ପୋଙ୍ଗୟାଙ୍ଗ: ସାରା ବିଶ୍ବ ଏବେ କରୋନାକୁ ନେଇ ବ୍ୟସ୍ତ ବିବ୍ରତ । ବିଭିନ୍ନ ଦେଶରେ କରୋନା ସଂକ୍ରମଣରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ମୃତକଙ୍କ ସଂଖ୍ୟା ବଢ଼ୁଛି । ମାତ୍ର ଏକମାତ୍ର ଦେଶ ଉତ୍ତରକୋରିଆ ଯେଉଁଠି କରୋନା ନେଇ କିଛି ଖବର ନାହିଁ । ସତରେ ଚୀନର ଏହି ମିତ୍ରଦେଶ କରୋନା ଛାୟାରୁ ବର୍ତି ଯାଇଛି ନାଁ ଏକଛତ୍ର ଶାସକ କିମ୍ ତାଙ୍କ ଦେଶର କରୋନା ସତ୍ୟକୁ ଲୁଚାଉଛନ୍ତି ତାହାକୁ ନେଇ ଏବେ ପୁରା ବିଶ୍ବରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଦେଶର ଲୋକସଂଖ୍ୟା ପ୍ରାୟ ଅଢ଼େଇ କୋଟି ଏବଂ ଜନ ଘନତ୍ବ ପ୍ରତି ବର୍ଗକିଲୋମିଟର ପିଛା ୨୧୪ ।
ଅବଶ୍ୟ ଏ କଥା ସତ ଯେ ଉତ୍ତରକୋରିଆରେ ସ୍ବାସ୍ଥ୍ୟସେବା କିଛିଟା ଭଲ ରହିଛି । ଏହି ଦେଶ ପ୍ରତିରକ୍ଷା ସାମଗ୍ରୀ, କ୍ଷେପଣାସ୍ତ୍ର ଓ ବୋମା ନିର୍ମାଣ ପାଇଁ ଯେତିକି ଗୁରୁତ୍ବ ଦେଇ ଆସୁଛି, ସ୍ବାସ୍ଥ୍ୟସେବାରେ ନିଯୁକ୍ତ ଡ଼ାକ୍ତରମାନଙ୍କୁ ମଧ୍ୟ ସେହି ଅନୁପାତରେ ପ୍ରଶିକ୍ଷଣ ଦିଆଯାଉଛି । ୟୁରୋପୀୟ ଓ ଆମେରିକୀୟ ଡ଼ାକ୍ତରଙ୍କ ତୁଳନାରେ ଯଦିଓ ଉତ୍ତରକୋରିଆର ଡ଼ାକ୍ତରମାନେ କମ୍ ଯୋଗ୍ୟତାସମ୍ପନ୍ନ ତଥାପି ସେମାନେ କରୋନା ପରି ଭୟାବହ ଭୂତାଣୁ ସହ ଲଢ଼ିବାକୁ କେମିତି ସକ୍ଷମ ହେଲେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଦେଶକୁ ଡ଼ାକ୍ତରୀ ସାମଗ୍ରୀ ବିକ୍ରି ଉପରେ ଅନେକ ଦେଶ କଟକଣା ଜାରି କରିଛନ୍ତି, ଚୀନ ଭିନ୍ନ ଅନ୍ୟ ଦେଶ ସହ ଏହି ଛୋଟ ଦେଶର ବେଶୀ ଭଲ ସମ୍ପର୍କ ନାହିଁ । ତଥାପି ଏହି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଢ଼େର କମ୍ ବୋଲି କିମ୍ ଦାବି କରିଛନ୍ତି ।
ଉତ୍ତର କୋରିଆର ସେଣ୍ଟ୍ରାଲ ଏଣ୍ଟି ଏପିଡ଼େମିକ ଡ଼ିପାର୍ଟମେଣ୍ଟର ଦାବି ହେଉଛି କରୋନା ରୋକିବା ନିମନ୍ତେ ପଦକ୍ଷେପ ସେମାନେ ଢ଼େର ପୂର୍ବରୁ କରି ସାରିଥିଲେ । ଏଥିପାଇଁ ପଦକ୍ଷେପ ନିଆଯାଇଥିଲା । ଦେଶକୁ ଆସୁଥିବା ଓ ଦେଶରୁ ଅନ୍ୟଦେଶକୁ ଯାଉଥିବା ଲୋକଙ୍କ ଉପରେ କଡ଼ା ଦୃଷ୍ଟି ରଖାଯାଇଥିଲା ଓ ଯେଉଁମାନେ ବିଦେଶରୁ ଆସୁଥିଲେ ସେମାନଙ୍କୁ କ୍ବାରେଣ୍ଟାଇନ କରାଯାଉଥିଲା । ଏପରିକି ସେମାନଙ୍କ ସାଥୀରେ ଆଣୁଥିବା ସାମଗ୍ରୀକୁ ଯାଞ୍ଚ କରି ବିଶୋଧନ କରାଯାଉଥିଲା । ସୀମାକୁ ବନ୍ଦ କରାଯିବା ସହ ଜଳ, ସ୍ଥଳ ଓ ଆକାଶ ପଥକୁ ବନ୍ଦ କରାଯାଇଥିଲା । ଏଥିପାଇଁ କରୋନା ଉତ୍ତରକୋରିଆରେ ବିଶେଷ ପ୍ରଭାବ ପକାଇ ପାରିନାହିଁ ।
ଉତ୍ତର କୋରିଆର ସେଣ୍ଟ୍ରାଲ ଏଣ୍ଟି ଏପିଡ଼େମିକ ଡ଼ିପାର୍ଟମେଣ୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥିପାଇଁ ଦେଶର ସମସ୍ତ ନାଗରିକ ସୁରକ୍ଷିତ ଅଛନ୍ତି ଓ କରୋନା ସଂକ୍ରାନ୍ତ ପ୍ରଥମ ରିପୋର୍ଟ ଚୀନରୁ ଆସିବା ପରେ ଦେଶ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉଚିତ ସାବ୍ୟସ୍ତ ହୋଇଛି । ଅବଶ୍ୟ ଉତ୍ତରକୋରିଆ କୌଣସି ବିପର୍ଯ୍ୟୟ ସହ ଲଢ଼େଇରେ ଏକାକୀ ବିଜୟ ହାସଲ କରିବା ଉଦାହରଣ ପୂର୍ବରୁ ରହିଛି । ୧୯୯୦ ମସିହାରେ ଉତ୍ତରକୋରିଆରେ ଅକାଳ ବ୍ୟାପିଥିଲା ଓ ପ୍ରାୟ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେତେବେଳେ ମଧ୍ୟ ଦେଶର ସରକାର ସବୁକିଛି ନିଜ ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଥିଲେ । ଅବଶ୍ୟ କୋରିଆରେ କରୋନା ମୃତ୍ୟୁ ବଢ଼ିଥିଲେ ମଧ୍ୟ କିମଙ୍କ ଚୌକି ଉପରେ କୌଣସି ପ୍ରଭାବ ପଡ଼ିବାର ଆଶଙ୍କା ନ ଥିଲା । କିମ୍ ଏକାକୀ କୌଣସି ନିଷ୍ପତ୍ତି ନେଇ ପାରନ୍ତି ଓ ଲୋକଙ୍କୁ ବଳପୂର୍ବକ କେଇ ମାସ ପର୍ଯ୍ୟନ୍ତ ଅଲଗା ରଖିବାରେ ତାଙ୍କ ପାଇଁ କିଛି ବାଧା ନାହିଁ ।
ଅନ୍ୟପକ୍ଷରେ ଉତ୍ତରକୋରିଆ ଗଣମାଧ୍ୟମ ସଂସ୍ଥାଗୁଡ଼ିକ କରୋନାକୁ ନେଇ ଲୋକଙ୍କୁ ସଜାଗ କରିବାରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି । ପ୍ରତିଦିନ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଗଣମାଧ୍ୟମରେ ପୁରା ପୃଷ୍ଠା ପ୍ରକାଶ ପାଉଛି । ସେହିପରି ସରକାରଙ୍କ ପକ୍ଷରୁ ସାର୍ବଜନୀନ ଯାତ୍ରାରେ ବ୍ୟବହୃତ ଗାଡ଼ିଗୁଡ଼ିକୁ ନିୟମିତ ବିଶୋଧନ କରାଯିବା ସହ ଲୋକଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ଏପରିକି ବିଦେଶରୁ ଆସୁଥିବା କଣ୍ଟେନରଗୁଡ଼ିକୁ ଅନ୍ୟୂନ ୧୦ଦିନ ପର୍ଯ୍ୟନ୍ତ ଅଲଗା ଅଲଗା ରଖିବାକୁ କିମ୍ ଜଙ୍ଗ ନିର୍ଦେଶ ଦେଇଛନ୍ତି ।


