏମସିର କଡ଼ା ନିର୍ବାଚନୀ ପ୍ରଚାର ସତ୍ତ୍ବେ ବିଜେପି ପଶ୍ଚିମବଙ୍ଗରେ ୪୨ରୁ ୧୮ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା। ୨୦୧୪ ଲୋକସଭା ଆସନରେ ମାତ୍ର ୨ଟି ଆସନ ଜିତିଥିବା ବିଜେପିର ଏହି ବଡ଼ ସଫଳତାରେ ମମତା ହତାଶ ହୋଇପଡ଼ିଛନ୍ତି। ଏହାପରେ ତୃଣ ମୂଳ କଂଗ୍ରେସ (ଟିଏମସି)ର କେତେକ ବିଧାୟକ ଓ ନେତା ଦଳ ଛାଡ଼ି ବିଜେପିରେ ଯୋଗଦେବା ଘଟଣାକୁ ନେଇ ମମତା ଚିନ୍ତିତ ଅଛନ୍ତି। ଏହି ସବୁ ଘଟଣାକୁ ନେଇ କ୍ଷୁବ୍ଧ ମମତା କେନ୍ଦ୍ର ସରକାରଙ୍କ କ୍ଷେତ୍ରରେ ଅସହଯୋଗ ପନ୍ଥା ଅବଲମ୍ବନ କରିଛନ୍ତି।
ନିତି ଆୟୋଗ ବୈଠକରେ ଯୋଗଦେବେନି ମମତା, ମୋଦୀଙ୍କୁ ଲେଖିଲେ ଚିଠି
Popular Categories



