ମୃତ ବ୍ୟକ୍ତିଙ୍କ ନାଁରେ କୋଟିଏରୁ ଊର୍ଦ୍ଧ୍ବ ବୀମା ଟଙ୍କା ହଡ଼ପ, ଏଲଆଇସି ଏଜେଣ୍ଟ ଗିରଫ

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ନାଁରେ ବୀମା ଟଙ୍କା ହଡ଼ପ ଅଭିଯୋଗରେ ଜଣେ ଏଲଆଇସି ଏଜେଣ୍ଟଙ୍କୁ ଗିରଫ କରିଛି ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା। ଗିରଫ ଅଭିଯୁକ୍ତ ହେଉଛନ୍ତି ପୁରୀ ଜିଲା କଣାସ ଅଞ୍ଚଳର ଏଲଆଇସି ଏଜେଣ୍ଟ କବିରାଜ ବେହେରା। ସେ ୪ ଜଣ ମୃତବ୍ୟକ୍ତିଙ୍କ ନାଁରେ ୨୩ଟି ପଲିସି କରି ୧ କୋଟି ୧୮ ଲକ୍ଷ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ତାଙ୍କୁ ଗିରଫ କରାଯାଇ ଖୋର୍ଦ୍ଧା ଏସଡିଜେଏମ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, ଅଭିଯୁକ୍ତ କବିରାଜ ୨୦୧୩ରୁ ୨୦୧୯ ମଧ୍ୟରେ ଏହି ଠକେଇ କରିଛନ୍ତି । ଚଞ୍ଚକତା କରି ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ସେ ୨୩ଟି ବୀମା କରିଥିଲେ । ପଲିସିଗୁଡ଼ିକୁ ୨-୫ ବର୍ଷ ଯାଏ ସଚଳ ରଖି ପ୍ରିମିୟମ ମଧ୍ୟ ଭରୁଥିଲେ । ଏହାପରେ ମିଛ ମୃତ୍ୟୁ ପ୍ରମାଣପତ୍ର ଦେଇ ବୀମା ରାଶି ପାଇଁ ଦାବି କରିଥିଲେ। ୫ଟି ପଲିସି ଉପରେ ଡେଥ୍ କ୍ଲେମ୍ ଦ୍ୱାରା ଏଲଆଇସି ୧ କୋଟି ୧୮ ଲକ୍ଷ ଟଙ୍କା ଦେଇଛି । ଏନେଇ ଅର୍ଥନୈତିକ ଅପରାଧ ଶାଖାରେ ଖୋର୍ଦ୍ଧା ଏଲଆଇସି ଶାଖା ପକ୍ଷରୁ ଅଭିଯୋଗ ହୋଇଥିଲା । ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଆହୁରି ଏକାଧିକ ମୃତକଙ୍କ ନକଲି ବୀମା କରି କୋଟି କୋଟି ଟଙ୍କା ହଡ଼ପ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । କବିରାଜଙ୍କ ଘରେ ଚଢାଉ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ନୋମିନି ଏବଂ ଏକାଧିକ ଲୋକଙ୍କ ଜାଲ୍‌ ପ୍ରମାଣପତ୍ର ମିଳିଛି।

 

 

Comments are closed.