nua o banner

କେନ୍ଦୁଝର ସଦର ବିଧାନସଭା:ଅଭିଜ୍ଞ ଓ ନବାଗତଙ୍କ ମଧ୍ୟରେ ଲଢ଼େଇ

BSKY banner  750×100

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ଗୁରୁତ୍ୱପୂର୍ଣ୍ଣ କେନ୍ଦୁଝର ସଦର ବିଧାନସଭା ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ। କେନ୍ଦୁଝର ସଦର ବ୍ଲକ ଓ କେନ୍ଦୁଝରଗଡ ପୌରପାଳିକା ଏବଂ ଝୁମ୍ପୁରା ବ୍ଲକର ୧୨ଟି ଓ ବାଂଶପାଳ ବ୍ଲକର ୫ଟି ପଞ୍ଚାୟତକୁ ମିଶାଇ ମୋଟ ୨୮୩ଟି ବୁଥ୍‌‌କୁ ନେଇ ଗଠିତ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ରାଜ୍ୟର ଏକ ପ୍ରମୁଖ ଅଣକଂଗ୍ରେସ ଦୁର୍ଗ ଭାବେ ସ୍ଥାନ ପାଇଆସିଛି। କଂଗ୍ରେସ ପକ୍ଷରୁ ଏହି ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ବିଜେପି ଏହି ଆସନରୁ ବିଧାୟକ ମୋହନ ଚରଣ ମାଝୀଙ୍କୁ ଲଗାତାର ଷଷ୍ଠଥର ପାଇଁ ପ୍ରାର୍ଥୀ କରିଥିବା ବେଳେ ଶାସକ ବିଜେଡି ଚଳିତଥର ଏଠାରେ ମହିଳା କାର୍ଡ ଖେଳି କେନ୍ଦୁଝରର ପୂର୍ବତନ ନଗରପାଳ ମୀନା ମାଝୀଙ୍କୁ ପ୍ରାର୍ଥୀ କରିଛି।

୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ଲଗାତାର ୩ଥର ଏହି ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୨୦୧୯ରେ ପୁଣି ବିଜେପି ପ୍ରାର୍ଥୀ ବିଜୟୀ ମୋହନ ମାଝୀ ହୋଇଥିଲେ। ବିଜେପି-ବିଜେଡି ମେଣ୍ଟ ସମୟରେ ଏହି ଆସନରୁ ବିଜେପି ପ୍ରାର୍ଥୀ ଶ୍ରୀ ମାଝୀ ୨୦୦୦ ନିର୍ବାଚନରେ ନିକଟତମ କଂଗ୍ରେସ ପ୍ରାର୍ଥୀଙ୍କୁ ସର୍ବାଧିକ ୨୨୧୬୩ ଖଣ୍ଡ ଭୋଟ ଏବଂ ୨୦୦୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ୧୧୦୦୨ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ମେଣ୍ଟ ଭାଙ୍ଗିବା ପରେ ଶ୍ରୀ ମାଝୀ ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ଶାସକ ବିଜେଡିର ନବାଗତ ପ୍ରାର୍ଥୀଙ୍କ ଠାରୁ ଶୋଚନୀୟ ପରାସ୍ତ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ଶ୍ରୀ ମାଝୀ ଲଗାତାର ପଞ୍ଚମଥର ପାଇଁ ପ୍ରତିଦ୍ୱନ୍ଦିତା କରି ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ମାତ୍ର ୧୧୨୪ଖଣ୍ଡ ଭୋଟରେ ପରାସ୍ତ କରି ନିଜର ଲୋକପ୍ରିୟତା ପ୍ରମାଣିତ କରିଥିଲେ। ବିଜେପି ଦଳରେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଭାବେ ଶ୍ରୀ ମାଝୀ ନିଜକୁ ଉପସ୍ଥାପିତ କରିବାକୁ ସକ୍ଷମ ହେବାପରେ ଚଳିତ ନିର୍ବାଚନରେ ପୁଣିଥରେ ସଦର ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଛନ୍ତି।

ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଶାସନ ଭାଙ୍ଗିଲା ପରେ ୨୦୦୯ ନିର୍ବାଚନରେ ଏହି ଆସନରୁ ବିଜେଡି ପ୍ରଥମଥର ପାଇଁ ଇଂ ସୁବର୍ଣ୍ଣ ନାଏକଙ୍କୁ ପ୍ରାର୍ଥୀ କରି ବିଜୟୀ ହୋଇଥିଲା। ବିଧାୟକ ଶ୍ରୀ ନାଏକ ନବଦିଗନ୍ତ ଚିଟ୍‌‌ଫଣ୍ଡ ସଂସ୍ଥା ସହ ଜଡିତ ଥିବା ଅଭିଯୋଗରେ ଦଳ ୨୦୧୪ ନିର୍ବାଚନରେ ରାଜନୀତିରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଏବଂ ନିର୍ବାଚନମଣ୍ଡଳୀରେ ଅଚିହ୍ନା ଯୁବକ ଅଭିରାମ ନାଏକଙ୍କୁ ଦଳ ପ୍ରାର୍ଥୀ କରି ବିଜୟୀ ହେବାରେ ସକ୍ଷମ ହୋଇଥିଲା। ଅଭିରାମ ବିଧାୟକ ହେବାପରେ ନିର୍ବାଚନମଣ୍ଡଳୀ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ବିଫଳ କାରଣରୁ ଦଳ ଏହି ଆସନରେ ପୁଣିଥରେ ପ୍ରାର୍ଥୀ ପରିବର୍ତ୍ତନ କରି ୨୦୧୯ରେ ପୂର୍ବତନ ସାଂସଦ ମାଧବ ସର୍ଦ୍ଦାରଙ୍କୁ ପ୍ରାର୍ଥୀ କରିଥିଲେ ହେଁ ସେ ମାତ୍ର ୧୧୨୪ ଭୋଟରେ ପରାସ୍ତ ହୋଇଥିଲେ।

ଏହି କାରଣରୁ ଚଳିତ ନିର୍ବାଚନରେ ଦଳ ମାଧବଙ୍କୁ ପ୍ରାର୍ଥୀ ନକରି ତାଙ୍କ ସ୍ଥାନରେ ନୁଆ ମୁହଁ ସହ ମହିଳା କାର୍ଡ ଖେଳି କେନ୍ଦୁଝରର ପୂର୍ବତନ ନଗରପାଳ ମୀନା ମାଝୀଙ୍କୁ ପ୍ରାର୍ଥୀ କରି ବିଜୟ ଆଶା ରଖିଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଦଳର ବିଧାୟକ ମୋହନଙ୍କ ଗଡରେ ଶାସକ ବିଜେଡିର ଯୁବନେତା ସୌମ୍ୟଶଙ୍କର ଚକ୍ର ଓ ଜିଲା ବିଜେଡିର ବରିଷ୍ଠ ନେତା ଆଶିଷ ଚକ୍ରବର୍ତ୍ତୀ ଯେଭଳି ଭାବେ ଗୋଟିଚାଳନା କରି ସମଗ୍ର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କୁ ଧୂଳିଚଟାଇ ବିଜେଡି ପ୍ରାର୍ଥୀଙ୍କୁ ବାଜିମାତ କରିବା ସହ କେନ୍ଦୁଝର ସଦର, ଝୁମ୍ପୁରା ଓ ବାଂଶପାଳ ବ୍ଲକରେ ଶାସକ ବିଜେଡି ପ୍ରାର୍ଥୀଙ୍କୁ କ୍ଷମତାସୀନ କଲେ ତାହାର ପ୍ରଭାବ ଚଳିତ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେବାନେଇ ବିଜେଡି ବେଶ୍‌‌ ଆଶାବାଦୀ ଥିବା ଜଣାଯାଏ।

ଏଥିସହ ମୀନା ଯଦି ଏହି ଆସନରୁ ବିଜୟ ଲାଭ କରନ୍ତି ତାହାଲେ ଶ୍ରୀମତୀ ମାଝୀ ସଦର ନିର୍ବାଚନମଣ୍ଡଳୀର ପ୍ରଥମ ଏବଂ ଜିଲାର ଦ୍ୱିତୀୟ ମହିଳା ଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ପରେ ବିଧାନସଭାକୁ ଯିବେ। ତେବେ ତୃତୀୟଥର ବିଧାୟକ ସହ ଲାଗାତାର ଷଷ୍ଠଥର ପାଇଁ ମଇଦାନକୁ ଓହ୍ଲାଇଥିବା ବିଜେପିର ମୋହନଙ୍କ ବିଜେଡିର ନବାଗତା ମୀନା ମାଝୀଙ୍କ ସହ ଲଢ଼େଇ ତୀବ୍ର ହେବ ଏଥିରେ କୌଣସି ସନ୍ଦେହ ନାହିଁ। ନିର୍ବାଚନମଣ୍ଡଳୀରେ ବେକାରୀ ସମସ୍ୟା ସାଙ୍ଗକୁ ଚାଷଜମିକୁ ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ମୌଳିକ ସମସ୍ୟାରେ ଜର୍ଜରିତ ଭୋଟରଙ୍କୁ ଉଭୟ ପ୍ରାର୍ଥୀ କିଭଳି ସାମ୍ନା କରିବେ ତାହା ଦେଖିବାକୁ ବାକି ରହିଲା।

Comments are closed.