ବିନା ଅନୁମତିରେ ପରିବାର ନିୟୋଜନ ଅସ୍ତ୍ରୋପଚାର ମାମଲା ଚପାଇଦେବା ଉଦ୍ୟମ; ସିଡିଏମଓ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ପ୍ରସୂତୀ ପବିତ୍ରାଣୀ ବେହେରାଙ୍କ ବିନା ଅନୁମତିରେ ପରିବାର ନିୟୋଜନ ଅସ୍ତ୍ରୋପଚାର ନେଇ ମହିଳାଙ୍କ ସ୍ୱାମୀ ସୁଶାନ୍ତ ବାରିକ ସ୍ଥାନୀୟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଅଭିଯୋଗ ପରେ ମାମଲାକୁ କିଭଳି ରଫା ଦଫା କରିଦିଆଯିବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଗୁରୁତର ଅଭିଯୋଗ କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଶିଶୁ ଓ ମାତୃ ମୃତ୍ୟୁ ଭଳି ଘଟଣା ଘଟି ଆସୁଥିବା ବେଳେ ଏଥିପାଇଁ ଦାୟୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତ୍ତେ ପୁଲିସ ପ୍ରଶାସନ ସହାୟତାରେ ମାମଲାକୁ ଚପାଇଦେବାରେ ଜିଲା ସ୍ୱାସ୍ଥ୍ୟ ବିଭାଗ ସଫଳ ହେଉଥିବା ନେଇ କଂଗ୍ରେସ ନେତା ଶ୍ରୀ ମିଶ୍ର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପ୍ରସୂତୀ ପବିତ୍ରାଣୀ କିମ୍ବା ତାଙ୍କ ସ୍ୱାମୀ ସୁଶାନ୍ତଙ୍କ କୌଣସି ଅନୁମତି ନଥାଇ ପରିବାର ନିୟୋଜନ ଅସ୍ତ୍ରୋପଚାର କରିବା ମାମଲା ଥାନାରେ ପହଞ୍ଚିବା ପରେ ଚିକିତ୍ସାଳୟ କର୍ତ୍ତୃପକ୍ଷ କିମ୍ବା ପୁଲିସ ପ୍ରଶାସନ ଅଭିଯୋଗକାରୀ ସ୍ୱାମୀ ସୁଶାନ୍ତଙ୍କୁ ତଦନ୍ତ ପାଇ ଏପର୍ଯ୍ୟନ୍ତ ନଡାକି କିଭଳି ମାମଲାକୁ ଚପାଇ ଦିଆଯିବ ସେ ନେଇ ଉଦ୍ୟମ ଆରମ୍ଭକୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି। ଏଥିସହ ପିସିସି ସାଧାରଣ ସମ୍ପାଦକ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାୀରଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଅନୁପସ୍ଥିତ ଥିବାରୁ ଦାୟିତ୍ୱରେ ଥିବା ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ବିନୋଦ ବିହାରୀ ମିଶ୍ର କଂଗ୍ରେସ ନେତାଙ୍କ ସହ ଆଲୋଚନା କରି ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ସମ୍ପୃକ୍ତ ମହିଳା ମୌଖିକ ଅନୁମତି ଦେଇଥିବା ବେଳେ ସ୍ୱାମୀ ମନା କରୁଥିବା ନେଇ ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ଏଥିସହ ଚିକିତ୍ସାଳୟରେ ବିଭିନ୍ନ ସମୟରେ ହୋଇ ଆସୁଥିବା ଅନିୟମିତତା, ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ସେବା ଆଳରେ ଶୋଷଣ, ଉନ୍ନତମାନର ଚିକିତ୍ସା ଯୋଗାଣ ପରିବର୍ତ୍ତେ ରୋଗୀଙ୍କୁ ସହରର ଘରୋଇ ନର୍ସିଂହୋମକୁ ପଠାଇବା ଘଟଣାରେ କର୍ତ୍ତୃପକ୍ଷ ତ୍ୱରିତ୍‌‌ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ପିସିସି ସାଧାରଣ ସମ୍ପାଦକ ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି। ଡିଏମଏଫ୍‌‌ ପାଣ୍ଠିରୁ ମାସିକ ଲକ୍ଷାଧିକ ଟଙ୍କା ବ୍ୟୟରେ ନିଯୁକ୍ତ ଡାକ୍ତର ନିଜ ଇଛା ମୁତାବକ କେବଳ ସ୍ୱଳ୍ପ ସମୟ ରୋଗୀ ସେବା ଯୋଗାଇ ଅବଶିଷ୍ଟ ସମୟ ଅନୁପସ୍ଥିତ ରହୁଥିବା ନେଇ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିବା ସହ ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ। ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଐତିହ୍ୟ ଦିବ୍ୟସିଂହଙ୍କ ସମେତ ବହୁ ଯୁବ ଓ କଂଗ୍ରେସ ନେତୃମଣ୍ଡଳୀ ଏହି ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ହୋଇ ଆସୁଥିବା ବ୍ୟାପକ ଅନିୟମିତତା ସମ୍ପର୍କରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Comments are closed.