କଲ୍ୟାଣସିଂହପୁର: ପୁଣି ଜନନୀ ଯନ୍ତ୍ରଣା। ଭାରରେ ବୁହାହେଲେ ଗର୍ଭବତୀ। ରାସ୍ତାଘାଟ ନ ଥିବାରୁ ଆମ୍ବୁଲାନ୍ସ ଘର ନିକଟକୁ ଯାଇ ନ ପାରିବାରୁ ୩ କିଲୋମିଟର ପର୍ଯ୍ୟନ୍ତ ମହିଳାଙ୍କୁ ଭାରରେ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାୟଗଡା ସୀମାନ୍ତ କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ସିଲେଟ ପଞ୍ଚାୟତ ଅନ୍ତର୍ଗତ ମାଲିତିପଦର ଗ୍ରାମରେ।
ସୂଚନା ଅନୁସାରେ, ଗ୍ରାମର ଗର୍ଭବତୀ ଅନିତା ମାଝୀଙ୍କ ଯନ୍ତ୍ରଣା ହେବାରୁ ତାଙ୍କ ସ୍ୱାମୀ ଲାଲୁ ମାଝୀ ୧୦୨ ଜନନୀ ଗାଡିକୁ ଯୋଗାଯୋଗ କରିଥିଲେ। ଉକ୍ତ ଗ୍ରାମକୁ ଦୁଇଟି ରାସ୍ତା ରହିଛି। କିନ୍ତୁ ଗୋଟିଏ ପାର୍ଶ୍ୱରେ ନାଗାବଳୀ ନଦୀ ଓ ଅନ୍ୟ ପାର୍ଶ୍ୱରେ ନାଳ ସବୁ ବେଳେ ଦାଉ ସାଧୁଛି। ବର୍ତ୍ତମାନ ବର୍ଷା ଲାଗିରହିଥିବାରୁ ନଦୀ ଓ ନାଳରେ ପ୍ରବଳ ବର୍ଷା ପାଣି ପ୍ରଭାହିତ ହେଉଛି। ନାଗାବଳୀ ଭରା ନଦୀ ଦେଇ କଲ୍ୟାଣସିଂହପୁରକୁ ଆସିବା ପାଇଁ ହେଲେ ୧୨କିମି ଓ ଏକ ନାଳ ଦେଇ କଳାହାଣ୍ଡି ଜିଲ୍ଲା ବିଜେପୁର ବାଟେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ପାଇଁ ହେଲେ ପ୍ରାୟ ୩୦କିମି ଦୂରତା ପଡୁଛି। କଲ୍ୟାଣସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ର ପାଖ ପଡୁଥିବାରୁ ଗ୍ରାମବାସୀ ତାହା ଉପରେ ନିର୍ଭର କରୁଛନ୍ତି। କଳାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ଆମକୁ ବହୁ ଦୂର ପଡୁଛି ବୋଲି ଲାଲୁ ମାଝୀ କହିଛନ୍ତି। ଗର୍ଭବତୀଙ୍କୁ ଏକ ଶାଢୀରେ ବାନ୍ଧି ଭାର କରି ଗ୍ରାମ ଓ ପରିବାରର ପାଲୁ ମାଝୀ, ରିଡାଙ୍ଗ ମାଝୀ, ରାଇସିଂ ମାଝୀ ଓ ଫୁଲସିଂ ମାଝୀ ଅନିତାଙ୍କୁ ନାଗାବଳୀ ନଦୀ ପାର କରିବା ସହ ପ୍ରାୟ ତିନି କିମି ଦୂର ପର୍ଯ୍ୟନ୍ତ ବୋହି ଆଣିଥିଲେ। ଏହାପରେ ୧୦୨ ଜନନୀ ଗାଡ଼ିରେ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅନିତା ଡାକ୍ତରଖାନାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ବର୍ତ୍ତମାନ ମା ଓ ଝିଅ ସୁସ୍ଥ ରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡିଛି। ଏହି ଗ୍ରାମକୁ ନାଗାବଳୀ ନଦୀ ଓ ନାଳରେ ପୋଲ ନିର୍ମାଣ କରାଗଲେ ଗ୍ରାମକୁ ସୁବିଧାରେ ଗାଡ଼ି ଯାତାୟାତ କରିପାରିବ ବୋଲି ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ।



