ସୁନିଶ୍ଚିତ ହେଉ ସୁରକ୍ଷା

ଜନସାଧାରଣଙ୍କୁ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ମାଓବାଦୀଙ୍କ ଆହ୍ବାନର ମୁକାବିଲା ନିମନ୍ତେ ଦୃଢ଼ ପଦକ୍ଷେପ ନିଆଯାଉ

କଳାହାଣ୍ଡି ଜିଲା ଅନ୍ତର୍ଗତ ମଦନପୁର ରାମପୁର ଅଞ୍ଚଳରେ ମାଓବାଦୀ ଖଞ୍ଜିଥିବା ବିସ୍ଫୋରକ ଦ୍ରବ୍ୟ ବିସ୍ଫୋରଣରେ ଜଣେ ଖବରଦାତାଙ୍କ ଦୁଃଖଦ ମୃତ୍ୟୁ ଘଟିଥିବାବେଳେ ଏକ ଅନୁରୂପ ଘଟନାରେ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା କିଆମୁଣ୍ଡା ଗ୍ରାମର ଜଣେ ଯୁବକଙ୍କ ଜୀବନ ଯିବା ରାଜ୍ୟରେ ପୁଣି ମାଓବାଦୀଙ୍କ କ୍ରମବର୍ଦ୍ଧିଷ୍ଣୁ ଉପଦ୍ରବର ଦୁଇଟି ଉଦ୍‌ବେଗଜନକ ଉଦାହରଣ। ଉଭୟ ଘଟନାରେ ମାଓବାଦୀ ପ୍ରାଚୀରପତ୍ର ଲଗାଇଥିବା ଗଛ ଚାରିପଟେ ଭୂଇଁରେ ବିସ୍ଫୋରକ ଖଞ୍ଜିଥିବା ଦେଖାଯାଇଛି। ସେମାନଙ୍କ ନିଶାଣ ସୁରକ୍ଷା ବାହିନୀ ହୋଇଥାଇ ପାରନ୍ତି; କିନ୍ତୁ ସର୍ବସାଧାରଣ ସ୍ଥାନରେ ଏପରି ମାରକ ଦ୍ରବ୍ୟ ଖଞ୍ଜାଗଲେ ନିରୀହ ସାଧାରଣ ଲୋକଙ୍କ ପ୍ରତି ମଧ୍ୟ ବିପଜ୍ଜନକ ହେବ, ତାହା ଏହି ଉଗ୍ରପନ୍ଥୀମାନେ ବୁଝିବା ଅବସ୍ଥାରେ ନାହାନ୍ତି। ଅତୀତରେ ମଧ୍ୟ ମାଓବାଦୀ ଲୋକଙ୍କ ସ୍ବାର୍ଥ ହାସଲ ନାଁରେ ସାଧାରଣ ନାଗରିକଙ୍କୁ ହତ୍ୟା କରିବାକୁ ପଛାଇ ନାହାନ୍ତି। ଏବେ ସେମାନେ ସର୍ବସାଧାରଣଙ୍କ ଗନ୍ତବ୍ୟ ସ୍ଥଳରେ ବିସ୍ଫୋରକ ଲଗାଇ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛନ୍ତି। ଏହାଦ୍ବାରା ନିଶ୍ଚୟ ସେମାନଙ୍କର କୌଣସି ଲାଭ ହେବ ନାହିଁ। ବିସ୍ଫୋରଣ ଘଟିଥିବା କନ୍ଧମାଳ ଜିଲାର ସେହି ସ୍ଥାନ ନିକଟରେ ମାଓବାଦୀମାନେ ତିନି ଦିନ ପୂର୍ବେ ରାସ୍ତା ନିର୍ମାଣକାରୀ ସଂସ୍ଥାର ଦୁଇଟି ଯନ୍ତ୍ରକୁ ପୋଡ଼ି ଦେଇଥିଲେ। ସେହିପରି ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ବହୁ ପରିମାଣରେ ପ୍ରାଚୀରପତ୍ର ସେମାନେ ଲଗାଇଛନ୍ତି, ଯେଉଁଥିରେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦିଆଯାଇଛି। ସିପିଆଇ(ମାଓବାଦୀ) ସଂଗଠନର କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ ଡିଭିଜନ ଉପରୋକ୍ତ ଘଟନାଗୁଡ଼ିକରେ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଛି। ମାଓବାଦୀ ସର୍ବଦା ବିକାଶ କାର୍ଯ୍ୟକୁ ବିରୋଧ କରିଆସିଛନ୍ତି ଏବଂ ଗଣତାନ୍ତ୍ରିକ ନିର୍ବାଚନକୁ ମଧ୍ୟ ବିରୋଧ କରନ୍ତି। ନିର୍ବାଚନରେ ଭାଗ ନନେବା ପାଇଁ ଲୋକଙ୍କୁ ଭୟଭୀତ କରିବା ପାଇଁ ଧମକଚମକ ଦେବା ନୂଆ କଥା ନୁହେଁ। ତେବେ ବିଗତ ଦିନଗୁଡ଼ିକରେ ମାଓବାଦୀଙ୍କ ସକ୍ରିୟତା ଏତେ ଜଣାପଡ଼ୁନଥିବାରୁ ଜନସାଧାରଣଙ୍କୁ ମଧ୍ୟ ସର୍ବଦା ସତର୍କ ରହିବାକୁ ପଡ଼ିବ। ଆସନ୍ତା ୧୬ ତାରିଖରୁ ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଏହା ଗୁରୁତ୍ବପୂର୍ଣ୍ଣ। ଲୋକଙ୍କୁ ମତଦାନରୁ ବିରତ ରଖିବା ପାଇଁ ଭୟଭୀତ କରିବା ଉ​‌େ​‌ଦ୍ଦଶ୍ୟରେ କଳାହାଣ୍ଡି, କନ୍ଧମାଳ ସମେତ ରାଜ୍ୟର ଅନ୍ୟ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସେମାନେ ଆଗକୁ ଏହିପରି ଅଧିକ ଅପକର୍ମ ଭିଆଇ ପାରନ୍ତି। ତେଣୁ ଏସବୁ ଅଞ୍ଚଳରେ ଯଥେଷ୍ଟ ସଂଖ୍ୟକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବା ଆବଶ୍ୟକ। ଅବଶ୍ୟ ସୁରକ୍ଷା ବଳ ପକ୍ଷରୁ କୁହାଯାଇଛି ଯେ ସ୍ବାଭିମାନ ଅଞ୍ଚଳ ସମେତ ରାଜ୍ୟର ନକ୍ସଲପ୍ରବଣ ଅଞ୍ଚଳଗୁଡ଼ିକରେ ଭୟମୁକ୍ତ ପଞ୍ଚାୟତ ନିର୍ବାଚନ କରିବାପାଇଁ ପଦକ୍ଷେପମାନ ନିଆଯାଉଛି।
ଅନ୍ୟପକ୍ଷରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ନିମନ୍ତେ ଓଡ଼ିଶାରୁ କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ଅପସାରଣ ନିଶ୍ଚୟ ରାଜ୍ୟ ସୁରକ୍ଷା ବଳ ଉପରେ ଚାପ ସୃଷ୍ଟି କରିବ। କେନ୍ଦ୍ର ପକ୍ଷରୁ ୨୪ ବାହିନୀ ସୁରକ୍ଷା ବଳ ଅପସାରିତ କରି ନେବାପାଇଁ କୁହାଯାଇଥିବାବେଳେ ଏକ ଖବର ଅନୁସାରେ ଇତିମଧ୍ୟରେ ୧୬ ବାହିନୀ ସୁରକ୍ଷା ବଳ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ଯାଇସାରିଛନ୍ତି। ଓଡ଼ିଶାରେ ୯୪ ବାହିନୀ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍‌ପିଏଫ୍‌) ମୁତୟନ ଥିବାବେଳେ ସେଥିରୁ ୮ ବାହିନୀ ଲେଖାଏଁ ଉତ୍ତରପ୍ରଦେଶ ଓ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଯାଇଥିବା ଜଣାଯାଇଛି। ସେହିପରି ଓଡ଼ିଶାରେ କାର୍ଯ୍ୟରତ ଇଣ୍ଡିଆନ ରିଜର୍ଭ ବାଟାଲିୟନ (ଆଇଆର୍‌ବି) ଓ ସ୍ପେସାଲ୍‌ ସିକ୍ୟୁରିଟି ବାଟାଲିଅନ୍‌ସ (ଏସ୍‌ଏସ୍‌ବି)ର ୮ଟି ବାହିନୀକୁ ମଧ୍ୟ ଉତ୍ତର ପ୍ରଦେଶରେ ମୁତୟନ କରାଯାଇଛି। ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ୨୫୦୦ ସୁରକ୍ଷା କର୍ମୀ ଓଡ଼ିଶାରେ ଅନୁପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ସମ୍ବଲପୁର ଓ କେନ୍ଦୁଝର​‌େ​‌ର ମୁତୟନ ହୋଇଥିବା ପ୍ରାୟ ୧୫୦୦ ଏସ୍‌ଏସ୍‌ବି ସୁରକ୍ଷା କର୍ମୀଙ୍କୁ ଗତବର୍ଷ ବିଭିନ୍ନ ଜିଲାର ସାଧାରଣ ସୁରକ୍ଷା ବ୍ୟବସ୍ଥାରେ ସାମିଲ୍‌ କରାଯାଇଥିବାରୁ ମାଓ ଦମନ କାର୍ଯ୍ୟ ପାଇଁ ସୁରକ୍ଷା ବଳ ଉପରେ ଅଧିକ ଚାପ ପଡ଼ିପାରେ ବୋଲି ବିଶେଷଜ୍ଞଙ୍କ ମତ। ଏସ୍‌ଏସ୍‌ବି ସୁରକ୍ଷା କର୍ମୀଙ୍କୁ ସ୍ବତନ୍ତ୍ର ଭାବେ ଉଗ୍ରବାଦ ଦମନ କୌଶଳ ଓ ପାଲଟା ଆକ୍ରମଣ ତାଲିମ ଦିଆଯାଇଥିବାରୁ ଏମାନଙ୍କୁ ସାଧାରଣ ସୁରକ୍ଷା କାର୍ଯ୍ୟରେ କାହିଁକି ନିୟୋଜିତ କରାଗଲା, ତାହା ଏକ ବଡ଼ ପ୍ରଶ୍ନ। ସେ ଯାହାହେଉ, ଆବଶ୍ୟକ ହେଲେ ଅବାଧ ପଞ୍ଚାୟତ ନିର୍ବାଚନ କରାଇବାକୁ ମାଓବାଦ ଉପଦ୍ରୁତ ଅଞ୍ଚଳରେ ଏସ୍‌ଏସ୍‌ବି ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବା ଦରକାର। ମାଓବାଦୀ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଦେଇଥିବା ଆହ୍ବାନ ପରିପ୍ରେକ୍ଷୀରେ ବଣପାହାଡ଼ ପରିବେଷ୍ଟିତ ଦୁର୍ଗମ ଅଞ୍ଚଳର ଗ୍ରାମ ପଞ୍ଚାୟତଗୁଡ଼ିକରେ ଏହା କିପରି ସୁରୁଖୁରୁରେ ସଂପନ୍ନ ହେବ, ତାହା ସୁରକ୍ଷା ବଳ ସୁନିଶ୍ଚିତ କରିବା ଆବଶ୍ୟକ। ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଏ ନେଇ ବିଶଦ ଯୋଜନା ପ୍ରସ୍ତୁତ କରି ତା’ର ଉପଯୁକ୍ତ କାର୍ଯ୍ୟାନ୍ବୟନ ଦିଗରେ ଯତ୍ନବାନ ହେବା ବାଞ୍ଛନୀୟ।

Comments are closed.