କେନ୍ଦୁଝରଗଡ଼ : ଘଟଗାଁସ୍ଥିତ ମା’ତାରିଣୀ ପୀଠରେ ମା’ଙ୍କ ୮୭ତମ ଚଇତିପର୍ବ ଅବସରରେ ଶୁକ୍ରବାର ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଧୂମଧାମରେ ପାଳିତ ହୋଇଛି। ପବିତ୍ର ପଣାସଂକ୍ରାନ୍ତିରେ ମା’ଙ୍କ ସାନିଧ୍ୟ ଲାଭ କଲେ ବହୁ ପୂଣ୍ୟ ମିଳିବା ସହ ସକଳ ଦୁଃଖ ଦୂର ହୋଇଥାଏ ଏହି ବିଶ୍ୱାସରେ ଜିଲା ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ଶୁକ୍ରବାର ଭୋରରୁ ଧାଡି ବାନ୍ଧି ଶୃଙ୍ଖଳାର ସହ ମା’ଙ୍କୁ ଦର୍ଶନ ସହ ଭୋଗଲାଗି କରିଛନ୍ତି। ମା’ତାରିଣୀଙ୍କ ପ୍ରସିଦ୍ଧ ଚଇତିପର୍ବ ସାଙ୍ଗକୁ ପଣାସଂକ୍ରାନ୍ତି ଉପଲକ୍ଷେ ଭକ୍ତଙ୍କ ପ୍ରବଳ ଭିଡକୁ ଆଖି ଆଗରେ ରଖି ଭୋର ୪ଟାରୁ ମା’ଙ୍କ ସକାଳ ନୀତି ଶେଷ ପରେ ୫ଟାରୁ ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ଉନ୍ମୁକ୍ତ ରଖାଯାଇଥିଲା।
ଶୃଙ୍ଖଳିତ ଭାବେ ଭକ୍ତଗଣ କିଭଳି ମା’ଙ୍କ ସୁନାବେଶ ଦର୍ଶନ କରିବେ ସେ ନେଇ ମନ୍ଦିର ବେଢ଼ା ଭିତରେ ଓ ବାହାରେ ବ୍ୟାରିକେଡ ନିର୍ମାଣ କରାଯାଇ ପୁଲିସ ବାହିନୀ ସହ ସ୍ୱେଛାସେବୀ ମୁତୟନ ହୋଇ ଭକ୍ତଙ୍କୁ ଦର୍ଶନରେ ସହାୟତା କରିଥିଲେ। ଭକ୍ତଙ୍କ ଭିଡକୁ ମନ୍ଦିର ପରିସରରେ ଏଡାଇବା ପାଇଁ ଜଣପ୍ରତି ଭକ୍ତଙ୍କୁ ସର୍ବାଧିକ ୨ଟି ନଡିଆ ମା’ଙ୍କ ନିକଟରେ ଭୋଗଲାଗି ପଦକ୍ଷେପ କିଛି ମାତ୍ରାରେ ଭିଡକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିବା ଦେଖିବାକୁ ମିଳିଥିଲା। ପଣା ସଂକ୍ରାନ୍ତି ଅବସରରେ ମା’ଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା।
ସେହିଭଳି ପ୍ରତିବର୍ଷ ଭଳି ତାରିଣୀ ସେବା ସମିତି ବଣିକ ସଂଘ କେନ୍ଦୁଝର ପକ୍ଷରୁ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ଶ୍ରୀ ସତ୍ୟସାଇ ସେବା ସମିତି ଓ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ଗଠିତ ଆଦିତ୍ୟ ବାହିନୀ ସ୍ୱେଛାସେବୀଙ୍କ ଦ୍ୱାରା ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଧାଡିରେ ଶୃଙ୍ଖଳିତ ଭାବେ ଯାତାୟାତର ତଦାରଖ ବ୍ୟବସ୍ଥା ସହ ମନ୍ଦିର ବେଢ଼ା ଭିତରେ ଓ ବାହାରେ ସ୍ୱଛତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ଏହି ଅବସରରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଘଟଗାଁ କେନ୍ଦ୍ର ପକ୍ଷରୁ ଚୈତନ୍ୟ ଝାଙ୍କି ପ୍ରଦର୍ଶନ ଏବଂ ଟ୍ରଷ୍ଟ ପକ୍ଷରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭଜନ ସମାରୋହ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇ ମା’ଙ୍କ ଦର୍ଶନ ପାଇଁ ଦୁରଦୁରାନ୍ତରୁ ଆସୁଥିବା ଭକ୍ତଙ୍କ ଯାନକୁ ୨୦ନଂ ଜାତୀୟ ରାଜପଥର ଉଭୟ ଦିଗରେ ମନ୍ଦିର ପୁର୍ବରୁ ପାର୍କିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।
ଘଟଗାଁ ମା’ତାରିଣୀ ପୀଠରେ ମହାବିଷୁବ ସଂକ୍ରାନ୍ତି
Popular Categories



