ଅନାବଶ୍ୟକ ପରିଧାନ ବିବାଦ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ମୁସଲମାନ ମହିଳାମାନେ ନିଜର ମୁଣ୍ଡକୁ ଘୋଡ଼ାଇ ରଖିବା ପାଇଁ ବ୍ୟବହାର କରୁଥିବା କପଡ଼ାକୁ ହିଜାବ୍‍ କୁହାଯାଏ। ଇସ୍‍ଲାମୀୟ ବିଚାର ମୁତାବକ ଏହା ମହିଳାଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ପରିକଳ୍ପିତ ଅବରୋଧ ମାତ୍ର। ତେବେ ଏହି ସାଧାରଣ କପଡ଼ାଟିକୁ ନେଇ ଆଜିକାଲି କର୍ଣ୍ଣାଟକରେ ଏକ ବଡ଼ଧରଣର ବିବାଦ ଉପୁଜିଛି। ଗତ ଡ଼ିସେମ୍ବର ଶେଷ ସପ୍ତାହରେ କର୍ଣ୍ଣାଟକର କିଛି ସରକାରୀ ସ୍କୁଲ ଓ କଲେଜରେ ହିଜାବ୍‍ ପିନ୍ଧି ଆସୁଥିବା ମୁସଲମାନ ଛାତ୍ରୀଙ୍କୁ କର୍ତ୍ତୃପକ୍ଷ ଶିକ୍ଷାନୁଷ୍ଠାନ ପରିସରକୁ ପ୍ରବେଶ ଅନୁମତି ନଦେବା ଫଳରେ ଏହି ବିବାଦ ଆରମ୍ଭ ହୋଇଛି। ହିଜାବ୍‍ ପିନ୍ଧି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବା ସେମାନଙ୍କର ଅଧିକାର ବୋଲି ଦାବି କରି ସମ୍ପୃକ୍ତ ଛାତ୍ରୀମାନେ ନିଜ ନିଜର ଶିକ୍ଷାନୁଷ୍ଠାନ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିବା ବେଳେ କିଛି ହିନ୍ଦୁତ୍ୱବାଦୀ ସଙ୍ଗଠନ ଏହା ବିରୋଧରେ ସାମନାକୁ ଆସିଛନ୍ତି। ସେମାନଙ୍କ ପ୍ରରୋଚନାରେ କିଛି ଛାତ୍ର କାନ୍ଧରେ ଗେରୁଆ ଗାମୁଛା ଧରି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବା ସହିତ ହିଜାବ୍‍ ପିନ୍ଧା ଛାତ୍ରୀମାନଙ୍କୁ ଅପମାନିତ ଓ ଆକ୍ରମଣ କରିବାର ଖବର ଆସିଛି। ହିଜାବ୍‍କୁ ନେଇ କର୍ଣ୍ଣାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଧାର୍ମିକ ଧ୍ରୁବୀକରଣ ବଢ଼ିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ରାଜ୍ୟ ସରକାର ସେଠାକାର ସମସ୍ତ ସ୍କୁଲ କଲେଜକୁ ତିନି ଦିନ ପାଇଁ ବନ୍ଦ କରିଛନ୍ତି।

