ଡାଲମିଆ କମ୍ପାନୀକୁ ବିରୋଧ: ବିନା ଜନଶୁଣାଣିରେ ଆଦିବାସୀଙ୍କ ଭିଟାମାଟି ଛଡାଇବାକୁ ଉଦ୍ୟମ- ପ୍ରଫୁଲ୍ଲ ସାମନ୍ତରା

ମାଲକାନାଗିରି: ଲୋକଶକ୍ତି ଅଭିଯାନ ସଭାପତି, ଗ୍ରୀନ ନୋବେଲ ବିଜେତା ତଥା ପରିବେଶ ସୁରକ୍ଷା ଆନ୍ଦୋଳନର ନେତା ପ୍ରଫୁଲ୍ଲ ସାମନ୍ତରା କେତକ ଗବେଷକମାନଙ୍କ ସହ ଗତ ଦୁଇଦିନ ମାଲକାନଗିରି ଜିଲ୍ଲାର ଉଷ୍କାଲ୍ଲଭାଗ ଓ କତା ମାତୁର ଜଙ୍ଗଲ ପରିଦର୍ଶନ କରିଛନ୍ତି। ସେଠାରେ ଥିବା ବିଭିନ୍ନ ଜଙ୍ଗଲ ସମ୍ପଦ ଓ ତା’ ଉପରେ ନିର୍ଭର କରି ଜୀବନ ଜୀବିକା ଚଳାଉଥିବା ବିଭିନ୍ନ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଏହି ଦୁଇ ଜଙ୍ଗଲ ସାବେରୀ ନଦୀ କୂଳରେ ରହିଥିବାରୁ ପରିବେଶ, ଖାଦ୍ୟ ସୁରକ୍ଷା ଓ ନିରନ୍ତର ଜୀବିକା ଦୃଷ୍ଟିରୁ ଏହାର ସୁରକ୍ଷା ଓ ସଂରକ୍ଷଣ ଅତି ଜରୁରୀ। ମାଲକାନଗିରି ଜିଲ୍ଲାରେ ଗତ ଚାରି ଦଶକରେ ଅନେକ ଜଙ୍ଗଲ ଶେଷ ହୋଇଯାଇଛି। ତେଣୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଲକ୍ଷ ଲକ୍ଷ ଗ୍ରାମବାସୀଙ୍କ ଜୀବିକା ଓ ଖାଦ୍ୟସିରା ଦୃଷ୍ଟିରୁ ଏଠାର ଜଙ୍ଗଲ ଜଳ ଓ ଜମିର ସୁରକ୍ଷା ପ୍ରତି ପ୍ରାଥମିକତା ଦେବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ୨୦୦୬ରୁ ହୋଇଥିବା ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ, ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିନାହିଁ ଓ ଗ୍ରାମମାନଙ୍କୁ ଗୋଷ୍ଠିଗତ ଅଧିକାର ସମ୍ପୂର୍ଣ୍ଣ କରାଯାଇନାହିଁ। ଏବେ ଏହି ଦୁଇ ଜଙ୍ଗଲରେ ବିନା ଗ୍ରାମସଭାରେ ବିନା ଅନୁମତିରେ ନିଲାମ କରି ଡାଲମିଆ ଓ ଆଦାନୀ କମ୍ପାନୀକୁ ଖଣି ଲିଜ ଦିଆଯାଇଛି, ଯାହାଦ୍ବାରା ଆଇନ ଓ ସମ୍ବିଧାନକୁ ଉଲ୍ଲଂଘନ କରାଯାଇଛି। ଏହି ଦୁଇ ଜଙ୍ଗଲରେ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ବ ଏକରରେ ଖଣି ଖନନ ହେବାକୁ ଲିଜ୍ ଦିଆଯାଇଛି, ଯଦ୍ଵାରା ଶତାଧିକ ଗ୍ରାମ ଅତି ସାଙ୍ଘାତିକ ଭାବେ ଜୀବିକାରୁ ବଞ୍ଚିତ ହେବାସହ ଚୂନ ପଥର ବିସ୍ଫୋରଣ ଓ ସିମେଣ୍ଟ କାରଖାନାର ଶିକାର ହେବେ। ସାବେରୀ ନଦୀ ମଧ୍ୟ ବିଶେଷ ପ୍ରଭାବିତ ହେବ।

ପ୍ରଫୁଲ୍ଲ ସାମନ୍ତରା ଓ ଅଧ୍ୟୟନ ଦଳଙ୍କୁ ଗ୍ରାମବାସୀମାନେ କହିଛନ୍ତି, ଗତ ସରକାର ସେମାନଙ୍କ ବିନା ସମ୍ମତିରେ ବେଆଇନ ଭାବେ ଦେଇଥିବା ଖଣି ଲିଜ ବର୍ତ୍ତମାନର ସରକାର ପ୍ରତ୍ୟାହାର କରି ନେବା ଆବଶ୍ୟକ। ନଚେତ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ। ଉସ୍କାଲ ଗ୍ରାମରେ ହୋଇଥିବା ଆଲୋଚନା ସଭା ଜିଲ୍ଲା ଆଦିବାସୀ ସଂଘର ସମ୍ପାଦକ କମଲ ମାଝୀଙ୍କ ସଂଯୋଜନାରେ ହୋଇଥିଲା, ଯେଉଁଥିରେ ସେ ଅଞ୍ଚଳର ଆଦିବାସୀ ସମାଜର ନେତାମାନେ ଅଂଶଗ୍ରହଣ କରି ଖଣି ଖନନକୁ ବିରୋଧ କରିଛନ୍ତି।ଏଥିରେ କୃଷ୍ଣ ଚନ୍ଦ୍ର ମାଡ଼କାମି, ବୁଦ୍ରା ମାଦକାମି, ଆଇତା ମାଢ଼ି, ଇନ୍ଦୁମତି ପ୍ରମୁଖ ଯୁବକ ଯୁବତୀ ଓ ମାଆମାନେ ନିଜ ଭିଟାମାଟି ସୁରକ୍ଷା ପାଇଁ ଏକାଠି ହେବାକୁ ମତ ପ୍ରକାଶ କରିଥିଲେ। ସରକାର ବିକାଶ ନାମରେ ବିନାଶ ନ କରିବାକୁ ସେମାନେ ନିବେଦନ କରିଛନ୍ତି। ନିଜ ଅଧିକାର ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ଅହିଂସା ଆନ୍ଦୋଳନ କରିବାକୁ ପ୍ରଫୁଲ୍ଲ ସାମନ୍ତରା ପରାମର୍ଶ ଦେଇଛନ୍ତି।

Comments are closed.