କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଜମିଦାର ପଡ଼ା ଠାରେ ନୂଆଖାଇ ଦିନ ଦ୍ୱିପ୍ରହରରେ ଘରକୁ ପଶି ଲୁଟ ଉଦ୍ଦେଶ୍ୟରେ ଲୁଗା ବ୍ୟବସାୟୀ ବିନୋଦ ଜୈନଙ୍କ ସ୍ତ୍ରୀ ମଞ୍ଜୁଲତା ଜୈନଙ୍କୁ ହତ୍ୟା କରିଥିଲା। ହତ୍ୟାକାରୀକୁ ତୁରନ୍ତ ଗିରଫ କରି ଦୋଷୀ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ଆଜି ସକାଳ ୮ ଘଟିକା ଠାରୁ ବଙ୍ଗୋମୁଣ୍ଡା ବନ୍ଦ କରିବା ସହିତ ଥାନା ଘେରାଉ କରାଯାଇଛି। ବଙ୍ଗୋମୁଣ୍ଡାରେ ଗୋଟିଏ ଦିନ ପାଇଁ ମାର୍କେଟ ବନ୍ଦ, ଥାନା ଘେରାଉ ଏବଂ ଚକାଜାମ କରାଯାଇଛି। ଫଳରେ ଅନେକ ଦୋକାନ ବଜାର ଗାଡି ଚଳାଚଳ ବନ୍ଦ ରହିଥିଲା।
ବିଧାୟକଙ୍କ ନେତୃତ୍ୱରେ ସକାଳ ୧୦ଟାରେ ଗୋଳେଇ ଛକରୁ ଏକ ବିରାଟ ରାଲି ରେ ବାହାରି ବଙ୍ଗୋମୁଣ୍ଡା ଥାନା ଘେରାଉ କରାଯାଇଛି। ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ପାଇଁ ଅଞ୍ଚଳରେ ଦାବି ହେଉଛି। ବିଧାୟକଙ୍କ ଡାକରାରେ ବନ୍ଦ ପାଳନ ନେଇ ଅଞ୍ଚଳର ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ବଣିକ ସଂଘ, ଡ୍ରାଇଭର ୟୁନିୟନ, ନାଗରିକ ମଞ୍ଚ, ସାହିତ୍ୟ କଳା ପରିଷଦ ସହ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ଥାନାଧିକାରୀ ବିନୋଦ ବିହାରୀ ନାଏକଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ।



