ଶ୍ରବଣ-ଲିଖନ-ପଠନ-କଥନ

ସୁକାନ୍ତ କୁମାର ମହାନ୍ତି

ଜଣେ ଦାନୀ ଠାରୁ ଜ୍ଞାନୀ ମହାନ କାରଣ ଦାନୀଠାରୁ ମିଳିଥିବା ଦାନ କିଛିଦିନ ପର୍ଯ୍ୟନ୍ତ ଯାଇଥାଏ, କିନ୍ତୁ ଜ୍ଞାନୀଠାରୁ ମିଳିଥିବା ଦାନ ସାଥିରେ ଥାଏ ଆଜୀବନ। ଜନ୍ମଠାରୁ ମୃତ୍ୟୁ ସମୟ ମଧ୍ୟରେ ବ୍ୟକ୍ତିକୁ ଚାରିଟି ଆନୁଷଙ୍ଗିକ ଅଭ୍ୟାସ ବଳରେ ମୂଲ୍ୟାୟନ କରାଯାଇଥାଏ, ତାହା ହେଲା ଶ୍ରବଣ, ଲିଖନ, ପଠନ ଓ କଥନ। ମହାଭାରତରୁ ଜାଣିବାକୁ ମିଳେ, ଗର୍ଭାବସ୍ଥାରେ ଥାଇ ଶିଶୁ ଅଭିମନ୍ୟୁ ବାପା ଓ ମାଆଙ୍କଠାରୁ ଚକ୍ରବ୍ୟୂହ ଭେଦ କରିବା ସମ୍ପର୍କରେ ଶୁଣିବା ଏବଂ ଚକ୍ରବ୍ୟୂହ ଭେଦ ନ କରିପାରିବାର କାରଣ ମଧ୍ୟ ହୋଇଥିଲା ବାପାମାଆଙ୍କ ନିଦ୍ରା। ଏହା ହେଉଛି ଶ୍ରବଣର ଏକ ବଡ଼ ଉଦାହରଣ। ମହାଭାରତ ଯୁଦ୍ଧ ପଡ଼ିଆର ଟିକିନିଖି ଖବର ସଞ୍ଜୟଙ୍କ ଠାରୁ ଶୁଣୁଥିଲେ ଧୃତରାଷ୍ଟ୍ର ଓ ଶ୍ରୀକୃଷ୍ଣଙ୍କ କଥନ ଅର୍ଜୁନଙ୍କ ଶ୍ରବଣ ଯୋଗୁଁ ଆଣିଥିଲା ପରିବର୍ତ୍ତନ। ଭୂମିଷ୍ଠ ହେବାପରେ ସଦ୍ୟ ଶିଶୁଟି ଯାହା ଶୁଣିଥାଏ, ତାହା ହିଁ ହୋଇଥାଏ ତା’ର ମାତୃଭାଷା। ଶ୍ରବଣର ମାହାତ୍ମ୍ୟ ପ୍ରକାଶ ପାଇଥାଏ ଲିଖନରେ। କ୍ରମଶଃ ବୟସ ବୃଦ୍ଧି ସହିତ ବିଭିନ୍ନ ଭାଷା ଶୁଣାଇ ଶିକ୍ଷାଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥାଆନ୍ତି ପରିବାର। ସ୍କୁଲ ଯିବା ପୂର୍ବରୁ ମଧ୍ୟ ଘରେ ଶିଶୁଟିକୁ ଲେଖାପଢ଼ା ଶିଖାଇଥାଆନ୍ତି ପରିବାର। ଶୁଦ୍ଧ ଅକ୍ଷର, ଶବ୍ଦ, ବାକ୍ୟ ଲେଖାଇ ପଢ଼ାଇବା ଉପରେ ଅଧିକ ଚାପ ନ’ଦେଇ ହସ୍ତାକ୍ଷରକୁ ସୁନ୍ଦର କରାଇବାରେ ଯତ୍ନବାନ ହୋଇଥାଏ ପରିବାର। ଆଜିକାଲି