www.samajalive.in
Thursday, December 11, 2025
27.1 C
Bhubaneswar

ମାହାଙ୍ଗା ଡବଲ ମର୍ଡରରେ ସଂପୃକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ଦାବିରେ ବିଧାନସଭା ଘେରାଓ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟବ୍ୟାପୀ ଚାଲିଥିବାବେଳେ ପ୍ରଥମେ ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଏହାକୁ ବିରୋଧ କରାଯାଇଥିଲା। ଶାସକ ଦଳ କର୍ମୀମାନେ ଏଥିରେ କ୍ରୋଧାନ୍ୱିତ ହୋଇ ସାଧାରଣ ଲୋକଙ୍କୁ ଭୟ ଦେଖାଇବା ପାଇଁ ଜାନୁଆରୀ ୨ ତାରିଖରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟ ସିଂ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ଷଡଯନ୍ତ୍ରରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ସତ୍ୱେ ପୋଲିସ ତାଙ୍କୁ ଗିରଫ କରିବା ତ ଦୂରର କଥା ତାଙ୍କୁ ଏଯାବତ୍ ତଦନ୍ତ ପରିସରଭୃକ୍ତ କରୁନାହିଁ। ମାହାଙ୍ଗା ଡବଲ ମର୍ଡରରେ ସଂପୃକ୍ତ ୧୩ ନମ୍ବର ମୁଦାଲା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ବିଧାନସଭା ଘେରାଓ କରାଯାଇଥିଲା।


ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ବିଜେପି ନେତା ଶାରଦା ପ୍ରଧାନ ସ୍ୱର ଉଠାଇଥିଲେ। ଏହି ଘଟଣାରେ ଶାସକ ଦଳ ନେତାଙ୍କ ପୋତ୍ସାହନରେ ବିଜେଡି କର୍ମୀମାନେ ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ଜାନୁଆରୀ ୨ ତାରିଖ ଦିନ ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟ ସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କଲେ। ହତ୍ୟାପରେ ବିଜେପି ପକ୍ଷରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ପ୍ରତିବାଦ କରି ସଦଭାବନା ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ବିଜେପି ନେତା ବିକାଶ ଜେନାକୁ ମଧ୍ୟ ହତ୍ୟା କରାଯାଇଥିଲା। ଅପରପକ୍ଷେ ଏହି ସବୁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ପ୍ରଫୁଲ ବିଶ୍ୱାଳଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେବା ପଛରେ ଶାସକ ଦଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ରହିଛି ବୋଲି ମୃତକ ପରିବାର ଲୋକ ଅଭିଯୋଗ କରିବା ପରେ ବି ପୋଲିସ ଚୁପ୍ ବସିଛି। ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏତଲାରେ ଥିବା ସତ୍ୱେ ଶାସକ ଦଳ ଚାପରେ ପୋଲିସ ତାଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ। ଏହା ବିରୁଦ୍ଧରେ ଜାନୁଆରୀ ୮ ତାରିଖରେ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ପୋଲିସ ମହାନିର୍ଦେଶକଙ୍କୁ ଭେଟି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ୧୦ ଦିନ ଭିତରେ ଘଟଣାର ତଦନ୍ତ କରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୃକ୍ତ କରିବେ ବୋଲି ପୋଲିସ ଡିଜି ବିଜେପି ପ୍ରତିନିଧୀ ଦଳକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ରାଜ୍ୟ ପୋଲିସ ପ୍ରଶାସନ ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁରକ୍ଷା ଦେଇଚାଲିଲେ। ଅପରପକ୍ଷରେ ଶାସକ ଦଳ ଇଙ୍ଗିତରେ ପୋଲିସ ପ୍ରଶାସନ ମାହାଙ୍ଗା ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେପି ନେତା ଶାରଦା ପ୍ରଧାନଙ୍କୁ ମିଥ୍ୟା ମକୋଦ୍ଦମାରେ ଫସାଇବା ପାଇଁ ଚକ୍ରାନ୍ତ କରିଛି। ଏଥିରୁ ପୋଲିସ ପ୍ରଶାସନ ରାଜ୍ୟ ସରକାରଙ୍କ ଗୋଡାଣିଆ ଓ ହାତବାରେସୀ ସାଜିଛି ବୋଲି ପ୍ରମାଣିତ ହୋଇଛି। ଏହାର ପ୍ରତିବାଦରେ ଗତ ୧୭ ତାରିଖ ଠାରୁ କଟକ ଜିଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଏକ ପଦଯାତ୍ରା ମାହାଙ୍ଗାରୁ ବାହାରି ଆଜି ବିଧାନସଭା ଘେରାଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା। ଆଜି ରାମମନ୍ଦିର ଛକରୁ ବିଶାଳ ଶୋଭାଯାତ୍ରା ବାହାରି ଲୋୟର ପିଏମଜି ଠାରେ ପହଞ୍ଚି ପ୍ରତିବାଦ କରିଥିଲା।

