୧୦ ଦିନରେ ପିଇଓଙ୍କ ହରତାଳ; ଅନେକ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ

ହରଭଙ୍ଗା: ପଞ୍ଚାୟତସ୍ତରରେ ଗାଁ ଗାଁରେ ଗରିବ ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ଦିଗରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଭୂମିକା ଅନେକ ଗୁରୁତ୍ୱ ବହନ କରୁଛି। ମାତ୍ର ୧୦ଦିନ ହେଲା ପିଇଓମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରଭାବରେ ତୃଣମୂଳସ୍ତରରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଆଗକୁ ଚାଉଳ, ଭତ୍ତା ଟଙ୍କା ଉଠାଣରେ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ଏପରିକି ମନରେଗା, ସିଏଫସି, ଏସଏଫସି ଭଳି ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟର ବିଲ ପଇଠରେ ତାଙ୍କର ଡ୍ରଙ୍ଗଲ ବ୍ୟବହୃତ ହେଉଥିବାରୁ ଅନେକ ବକେୟା ବିଲ୍ ପଇଠରେ ବ୍ୟତିକ୍ରମ ପରିଲଖିତ ହୋଇଛି।

prayash

ପ୍ରକାଶ ଯେ, ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ଆହ୍ୱାନକ୍ରମେ ଗତ ୧୮ତାରିଖରୁ ୨ଦଫା ଦାବୀନେଇ ଜିଲ୍ଲାର କାର୍ଯ୍ୟରତ ୪୦ଜଣ ପିଇଓ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରଭାବରେ ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମାଳ ବ୍ଲକର ୬୯ ପଂଚାୟତରେ ଉନ୍ନୟନ କାର୍ଯ୍ୟ ସାଙ୍ଗକୁ ଜରୁରୀକାଳୀନ ଭିତ୍ତିରେ ଦିଆଯାଉଥିବା ମୃତ୍ୟୁକାଳୀନ ହରିଶ୍ଚନ୍ଦ୍ର ସହାୟତା ସହିତ ଗ୍ରାମୀଣ ଆବାସ ଘର, ମୋ ଘର ଏବଂ ଏପରିକି ଆଗକୁ ଭତ୍ତା, ଚାଉଳ ଉଠାଣ ମଧ୍ୟ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଆନ୍ଦୋଳନରେ ହରଭଙ୍ଗା ବ୍ଲକର ୧୩ଜଣ, କଣ୍ଟାମାଳର ୧୪ଜଣ ଏବଂ ବୌଦ୍ଧରେ ୧୩ଜଣ ପିଇଓ ସାମିଲ ରହିଛନ୍ତି। ୬୯ ପଞ୍ଚାୟତରେ ୪୦ଜଣ ପିଇଓଙ୍କୁ ନେଇ ନିଅଣ୍ଟିଆ ଅବସ୍ଥାରେ ସରକାରୀ କାର୍ଯ୍ୟ ଚାଲିଥିବାବେଳେ ସେମାନଙ୍କ ଲଗାତାର ୧୦ଦିନ ହେଲା ହରତାଳ ପଞ୍ଚାୟତସ୍ତରରେ ବହୁ ସରକାରୀ ଉନ୍ନୟନ କାମକୁ ଠପ୍‌‌ କରିଛି। ଏମାନଙ୍କ ଦାବୀକୁ ସରକାର ଆଗ୍ରାଧିକାର ମଧ୍ୟରେ କର୍ଣ୍ଣପାତ ନକଲେ ଆଗକୁ ପଞ୍ଚାୟତସ୍ତରରେ ସରକାରୀ କାର୍ଯ୍ୟର ହୁଗୁଳା ଚିତ୍ର ସାମ୍ନାକୁ ଆସିବା ଜଳ ଜଳ ହୋଇ ଦିଶୁଛି। ଏ ଦିଗରେ ସରକାର ତୁରନ୍ତ ଦୃଷ୍ଟିଦେବା ସହ ସେମାନଙ୍କ ଦାବୀଗୁଡ଼ିକ ପୂରଣ କରିବା ପାଇଁ ସଂଘ ପକ୍ଷରୁ କୁହାଯାଇଛି।

Comments are closed.