ହସ୍ତାକ୍ଷର ଶିଖାଇବା ଅଭ୍ୟାସ ପ୍ରାୟ ନାହିଁ। ଲେଖାଇବା ପାଇଁ ସିଲଟ ଖଡ଼ି ପରିବର୍ତ୍ତେ କାଗଜ ଓ ଡଟ୍‌ପେନ ବ୍ୟବହାର କରାଯାଉଛି। ଆମ ସଂସ୍କୃତିର ଧାରକ ତାଳପତ୍ର ଓ ଲୌହ ନିର୍ମିତ ଲେଖନୀ କାଳି କଲମ ରୂପନେଲା। ବ୍ୟାସଦେବ ଅନବରତ ଗଣେଶଙ୍କ ଦ୍ବାରା ନିର୍ଭୁଲ ଭାବେ ମହାଭାରତ ଲେଖାଇବା ଇତ୍ୟାଦି ଅନେକ ଉଦାହରଣ ମିଳିଥାଏ। ଅବଧାନ ଓ ପ୍ରାଥମିକ ଶିକ୍ଷକ ସେତେବେଳର ଛାତ୍ରଛାତ୍ରୀଙ୍କ ହସ୍ତାକ୍ଷର ସୁନ୍ଦର କରିବାକୁ ତତ୍ପର ଥିଲେ। ପିଲାଦିନେ ଗପ ଶୁଣିବା ପାଇଁ ଆଈ, ଜେଜେମା’ଙ୍କ ପାଖରେ ଭିଡ଼ ହେଉଥିଲା ଏବଂ ବିଭିନ୍ନ ଚିତ୍ରଥିବା ପୁସ୍ତକରୁ ଗପ ଓ ଚିତ୍ର ଆଙ୍କିବା ପାଇଁ ସୁଯୋଗ ଥିଲା। ଶ୍ରବଣ ସହିତ ଅଙ୍କନ ଓ ଲିଖନ ପ୍ରତି ପିଲାଟିର ସ୍ପୃହା ବୃଦ୍ଧି ପାଇଥାଏ।
ପଢ଼ିବାଠାରୁ ଶୁଣିବା ଏକ ଉତ୍ତମ ଶିକ୍ଷା ଯାହା ସ୍ବାମୀ ବିବେକାନନ୍ଦଙ୍କ ଜୀବନରେ ପ୍ରମାଣିତ ହୋଇଥିଲା। ମା’ ଭୁବନେଶ୍ବରୀ ଦେବୀ ଦୁଷ୍ଟ ନରେନ୍‌ଙ୍କୁ କୋଳରେ ବସାଇ ମାତୃଭାଷା ଓ ଇଂରାଜୀ ଅକ୍ଷର ସହିତ ରାମାୟଣ ଓ ମହାଭାରତରୁ ଗଳ୍ପ କହୁଥିଲେ। ଏପରି କି ନରେନ୍‌ ଶ୍ରେଣୀରେ ଶିକ୍ଷକଙ୍କୁ ବହି ଧରାଇ ତାଙ୍କଠାରୁ ଶୁଣି ନିଜର ପ୍ରଚଣ୍ଡ ଏକାଗ୍ରତା ଓ ସ୍ମୃତିଶକ୍ତିର ପରିଚୟ ଦେଇଥିଲେ। ଲିଖନ ଶକ୍ତିଠାରୁ ପଠନ ଶକ୍ତିର ପ୍ରଖରତା ଆଶ୍ଚର୍ଯ୍ୟଜନକ। ବେଲୁଡ଼ ମଠର ଲାଇବ୍ରେରୀରୁ ‘ଏନ୍‌ସାଇକ୍ଲୋପିଡ଼ିଆ ବ୍ରିଟାନିକା’ ୧୦ ଖଣ୍ଡ ଗ୍ରନ୍ଥ ନେଇ ତୁରନ୍ତ ପଢ଼ି ଫେରାଇ ଦେବାରୁ ଶରତ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ସନ୍ଦେହ ହେଲା। ଲାଇବ୍ରେରୀରୁ ପୁନଃ ବହି ଦେବାକୁ ମନା କରିଦେଲେ। ହେଲେ, ସ୍ବାମିଜୀ ପୃଷ୍ଠା ସଂଖ୍ୟା ଓ ବିଷୟବସ୍ତୁ ସମ୍ପର୍କରେ ତତ୍‌କ୍ଷଣାତ୍‌ ସବୁ ପ୍ରଶ୍ନର ଠିକ୍‌ ଉତ୍ତରଦେଲେ, ଫଳରେ ତଟସ୍ଥ ହୋଇ ପଡ଼ିଥିଲେ ଶରତ ଚନ୍ଦ୍ର। ସ୍ବାମିଜୀଙ୍କ ମତରେ ଏହାର ନାମ ଭାରତୀୟ ଏକାଗ୍ରତା।
ଉତ୍କଳମଣି ଗୋପବନ୍ଧୁ ଗାଁ ଚାହାଳିରେ ପଢ଼ୁଥିବାବେଳେ ୮ବର୍ଷ ବୟସରେ ଭାଗବତ ମୁଖସ୍ଥ କରି ତାଳପତ୍ର ଖେଦାରେ ଲୁହା ଲେଖନୀରେ ହସ୍ତାକ୍ଷର ଲେଖିବା ଆରମ୍ଭ କରି ଭାଗବତ ପଦାବଳୀକୁ ଅନୁକରଣ କରି ଛୋଟଛୋଟ କବିତା ଲେଖି ପିତା ଦୈତାରି ଦାସଙ୍କୁ ଶୁଣାଇ ଭବିଷ୍ୟତରେ ଜଣେ ବଡ଼ କବି ହେବାକୁ ଆଶୀର୍ବାଦ ପାଇଥିଲେ। ମହାତ୍ମା ଗାନ୍ଧୀ ନିଜସ୍ବ ହସ୍ତାକ୍ଷର ପାଇଁ ବିଲାତ ଓ ଦକ୍ଷିଣ ଆଫ୍ରିକାର ଓକିଲ ଏବଂ ସେଠାକାର ଜନ୍ମିତ ଅଧିବାସୀଙ୍କର ମୁକ୍ତାପରି ହସ୍ତାକ୍ଷର ଦେଖି ଲଜ୍ଜାରେ ଅନୁତାପ କରିଥିଲେ। ଖରାପ ଅକ୍ଷର ଲିଖନ ଅଧାପାଠୁଆଙ୍କ ପରିଚୟ। ଲିଖନ ଶୈଳୀରେ ଶୈଶବରୁ ଅଭ୍ୟାସରତ ଥିବା ବ୍ୟକ୍ତି ନିଜର ବ୍ୟକ୍ତିତ୍ବ ପ୍ରକାଶ କରିଥାଏ ଅନେକାଂଶରେ ନିଜର ସୁନ୍ଦର ହସ୍ତାକ୍ଷରରୁ ବୋଲି ମହାତ୍ମା ଗାନ୍ଧୀ କହିଛନ୍ତି। ତାଙ୍କ ମତରେ: ବାଲ୍ୟକାଳରୁ ପଶୁପକ୍ଷୀ ଦେଖି ଚିତ୍ର ଆଙ୍କିବା ଶିଖିବା ପରି ପିଲାଟିଏ ଚିତ୍ର କରିବା ଶିଖିଲା ପରେ ଯାହା ଲେଖେ ତାହା ଛପା ଅକ୍ଷର ପରି ହୋଇଥାଏ। ଏହିପରି ବାଳକ ମୋହନ ଦାସ ‘ଶ୍ରବଣ କୁମାର’ ଓ ‘ହରିଶ୍ଚନ୍ଦ୍ର ନାଟକ’କୁ ପଠନ ଓ ଶ୍ରବଣ କରି ନିଜକୁ ବଳୀୟାନ କରିଥିବା ସ୍ବୀକାର କରିଛନ୍ତି। ଏହିପରି ଘଟଣା ବ୍ୟାସକବି ଫକିରମୋହନଙ୍କ ଛାତ୍ରାବସ୍ଥାରେ ମଧ୍ୟ ଦେଖିବାକୁ ମିଳିଥିଲା। ୮୦ବର୍ଷ ବୟସ୍କ ମହେନ୍ଦ୍ର ବିଶ୍ବାଳ ୯ମାସ ୧୩ ଦିନ ମଧ୍ୟରେ ୬୦ଟି ଛନ୍ଦ ରଖି ୨୩୦ ପୃଷ୍ଠା ସମ୍ବଳିତ ‘ପାର୍ଥବୀ କାବ୍ୟ’ ସମେତ ୧୮ଟି ପୁସ୍ତକ ରଚନା କରି ଆଜି ଦୁନିଆରେ ଏକ ଉଦାହରଣ ବନିଛନ୍ତି।
ତୁଳସୀ ଦୁଇପତ୍ରରୁ ବାସିଲା ପରି କରୋନା କାଳରେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ ତରାବୋଇ ଗ୍ରାମର ମୁସ୍କାନ ତେହସିନ୍‌ ଏକ ନିଆରା ଢଙ୍ଗରେ ଏକା ସାଙ୍ଗରେ ଦୁଇଟି କାଗଜରେ ଦୁଇ ହାତରେ ୨ଟି ଭାଷାରେ ଘଣ୍ଟାଘଣ୍ଟା ଧରି ଲେଖିପାରି ଆଜିର ଛାତ୍ର ଶିକ୍ଷକଙ୍କ ନିକଟରେ ସ୍ବତନ୍ତ୍ର ମର୍ଯ୍ୟାଦା ସୃଷ୍ଟି କରିଛନ୍ତି। ପଠନ ହିଁ ଲେଖନୀ ଚାଳନା କରିବାକୁ ପ୍ରେରଣା ଦାୟକ। କରୋନା ସମୟର ଆଉ ଏକ ପ୍ରଶଂସିତା ମାତ୍ର ଆଠବର୍ଷର ବାଳିକା ଅଭିଜିତା ଗୁପ୍ତା ଯିଏ କି ବିଶ୍ବର ସର୍ବକନିଷ୍ଠ ଲେଖିକା ମାନ୍ୟତା ପାଇ ‘ଇଣ୍ଟରନ୍ୟାସନାଲ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌’ ଦ୍ବାରା ସମ୍ମାନିତ ହୋଇଛନ୍ତି। ଏବେ ବି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରେ ଦେଢ଼ବର୍ଷ ବୟସରୁ ୪ବର୍ଷ ବୟସର କେତେକ ଶିଶୁ ନିଜର ପଠନ ଓ କଥନ ଶକ୍ତିର ବଳିଷ୍ଠତା ପ୍ରମାଣ କରି ଚାଲିଛନ୍ତି।
ପ୍ରାଜ୍ଞପୁରୁଷଙ୍କଠାରୁ ଏବର କୃତୀ ବ୍ୟକ୍ତିତ୍ବମାନଙ୍କର ଉଦାହରଣ ଦେବାର କାରଣ, ଆମେ ମୌଳିକ ଶିକ୍ଷାସ୍ତର ଶେଷ ହେବାଯାଏ ଏବର ବିପର୍ଯ୍ୟସ୍ତ ଶିଶୁର ଶ୍ରବଣ, କଥନ, ଲିଖନ ଓ ପଠନ ଉପରେ ଜୋର୍‌ ଦେବା ବାଞ୍ଛନୀୟ।

Comments are closed.