- Advertisement -


ଋାଜ୍ୟରେ ସାଧାରଣ ଲୋକ ନ୍ୟାୟ ପାଉନାହାଁନ୍ତି। ଏହା ପାଇଁ ବିଧାନସଭା ଆଗରେ ଆତ୍ମହୃତି ଦେବା ପାଇଁ ସେମାନେ ଏକ ଉପଯୁକ୍ତ ସ୍ଥାନ ଭାବେ ଗ୍ରହଣ କରିଛନ୍ତି। ସାଧାରଣ ଜନତା ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଆସ୍ଥା ହରାଇଛନ୍ତି ବୋଲି ପ୍ରମାଣିତ ହୋଇଛି। ନାଲି ଆଖି ଦେଖାଇ ବିରୋଧୀଙ୍କୁ ଡରାଇବା ବନ୍ଦ କରନ୍ତୁ ରାଜ୍ୟ ସରକାର ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ମାହାଙ୍ଗା ଡବଲ ମର୍ଡର ଘଟଣା ଓ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ପ୍ରସଙ୍ଗରେ ବିଧାନସଭାରେ ଅନେକ ଥର ଆଲୋଚନା ହୋଇଛି। ପବିତ୍ର ବିଧାନସଭା ଗୃହକୁ ହତ୍ୟା ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନା ଅପବିତ୍ର କରିଛନ୍ତି। ଆଗାମୀ ଦିନରେ ଅପବିତ୍ର କରିଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ଏହି ଲଢେଇ ବିଧାନସଭା ଭିତରେ ଏବଂ ବାହାରେ ଜାରି ରହିବ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି।
ବଂଟନରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶ ଓ ମାହାଙ୍ଗା ଡବଲ ମର୍ଡରରେ ସଂପୃକ୍ତ ଥିବା ମନ୍ତ୍ରୀ ପ୍ରତାପ ଜେନା ଗିରଫ ନହେବା ପର୍ଯ୍ୟନ୍ତ ବିଜେପି ରାଜରାସ୍ତାରେ ଲଢେଇ କରିବ। ଶାସକ ଦଳ ପ୍ରତିହିଂସା ପରାୟଣ ହୋଇ ଧମକ ଦେବାର କୁଅଭ୍ୟାସକୁ ବନ୍ଦ ନକଲେ ଆଗାମୀ ଦିନରେ ବିଜେପି ରାଜନୈତିକ ଲଢେଇ ଜରିଆରେ ଏହାର ଜବାବ ଦିଆଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ମୁଖ୍ୟମନ୍ତ୍ରୀ ହତ୍ୟକାରୀଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ଦୁର୍ନୀତି ଓ ହତ୍ୟାକାଣ୍ଡ ପ୍ରସଙ୍ଗକୁ ଏଡାଇବାକୁ ଯାଇ ବିଜେପି ନେତା ଶାରଦା ପ୍ରଧାନଙ୍କୁ ମିଛ କେସରେ ଫସାଇ ଦେବାର ଷଡଯନ୍ତ୍ର କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ବିରୁଦ୍ଧରେ ବିଜେପି ଲଢେଇ ଜାରି ରଖିବ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ବିଧାନସଭା ଘେରାଓ ସମୟରେ ପୋଲିସ ଓ ମହିଳା କାର୍ଯ୍ୟକର୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ସମୟରେ ଅନେକ ମହିଳା ଆହତ ହୋଇଛନ୍ତି। ବିଧାନସଭା ଘେରାଓ ସମୟରେ ବିଧାୟକ ଜୟନ୍ତ ଷଡଙ୍ଗୀ, ମୁକେଶ ମହାଲିଙ୍ଗ, ଆଦିତ୍ୟ ମାଢୀ, ରାଜ୍ୟ ସଂପାଦକ ଅମର ନାୟକ, ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ସୋନାଲୀ ସାହୁ, ବରିଷ୍ଠ ନେତା ପଦ୍ମଲୋଚନ ପଣ୍ଡା, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, କଟକ ସଦର ସଭାପତି ଲଲାଟେନ୍ଦୁ ବଡୁ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସୀସ ଆଚାର୍ଯ୍ୟ, ସଂଖ୍ୟାଲଘୁ ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, ଦିଲୀପ ମଲ୍ଲିକ, ଜଗନ୍ନାଥ ପ୍ରଧାନ, ବବିତା ମଲ୍ଲିକ, ରଶ୍ମିରେଖା ଦାସ, ଛବି ମଲ୍ଲିକ, ଶୁଭ୍ରାଂଶୁ ପାଢୀ, ବିଜୟ କୁମାର ଦଳବେହେରାଙ୍କ ସମେତ ହଜାର ହଜାର ସଂଖ୍ୟାରେ ଯୁବ ମହିଳା କାର୍ଯ୍ୟକର୍ତା ସାମିଲ ଥିଲେ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories