ମାଲକାନଗିରି: କରୋନା ଭୂତାଣୁ ବିରୋଧରେ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି। ପୂରା ଦେଶକୁ କରୋନା କବଳରୁ ରକ୍ଷା କରିବା ଲାଗି ଲୋକମାନେ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀମାନେ ନିବେଦନ କରିଛନ୍ତି। କିନ୍ତୁ ଲୋକେ ଏହାକୁ ମାନୁନାହାନ୍ତି। କେଉଁଠି ଲୋକେ ବାହାନା କରି ଗାଡ଼ି ଧରି ରାସ୍ତାରେ ବୁଲୁଛନ୍ତି ତ ଆଉ କେଉଁଠି ହାଟ ବଜାରରେ ଲୋକେ ଭିଡ଼ ଜମାଉଛନ୍ତି। ରାଜଧାନୀ ଭୁବନେଶ୍ଵର ଏବଂ କଟକ ଭଳି ସ୍ଥାନରେ ଏଭଳି ଦୃଶ୍ୟ ଅଧିକ ଦେଖିବାକୁ ମିଳିଛି। ଆଧୁନିକ ସମାଜରେ ବସବାସ କରୁଥିଲେ ବି ଏଠାକାର ଲୋକେ କରୋନାର ଭୟାବହତା ନେଇ ଏତେ ସଚେତନ ଥିବା ମନେ ହେଉନାହିଁ। ମାତ୍ର ମାଲକାନଗିରି ଭଳି ଅପହଞ୍ଚ ଓ ଆଦିବାସୀ ଅଞ୍ଚଳରେ ଲୋକଙ୍କ ନିକଟରେ ବେଶୀ ସଚେତନତା ଦେଖିବାକୁ ମିଳିଛି। ଲୋକେ ହାଟକୁ ଗଲେ ବି ସାମାଜିକ ଦୂରତ୍ଵ ରକ୍ଷା କରୁଛନ୍ତି। ଶାନ୍ତି ଶୃଙ୍ଖଳା ବଜାୟ ରଖୁଛନ୍ତି। ଅତି ଆବଶ୍ୟକ ନ ଥିଲେ ଘରୁ ବାହାରୁ ନାହାନ୍ତି, ଯାହା ଭୁବନେଶ୍ଵର ଏବଂ କଟକ ଭଳି ସହରରେ କ୍ବଚିତ ଦେଖିବାକୁ ମିଳୁଛି।

ମାଲକାନଗିରି ସଦର ମହକୁମାରେ ରାସ୍ତା ପାର୍ଶ୍ଵରେ ହାଟ ବସୁଛି। କିନ୍ତୁ ଲୋକେ ଯେପରି ଗହଳି ନ କରିବେ ପ୍ରତ୍ୟେକ ଦୋକାନ ଆଗରେ ପ୍ରଶାସନ ପକ୍ଷରୁ ରେଖାଙ୍କିତ ଚିହ୍ନ କରାଯାଇଛି, ଯାହାର ଦୂରତା ଦେଢ଼ ମିଟରରୁ ଅଧିକ ରହଛି। ସେହିଠାରେ ଛିଡ଼ା ହୋଇ ଜଣ ଜଣ କରି ଦୋକାନକୁ ଆସି ସାମଗ୍ରୀ ନେବାକୁ ଦୋକାନୀମାନେ ବି ସଚେତନ କରାଉଛନ୍ତି।
କିନ୍ତୁ ରାଜଧାନୀ ଭୁବନେଶ୍ଵରରେ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ବୁଧବାର ବଡ଼ଗଡ଼ ହାଟରେ ଲୋକେ ଭିଡ଼ ଜମାଇବା ସହିତ ଅତି ନିକଟତର ହୋଇ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଥିଲା। ସେହିପରି କଟକ ଛତ୍ରବଜାର ଅଞ୍ଚଳରେ ବି ଅନୁରୂପ ଦୃଶ୍ୟ ସାମ୍ନାକୁ ଆସିଥିଲା।



