ମହାନଦୀରେ ବନ୍ୟା ଆଶଙ୍କା; ବଢୁଛି ୮ ନଦୀ
ଭୁବନେଶ୍ୱର : ଲଘୁଚାପଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେବାର ଆଶଙ୍କା ରହିଛି। ବୁଧବାର ହୀରାକୁଦର ଗୋଟିଏ ଫାଟକ ଖୋଲାଯିବ। ମହାନଦୀ ନିମ୍ନ ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ଆସନ୍ତା ୧୫ତାରିଖ ସକାଳ ୬ଟାରୁ ୧୦ଟା ମଧ୍ୟରେ ମୁଣ୍ଡଳୀ ଦେଇ ୧୧.୫ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ଜଳସମ୍ପଦ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହାଦ୍ବାରା ମହାନଦୀ ଓ ଏହାର ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଉପୁଜିବାର ଆଶଙ୍କା ରହିଛି। ତେଣୁ ପରିସ୍ଥିତିର ମୁକାବିଲା ପାଇଁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।
ସୁନ୍ଦରଗଡ଼ରେ ଇବ, ଜେନାପୁରଠାରେ ବ୍ରାହ୍ମଣୀ, ଆନନ୍ଦପୁର ଓ ଆଖୁଆପଦାଠାରେ ବୈତରଣୀ, ଜାମଶୋଳାଘାଟ ଓ ରାଜଘାଟଠାରେ ସୁବର୍ଣ୍ଣରେଖା, କାଶୀନଗରଠାରେ ବଂଶଧାରା, ପୁରୁଷୋତ୍ତମପୁରଠାରେ ଋଷିକୂଲ୍ୟା ଜଳସ୍ତର ବଢ଼ୁଥିବା ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି। କାଶୀନଗରଠାରେ ବଂଶଧାରା ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦସଙ୍କେତ ୫୪.୬୦ମିଟର ଥିବାବେଳେ ସନ୍ଧ୍ୟା ସୁଦ୍ଧା ଜଳସ୍ତର ୫୪.୭୪ମିଟର ଉପରେ ପ୍ରବାହିତ ହେଉଥିଲା। ଜଳସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବଲାଙ୍ଗୀରରେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ୫୦୦ମିମି ବର୍ଷା ହୋଇଥିବାରୁ ତେଲ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି। ମଙ୍ଗଳବାର ରାତି ୮ଟା ସୁଦ୍ଧା ତେଲ ନଦୀରେ ୯ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଥିଲା। ପଥର୍ଲାଠାରେ ୯ଲକ୍ଷ ୨୫ହଜାର ୮୪୦କ୍ୟୁସେକ ପାଣି ପ୍ରବାହିତ ହେଉଥିବାବେଳେ ଖଇରମାଳଠାରେ ୧୦ଲକ୍ଷ ୬୦ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିଲା। ତେବେ ଆସନ୍ତା ୧୫ତାରିଖ ସକାଳ ସୁଦ୍ଧା ମୁଣ୍ଡଳୀ ଦେଇ ୧୧ଲକ୍ଷ କ୍ୟୁସେକରୁ ଅଧିକ ଜଳ ନିଷ୍କାସିତ ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ ଜଳସ୍ତର ୬୧୭.୦୬ ଫୁଟକୁ ବୃଦ୍ଧି ପାଇଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ୧,୦୭,୪୦୦ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୧୬, ୮୩୦ ଘନଫୁଟ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳ ଧାରଣା କ୍ଷମତା ୬୩୦ ଫୁଟ ରହିଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳ ନିଷ୍କାସିତ କରାଯାଉଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ତାଳଚେର ଓ ପାନପୋଷରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାବେଳେ ଚମ୍ପୁଆରେ ବୈତରଣୀ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହି ନଦୀକୂଳର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବା ଆଶଙ୍କା ମଧ୍ୟ ରହିଛି। ଅନ୍ୟପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ବିଶେଷ ଭାବେ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ(ସଚିବାଳୟ)ରେ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର ଓ କନ୍ଧମାଳ ଆଦି ୫ଟି ଜିଲାରେ ପ୍ରବଳ ବର୍ଷା ଯୋଗୁଁ ଦେଖାଦେଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ୫ ଜିଲାର ବନ୍ୟା ବିପନ୍ନଙ୍କ ଲାଗି ୭ ଦିନ ଲାଗି ରିଲିଫ୍ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବୟସ୍କଙ୍କ ଲାଗି ୬୦ ଟଙ୍କା ଓ ପିଲାଙ୍କୁ ଦୈନିକ ୪୦ ଟଙ୍କାର ରିଲିଫ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଭିଡ଼ିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜିଲାର ଜିଲାପାଳଙ୍କ ସହିତ ଆଲୋଚନା କରିଥିଲେ। ବର୍ଷା ଓ ବନ୍ୟାରେ ୭ଟି ଜିଲାର ୧୯ଟି ବ୍ଲକର ୧୩୪ଟି ଗ୍ରାମ ଓ ୬ଟି ଅର୍ବାନ ଲୋକାଲ ବଡ଼ିର ୨୦୫୫୫୦ ଲୋକ ପ୍ରଭାବିତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ବର୍ଷା ଓ ବନ୍ୟାରେ ୧୦୯ ଘର ଭାଙ୍ଗିଥିବାବେଳେ ୪୧,୬୭୫ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିପନ୍ନଙ୍କୁ ୧୧୫ଟି ରିଲିଫ କେନ୍ଦ୍ରରେ ରନ୍ଧାଖାଦ୍ୟ ଯୋଗାଇଦିଆଯାଉଛି।
ବଲାଙ୍ଗୀରରେ ସର୍ବାଧିକ ୫ଟି ବ୍ଳକର ୩୮ଟି ଗ୍ରାମ ଏବଂ ୫ଟି ସ୍ବାୟତ୍ତ ଶାସନ ସଂସ୍ଥାର ମୋଟ ୧ଲକ୍ଷ ୫୦ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ଏଠାରେ ୧୬,୩୯୭ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୧୨ଟି ଜିଲାରେ ଗୋଟିଏ ଲେଖାଏଁ ଏବଂ ବଲାଙ୍ଗିରରେ ୩ଟି ଓଡ଼୍ରାଫ ୟୁନିଟ ମୁତୟନ କରାଯାଇଛି। ମୋଟ ୧୫ଟି ଓଡ଼୍ରାଫ, ୩ଟି ଏନଡ଼ିଆରଏଫ ଟିମ୍ ନିୟୋଜିତ କରାଯାଇଛି। ଜୁନ ପହିଲାରୁ ଏ ପର୍ଯ୍ୟନ୍ତ ପ୍ରବଳ ବଷା ଓ ପରବର୍ତ୍ତୀ ବନ୍ୟାରେ ୯ଜଣ ପ୍ରାଣ ହରାଇଲେଣି। କଳାହାଣ୍ଡିରେ ଜଣେ କାନ୍ଥପଡ଼ି ଓ ଜଣେ ଭାସିଯାଇ ପ୍ରାଣ ହରାଇଥିବାବେଳେ କନ୍ଧମାଳରେ ଭାସିଯାଇ ୨ଜଣଙ୍କ ମୃତ୍ୟୁ ଘଟିଛି। କୋରାପୁଟରେ ଜଣକର କାନ୍ଥପଡ଼ି ମୃତ୍ୟୁ େହାଇଥିବାବେଳେ ମାଲକାନଗିରିରେ ଜଣକର ସର୍ପାଘାତରେ ଏବଂ ଅନ୍ୟ ଜଣକର କାନ୍ଥ ପଡ଼ି ମୃତ୍ୟୁ ହୋଇଛି। ନବରଙ୍ଗପୁରରେ ଜଣକର କାନ୍ଥପଡ଼ି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୋନପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୋଳ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ୧୩ଟି ଜିଲାର ଜିଲାପାଳଙ୍କ ସହିତ ଭିଡ଼ିଓକନଫରେନ୍ସିଂ ଯୋଗେ ଜିଲାସ୍ତରରେ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରି ପରିସ୍ଥିତିର ମୁକାବିଲା ପାଇଁ ନିର୍ଦେଶ ଦେଇଥିବା ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.