ପ୍ରଥମେ ଉଡ଼ୁପି ଜିଲାର ସରକାରୀ ପ୍ରି-ୟୁନିଭରସିଟି ମହିଳା କଲେଜରେ ହିଜାବ୍‍ ପିନ୍ଧା ଛାତ୍ରୀମାନଙ୍କ ଉପରେ କଟକଣା ଆରମ୍ଭ ହୋଇଥିଲା। ପରେ ‘ଡ଼୍ରେସ୍‍ କୋଡ଼’ ନାଁରେ କର୍ଣ୍ଣାଟକ ସରକାରଙ୍କ ଶିକ୍ଷା ବିଭାଗ ଏନେଇ ନି‌େର୍ଦଶନାମା ଜାରି କରିବା ପରେ ଆହୁରି ଅନେକ କଲେଜ ସେଭଳି କଟକଣା ଜାରି କରିଥିଲେ। ସରକାରଙ୍କ ଉପରୋକ୍ତ ନି‌େର୍ଦଶନାମା ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ତାକୁ ଅଧିକ ଗୁରୁତର କରିଥିଲା। ସରକାରଙ୍କ ନି‌େର୍ଦଶ ସହିତ ତାଳ ଦେଇ ସାମ୍ପ୍ରଦାୟିକ ସଙ୍ଗଠନଗୁଡ଼ିକ ଅତ୍ୟନ୍ତ ସୁନିୟୋଜିତ ଭାବେ ଏହି ଘଟଣାର ଆଳରେ ସମାଜରେ ଧାର୍ମିକ ଧ୍ରୁବୀକରଣ ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପ୍ରରୋଚନାରେ କିଛି ସ୍କୁଲକଲେଜର ଛାତ୍ର ହିଜାବ୍‍ ପିନ୍ଧା ବନ୍ଦ କରିବା ପାଇଁ ଦାବି କରିବା ସହିତ କାନ୍ଧରେ ଗେରୁଆ ଗାମୁଛା ପକାଇ ଧାର୍ମିକ ସ୍ଳୋଗାନ୍‍ ଦେଇ ସ୍କୁଲକୁ ଆସୁଛନ୍ତି। ସେହି ରାଜ୍ୟର ବିଭିନ୍ନ ଜିଲାରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ବିରୋଧରେ ଓ ସମର୍ଥନରେ ଛାତ୍ରଛାତ୍ରୀମାନେ ରାସ୍ତା ଉପରକୁ ଆସିବା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏହି କ୍ରମରେ ଗତ ଫେବୃଆରୀ ଆଠ ତାରିଖରେ ଉଡ଼ୁପି ଜିଲାର ଗୋଟିଏ କଲେଜରେ ଏକ ଲଜ୍ଜାଜନକ ଓ ବର୍ବରତାପୂର୍ଣ୍ଣ ଘଟଣା ଘଟିଛି। ହିଜାବ୍‍ ପିନ୍ଧି କଲେଜକୁ ଆସିଥିବା ଜଣେ ମୁସଲମାନ ଛାତ୍ରୀଙ୍କୁ ଗେରୁଆ ଗାମୁଛା ପିନ୍ଧିଥିବା ଛାତ୍ର ଓ ଅଣଛାତ୍ରମାନଙ୍କ ଏକ ଉଗ୍ର ଭିଡ଼ ଧାର୍ମିକ ସ୍ଳୋଗାନ ଦେଇ ହେଟାପଲ ଛେଳିକୁ ଘେରିଲା ପରି ଘେରିଯାଇ ତାଙ୍କୁ ଅପମାନିତ ଓ ଅସଦାଚରଣ କରିଛନ୍ତିି। ତେବେ କଲେଜ ଅଧ୍ୟକ୍ଷ ଓ ଅନ୍ୟ ଶିକ୍ଷକମାନଙ୍କ ସହାୟତାରେ ସମ୍ପୃକ୍ତ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣା ଦେଶବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କରିଛି।

prayash

ତେବେ କର୍ଣ୍ଣାଟକ ସ୍କୁଲରେ ଆରମ୍ଭ ହୋଇଥିବା ଏହି ବିବାଦ ଏବେ କେବଳ ସେଠାରେ ହିଁ ସୀମିତ ରହିନି। ଏହାର ତାତି ନିକଟରେ ସଂସଦରେ ମଧ୍ୟ ଦେଖିବାକୁ ମିଳିଛି। ବିରୋଧୀ ଦଳର ଅନେକ ସାଂସଦ, ସାଂପ୍ରଦାୟିକ ଉଦ୍ଦେଶ୍ୟ ନେଇ ମୁସଲମାନ ଛାତ୍ରୀମାନଙ୍କ ଉପରେ ସରକାରଙ୍କ ପକ୍ଷରୁ ଜାରି ଏଭଳି କଟକଣାକୁ ବିରୋଧ କରିଛନ୍ତି। ଏପରି କି କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ମଧ୍ୟ ଏ ସଂକ୍ରାନ୍ତରେ ଦାୟର ଏକ ଆବେଦନର ବିଚାର କରି ଏହା ଛାତ୍ରୀମାନଙ୍କ ମୌଳିକ ଅଧିକାରର ଉଲ୍ଲଙ୍ଘନ ବୋଲି କହିବା ସହିତ ଅଧିକ ବିଚାର ପାଇଁ ଉଚ୍ଚ ନ୍ୟାୟାଳୟର ଏକ ବୃହତ୍ତର ଖଣ୍ଡପୀଠକୁ ପଠାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକରେ ହିଜାବ୍‍କୁ ନେଇ ହୁଏତ ଆଜି ବିବାଦ ଆରମ୍ଭ ହୋଇଛି; କିନ୍ତୁ ସେଠାକାର ମୁସଲମାନ ଝିଅମାନେ ହିଜାବ୍‍ ପିନ୍ଧି ସ୍କୁଲକୁ ଯିବା ପରମ୍ପରା ବହୁ ପୁରୁଣା। ତେବେ ବର୍ଷ ବର୍ଷ ଧରି ଏହି ପରମ୍ପରା ରହିଥିଲେ ମଧ୍ୟ ସବୁ ମୁସଲମାନ ଛାତ୍ରୀ ହିଜାବ୍‍ ପିନ୍ଧନ୍ତି ନାହିଁ। ଏପରି କି ଯେଉଁ ମହିଳା କଲେଜରେ ପ୍ରଥମେ ଏହି ବିବାଦ ଆରମ୍ଭ ହୋଇଥିଲା ସେଠାରେ ପଢ଼ୁଥିବା ଅଧିକାଂଶ ଛାତ୍ରୀ ହିଜାବ୍‍ ପିନ୍ଧି କଲେଜକୁ ଆସନ୍ତି ନାହିଁ; କିନ୍ତୁ ସେମାନଙ୍କୁ କେହି କେବେ ହିଜାବ୍‍ ପିନ୍ଧିବାକୁ କହିନାହାନ୍ତି କି ଯେଉଁମାନେ ପିନ୍ଧି ଆସୁଥିଲେ ସେମାନଙ୍କୁ କଲେଜ କର୍ତ୍ତୃପକ୍ଷ କେବେ କଟକଣା କରି ନଥିଲେ।

ଏଠାରେ ସ୍ପଷ୍ଟ କରିଦେବା ଉଚିତ ହେବ ଯେ ସେ ହିଜାବ୍‍ ହେଉ କି ଓଢ଼ଣି, ଏସବୁ ଧର୍ମ ଓ ପରମ୍ପରା ନାଁରେ ପୁରୁଷ ପ୍ରଧାନ ସମାଜ ଦ୍ୱାରା ମହିଳାଙ୍କ ଉପରେ ‘ଡ଼୍ରେସ୍‍କୋଡ୍‍’ ଭାବେ ଲଦି ଦିଆଯାଇଛି। ଏସବୁ ଗୋଟିଏ ଗୋଟିଏ ପ୍ରତିକ୍ରିୟାଶୀଳ ପରମ୍ପରାର ପ୍ରତୀକ, ଯାହାକିି ଜଣେ ମହିଳାର ସୁନ୍ଦରତାକୁ ତା’ର ଅପରାଧ ବୋଲି ବିଚାର କରିଥାଏ; ଅଥଚ ମହିଳାକୁ ଦେଖିବାର ପୁରୁଷବାଦୀ ଦୃଷ୍ଟିକୁ ଦୋଷ ଦିଏନାହିଁ। ପୁରୁଷ ଦ୍ୱାରା ମହିଳାଙ୍କୁ ନିୟନ୍ତ୍ରିତ କରିବା ପ୍ରକ୍ରିୟାର ଇଏ ହେଉଛି ଅଂଶବିଶେଷ। ଏଭଳି ପ୍ରଥା ଓ ପରମ୍ପରା ବିଶ୍ୱର ପ୍ରାୟ ସମସ୍ତ ଧର୍ମରେ ଊଣା ଅଧିକେ ରହି ଆସିଛି; କିନ୍ତୁ ବିଶ୍ୱର ଅନେକ ଦେଶରେ ମହିଳାମାନେ ଏଭଳି ପ୍ରଥା ଓ ପରମ୍ପରାକୁ ନିଜର ସ୍ୱାଧୀନତାର ପରିପନ୍ଥୀ ବୋଲି ବିଚାର କରି ବିରୋଧ ବି କରି ଆସିଛନ୍ତି। ଆମ ଦେଶରେ ବି ଧର୍ମ ନିର୍ବିଶେଷରେ ମହିଳାମାନେ ଯେତେ ସଚେତନ ଓ ଶିକ୍ଷିତ ହେଉଛନ୍ତି, ସେ ପରିମାଣରେ ଏସବୁକୁ ପରିତ୍ୟାଗ କରିବା ଦେଖାଯାଇଛି। ଯେପରି ହିନ୍ଦୁ ଧର୍ମରେ ସାଧାରଣତଃ ଓଢ଼ଣି କେବଳ ସାମାଜିକ ଓ ଅର୍ଥନୈତିକ ଅନଗ୍ରସର ସମ୍ପ୍ରଦାୟ ଓ ଶ୍ରେଣୀର ମହିଳା ପିନ୍ଧୁଛନ୍ତି; ସେହିଭଳି ମୁସଲମାନ ସମ୍ପ୍ରଦାୟର ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ପରିବାରର ମହିଳାମାନେ ହିଁ ପ୍ରାୟତଃ ପିନ୍ଧିବା ଦେଖାଯାଇଥାଏ। ଆମ ଦେଶରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ମୁସଲମାନ ମହିଳାମାନେ ପ୍ରାୟତଃ ହିଜାବ୍‍ ପନ୍ଧିବା ଦେଖାଯାଏନି; କିନ୍ତୁ ସେମାନଙ୍କୁ ହିଜାବ୍‍ ନ ପିନ୍ଧିବାକୁ କେହି କଟକଣା କି ଫତୁଆ ଜାରି କରିନାହିଁ। ସେମାନେ ନିଜର ବୁଦ୍ଧି ଓ ସଚେତନତାର ଆଧାରରେ ସେଭଳି ନିଷ୍ପତ୍ତି ନେଇଛନ୍ତି। ଅତଏବ ଜଣେ ହିଜାବ୍‍ କିମ୍ବା ଓଢ଼ଣା ପିନ୍ଧିବ କି ନ ପିନ୍ଧିବ, ତାହା ତା’ର ପସନ୍ଦ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଏବଂ ସେଥିପାଇଁ ତା’ର ସ୍ୱାଧୀନତା ବି ରହିଛି।
ଯଦି ହିଜାବ୍‍କୁ ଜଣେ ଛାଡ଼ିବ, ତାହା ସ୍ୱେଚ୍ଛାକୃତ ଭାବେ ହେବା ଦରକାର। ଏଥିପାଇଁ ତା’ଉପରେ କୌଣସି ପ୍ରକାର ଜୋର ଜବରଦସ୍ତି କିମ୍ବା ବଳ ପ୍ରୟୋଗ କରାଯାଇ ନପାରେ। ଯଦି କର୍ଣ୍ଣାଟକର ବିଜେପି ସରକାର କିମ୍ବା ସେଠାକାର ସ୍କୁଲ କର୍ତ୍ତୃପକ୍ଷ ମୁସଲମାନ ଝିଅମାନେ ହିଜାବ୍‍ ପିନ୍ଧିବା ଖରାପ ବୋଲି ଭାବୁଛନ୍ତି, ତା’ହେଲେ ସେମାନଙ୍କୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେଇପାରିଥାନ୍ତେ। ହିଜାବ୍‍ ସମ୍ପର୍କରେ ମୁସଲମାନ ଝିଅମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ହୁଏତ ସେମାନେ ଏଭଳି ମହିଳା ବିରୋଧୀ ପରମ୍ପରାକୁ ସ୍ୱତଃ ପରିତ୍ୟାଗ କରିଥାନ୍ତେ; କିନ୍ତୁ ସେପରି ନକରି ହିଜାବ୍‍ ନାଁରେ ସେମାନଙ୍କୁ ଶ୍ରେଣୀଗୃହକୁ ପ୍ରବେଶ ପାଇଁ ବାରଣ କରି କର୍ତ୍ତୃପକ୍ଷ ନିଜର ଅଗଣତାନ୍ତ୍ରିକ ତଥା ସାମ୍ପ୍ରଦାୟିକ ମନୋଭାବର ହିଁ ପରିଚୟ ଦେଇଛନ୍ତି।
ହିଜାବ୍‍ ପରିହିତା ମୁସଲମାନ ଝିଅଙ୍କ ଶିକ୍ଷାନୁଷ୍ଠାନରେ ପ୍ରବେଶ ଉପରେ ନିଷେଧାଦେଶ ସମ୍ବିଧାନ ପ୍ରଦତ୍ତ ସେମାନଙ୍କ ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରୁଛି। ସମ୍ବିଧାନର ଧାରା ୨୫(୧) ଅନୁଯାୟୀ ନିଜର ଧର୍ମ ଓ ତା’ର ରୀତିନୀତିକୁ ପାଳନ କରିବାର ଅଧିକାର ଦେଶର ସବୁ ନାଗରିକଙ୍କର ରହିଛି। ଏହି ଅନୁଯାୟୀ କୌଣସି ଧର୍ମୀୟ ରୀତିନୀତି ପାଳନରୁ କାହାରିକୁ ବଞ୍ଚିତ କରିବା ଏହି ଅଧିକାରର ଖୋଲା ଉଲ୍ଲଙ୍ଘନ। ଏହି ଧାର୍ମିକ ସ୍ୱତନ୍ତ୍ରତାର ଉପଯୋଗ କରିବାରେ ଯେପରି କୌଣସି ବାଧା ବା ହସ୍ତକ୍ଷେପ ରହିବନି, ତାକୁ ରାଷ୍ଟ୍ର ସୁନିଶ୍ଚିତ କରିବାକୁ କୁହାଯାଇଛି; କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ନିଜେ ଏଠାରେ ଉଲ୍ଲଙ୍ଘନକାରୀର ଭୂମିକାରେ ଠିଆ ହୋଇଥିବା ମନେହେଉଛି। ଯଦି ଏକ ଧାର୍ମିକ ପୋଷାକ ପିନ୍ଧି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସବୁ ସରକାରୀ କାର୍ଯ୍ୟ କରିପାରୁଛନ୍ତି, ପ୍ରଧାନମନ୍ତ୍ରୀ ଧାର୍ମିକ ବେଶ ପିନ୍ଧି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଭାଗ ନେଇ ପାରୁଛନ୍ତି ଏବଂ ଶିଖ୍‍ ଧର୍ମାବଲମ୍ବୀମାନଙ୍କୁ ସେମାନଙ୍କ ଧାର୍ମିକ ପ୍ରତୀକ ପିନ୍ଧିବାର ବା ବ୍ୟବହାର କରିବାର ସ୍ୱାଧୀନତା ରହିଛି, ଖ୍ରୀଷ୍ଟିଆନମାନେ ସେମାନଙ୍କ ଧାର୍ମିକ ପ୍ରତୀକ କ୍ରୁଶ ଚିହ୍ନକୁ କିମ୍ବା ବ୍ରାହ୍ମଣ ଓ କ୍ଷତ୍ରିୟମାନେ ସେମାନଙ୍କ ପଇତାକୁ ଦେହରେ ପିନ୍ଧିବାରେ ଅସୁବିଧା ନାହିଁ, ସେତେବେଳେ କର୍ଣ୍ଣାଟକର ଉପରୋକ୍ତ ମୁସଲମାନ ଛାତ୍ରୀମାନଙ୍କ ହିଜାବ୍‍ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇ ସେମାନଙ୍କୁ ଶିକ୍ଷାଲାଭରୁ ବଞ୍ଚିତ କରାଯିବା କେତେ ଯୁକ୍ତିଯୁକ୍ତ ? କେବଳ ହିଜାବ୍‍ କାହିଁକି, ଜଣେ ବ୍ୟକ୍ତି କେଉଁ ପୋଷାକ ପିନ୍ଧିବ ବା ନ ପିନ୍ଧିବ, ତାହା ତା’ର ବ୍ୟକ୍ତିଗତ ନିଷ୍ପତ୍ତି ହେବା ଦରକାର। ରାଷ୍ଟ୍ର କିମ୍ବା କୌଣସି ଅନୁଷ୍ଠାନ ତା’ ଉପରେ ଏହାକୁ ଲଦିପାରିବ ନାହିଁ।
ହିଜାବ୍‍କୁ ବାରଣ କରିବା ନାଁରେ କର୍ଣ୍ଣାଟକ ସ୍କୁଲକଲେଜରେ ଯେଉଁ ପରିସ୍ଥିତି ସୃଷ୍ଟି କରାଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଥିରେ ମୁସଲମାନ ମହିଳାଙ୍କୁ ପୁରୁଷବାଦୀ ଶୃଙ୍ଖଳରୁ ମୁକ୍ତିର କଥା ରହିଛି ବୋଲି କିଛି ଲୋକ ଭାବୁଛନ୍ତି; କିନ୍ତୁ ଗତ ଏକ ମାସର ଘଟଣାବଳୀ ତଥା ସାଂପ୍ରଦାୟିକ ରାଜନୀତି ଏହାକୁ ଭୁଲ ପ୍ରମାଣିତ କରିଛି। ଯଦି ସମାନ ପରିଧାନ (ୟୁନିଫର୍ମ) ବ୍ୟତୀତ ଅନ୍ୟ କୌଣସି ଧର୍ମୀୟ ପ୍ରତୀକ ବା ପୋଷାକ କଲେଜକୁ ​‌େ​‌ନବା ନେଇ ଆପତ୍ତି ରହିଛି, ତା’ହେଲେ ହିଜାବ୍‍କୁ ବିରୋଧ କରୁଥିବା ଛାତ୍ରଛାତ୍ରୀ ସଙ୍ଗଠିତ ଭାବେ ଗେରୁଆ ଗାମୁଛା କାନ୍ଧରେ ପକାଇ କଲେଜକୁ ଆସୁଛନ୍ତି କିପରି ? ଅସଲ କଥା ହେଲା, ରାଜନୈତିକ ସ୍ୱାର୍ଥ ପାଇଁ କର୍ଣ୍ଣାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ଦୁଇ ଧର୍ମାବଲମ୍ବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭେଦକୁ ବଢ଼ାଇବା ସହିତ ପାଠପଢ଼ା ଛାଡ଼ି ସେମାନଙ୍କୁ ଧାର୍ମିକ ଘୃଣା ଓ ହିଂସା ଭିତରକୁ ଠେଲି ଦିଆଯାଉଛି। ଦେଶରେ ଶିକ୍ଷା ଓ ରୋଜଗାରକୁ ନେଇ ଛାତ୍ରଛାତ୍ରୀମାନଙ୍କ ଆଗରେ ଆନ୍ଦୋଳନ ପାଇଁ ବଡ଼ ପ୍ରସଙ୍ଗ ଥିବାବେଳେ ଏବଂ ବେରୋଜଗାରୀର ହାର ରେକର୍ଡ଼ ସ୍ତରକୁ ଯାଇଥିବାବେଳେ ଛାତ୍ରଛାତ୍ରୀମାନେ ତା’ ବଦଳରେ ହିଜାବ୍‍ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଓ ହିଂସା କରିବା ଆଦୌ ଗ୍ରହଣୀୟ ନୁହେଁ।

Comments are closed.