ଲାଞ୍ଜିଗଡ଼ ବ୍ଲକ ପ୍ରାଣୀ ସଂପଦ ବିଭାଗ; ଦୁଃଖ ପାଲଟିଛି ଦୁର୍ଗମ ଅଞ୍ଚଳ ସହ କର୍ମଚାରୀ ଅଭାବ ସମସ୍ୟା

ସରକାରୀ ଅନୁଦାନ ଓ ସବସିଡି ଦେଇଛି ଜୀଇଁବାର ରାହା

ଲାଞ୍ଜିଗଡ଼: ମଣିଷ ଭଳି ଗାଈଗୋରୁ, ଛେଳି, ମେଣ୍ଢା, କୁକୁଡ଼ା ଆଦି ଗୃହପାଳିତ ଜୀବମାନଙ୍କ ପାଇଁ ପ୍ରାଣୀ ସଂପଦ ବିଭାଗ ରହିଥିବାବେଳେ ରାଜ୍ୟ ସରକାର ପ୍ରାଣୀ ସଂପଦର ରକ୍ଷଣାବେକ୍ଷଣ ସହିତ ଏ ଦିଗରେ ଲୋକଙ୍କୁ ସ୍ୱାବଲମ୍ବୀ ହେବାକୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ତେବେ ବିଭିନ୍ନ ସ୍ଥାନରେ କର୍ମଚାରୀ ଅଭାବ ସମସ୍ୟା ଯୋଗୁଁ ପ୍ରାଣୀ ସଂପଦ ବିଭାଗର ଲକ୍ଷ୍ୟ ସାଧିତ ହୋଇପାରୁନାହିଁ । ଏହିପରି ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପ୍ରାଣୀ ସଂପଦ ବିଭାଗରେ କର୍ମଚାରୀ ଅଭାବ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବାବେଳେ ସୀମିତ ସଂଖ୍ୟକ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତର ୪୮୩ ଗୋଟି ଗାଁକୁ ସେବା ଯୋଗାଇଦେବା ସମ୍ଭବପର ହୋଇପାରୁନାହିଁ । ବ୍ଲକରେ ଜଣେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ରହିଥିବାବେଳେ ତାଙ୍କ ଅଧୀନରେ ଦୁଇଜଣ ପ୍ରାଣୀ ଚିକିତ୍ସା ଅଧିକାରୀ ରହିଛନ୍ତି । ତେବେ ମୋବାଇଲ ପ୍ରାଣୀ ସଂପଦ ୟୁନିଟର ପ୍ରାଣୀ ଚିକିତ୍ସା ଅଧିକାରୀ, ଜଣେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ୧୧ ଜଣରୁ ୬ ଜଣ ପ୍ରାଣୀ ନିରୀକ୍ଷକ ଆଦି ପଦବୀ ଖାଲି ରହିଛି । ଯାହାଫଳରେ ବ୍ଲକରେ ପ୍ରାଣୀ ସଂପଦର ରକ୍ଷଣାବେକ୍ଷଣ, ଚିକିତ୍ସା ଓ ଟୀକାଦାନ ଆଦି ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖାଦେଇଛି । ବିଭାଗୀୟ ଆକଳନ ଅନୁଯାୟୀ ବ୍ଲକରେ ୨୨,୩୦୪ ସଂଖ୍ୟକ ଗାଈଗୋରୁ, ୪୬୩୩ ସଂଖ୍ୟକ ମଇଁଷି, ୨୬ ୩୭୨ଗୋଟି ଛେଳି, ୨୧୨୭ ଗୋଟି ମେଣ୍ଢା, ୩୫୬୨୮ ସଂଖ୍ୟକ କୁକୁଡା ଆଦି ଥିବା ସୂଚନା ମିଳିଛି । ସେହିପରି ଗାଈଗୋରୁ, ଛେଳିମେଣ୍ଢା ଆଦି ପ୍ରାଣୀ ସଂପଦ ୧୫ରୁ ଅଧିକ ପ୍ରକାର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥିବାବେଳେ ସରକାରଙ୍କ ପ୍ରାଣୀ ବିଭାଗ ପକ୍ଷରୁ ସେମାନଙ୍କୁ ବିନା ମୂଲ୍ୟ କିମ୍ବା ସ୍ୱଳ୍ପମୂଲ୍ୟରେ ୧୨ ପ୍ରକାରର ଟୀକା ଉପଲବ୍ଧ କରାଯାଉଛି । ତେବେ କର୍ମଚାରୀ ଅଭାବ ଯୋଗୁଁ ଏଥିରେ ସମସ୍ୟା ଦେଖାଦେଇଛି । ତେବେ କର୍ମଚାରୀ ଅଭାବ ସତ୍ତ୍ୱେ ଗତ ତିନିବର୍ଷ ମଧ୍ୟରେ ପ୍ରାଣୀ ସଂପଦ ବିଭାଗ ତରଫରୁ ହିତାଧିକାରୀମାନଙ୍କ ପାଇଁ ବେଶ୍ କିଛି ଯୋଜନାର ଲାଭ ମିଳିଥିବାବେଳେ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଉପକୃତ ହୋଇଥିବା ଜଣାପଡିଛି । ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୧୨ ଜଣ ହିତାଧିକାରୀ ୫୦୦ ବ୍ରଏଲର ଚିଆଁ ପାଇଁ ୧ ଲକ୍ଷ ୮୦ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଥିବାବେଳେ ୧୦୦୦ ବ୍ରଏଲର ଯୋଜନାରେ ୪ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ଲକ୍ଷ ୬୦ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଥିଲା । ସେହିପରି ୩୦ଗୋଟି ମାଈ ଛେଳି ଓ ଦୁଇଟି ବୋଦା ପାଇଁ ବ୍ଲକର ୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୨ ଲକ୍ଷ ୩୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ଗୋଟିଏ ଧଳା ଘୁଷୁରୀ ଫାର୍ମ ପାଇଁ ୪ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି । ସେହିପରି ୨୦୨୨-୨୩ରେ ୫୦୦ ବ୍ରଏଲର କୁକୁଡା ଯୋଜନାରେ ୧୭ଜଣ ହିତାଧିକାରୀଙ୍କୁ ଆର୍ଥିକ ଅନୁଦାନ ଦିଆଯାଇଥିବାବେଳେ ୧୦୦୦ ବ୍ରଏଲର ଯୋଜନାରେ ୧୧ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ଲକ୍ଷ ୬୦ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି । ସେହିପରି ୩୦ ଗୋଟି ମାଈ ଛେଳି ଓ ଦୁଇଟି ବୋଦା ଯୋଜନାରେ ୫୬ ଗୋଟି ଆଦିବାସୀ ପରିବାରଙ୍କୁ ୧୦୦ ପ୍ରତିଶତ ସବସିଡି ସହିତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହାସହିତ ୩ ଗୋଟି ଧଳାଘୁଷୁରୀ ଫାର୍ମ ପାଇଁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ।

ଅପରପକ୍ଷରେ ଚଳିତ ବର୍ଷ ୫୦୦ ବ୍ରଏଲର ଯୋଜନାରେ ୨୧ ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଥିବାବେଳେ ୧୮ଗୋଟି ପ୍ରକଳ୍ପ କାର୍ଯ୍ୟ ସରିଛି । ଚଳିତ ବର୍ଷ ୧୦୦୦ ବ୍ରଏଲର ଯୋଜନା ୨୦୦୦କୁ ବର୍ଦ୍ଧିତ ହୋଇଥିବାବେଳେ ୧୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ୧୧ ଗୋଷ୍ଠୀର ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି । ତେବେ ସବୁଠୁ ବଡ କଥା ହେଲା ୫୦୦ ବ୍ରଏଲର ଯୋଜନାରେ ୧ ଲକ୍ଷ ୮୦ ହଜାର ଅନୁଦାନ ମଧ୍ୟରୁ ୭୨ ହଜାର ଟଙ୍କା ସବସିଡି, ୧୦୦୦ ବ୍ରଏଲର ଯୋଜନାରେ ୩ ଲକ୍ଷ ୬୦ ହଜାରର ଅନୁଦାନ ମଧ୍ୟରୁ ୧ ଲକ୍ଷ ୪୪ ହଜାର ସବସିଡି, ୨୦୦୦ ବ୍ରଏଲର ଯୋଜନାରେ ୨ ଲକ୍ଷ ୮୮ ହଜାର ଟଙ୍କାର ସବସିଡି, ଛେଳି ପାଇଁ ୨ ଲକ୍ଷ ୩୦ ହଜାର ଅନୁଦାନ ମଧ୍ୟରୁ ୧ ଲକ୍ଷ ୧୫ ହଜାର ଟଙ୍କା ସବସିଡି ବର୍ତ୍ତମାନ ଏହା ୧ ଲକ୍ଷ ୩୮ହଜାର ଟଙ୍କା, ଧଳା ଘୁଷୁରି ଫାର୍ମ ପାଇଁ ୪ ଲକ୍ଷ ଟଙ୍କା ଅନୁଦାନ ମଧ୍ୟରୁ ୧ ଲକ୍ଷ ୬୦ ହଜାର ଟଙ୍କା ସବସିଡି ଦିଆଯାଉଛି । ଯାହା ବ୍ଲକର ଗରିବ ଚାଷୀ, ହିତାଧିକାରୀଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହୋଇଛି ।

Comments are closed.