କଳାପଥର (ବାଙ୍କୀ):ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ ପଠା କ୍ରମଶଃ ଉଚ୍ଚା ହେବାରୁ ଜଳସଂରକ୍ଷଣ କ୍ଷମତା ବହୁମାତ୍ରାରେ ହ୍ରାସ ପାଇଛି । ମହାନଦୀ ବାଙ୍କୀ ନିର୍ବାଚନ ମଣ୍ଡଳୀର ପଶ୍ଚିମ ସୀମା ନୟାଗଡ଼ ଜିଲ୍ଲାର ସିଧାମୂଳା ସେତୁ ଠାରୁ ମୁଣ୍ଡଳୀ ନରାଜ ପର୍ଯ୍ୟନ୍ତ ପ୍ରାୟ ୭୦ ରୁ ୭୫ କି.ମି. ନଦୀଗର୍ଭ ବାଲି ଦ୍ୱାରା ପୋତି ହୋଇ ପଠା ଉଚ୍ଚା ହୋଇଯିବା କାରଣରୁ ନଦୀର ଗଭୀରତା କମି ଯାଇଅଛି । ନଦୀଗର୍ଭ ନଦୀର ଦୁଇବନ୍ଧ ତଳ ଜମିର ଗଭୀରତା ଠାରୁ ଅଧିକ ଥିବାରୁ ବର୍ଷାଜଳ କିଛି ଦିନ ନଦୀରେ ରହି ୩ଦିନରୁ ୪ଦିନ ମଧ୍ୟରେ ନଦୀ ଜଳଶୂନ୍ୟ ହୋଇପଡୁଛି । ଯେଉଁଥିପାଇଁ ଜଳ ଅଭାବରୁ ଚାଷୀମାନେ ଚାଷ କାର୍ଯ୍ୟ ଠିକ୍ ଭାବର କରିପାରୁ ନାହାଁନ୍ତି । ଫଳରେ ଉଠାଜଳ ସେଚନ ଓ ଭୂତଳ ଜଳର ଆବଶ୍ୟକ ପଡୁଅଛି । ମହାନଦୀର ଦକ୍ଷିଣ ପାର୍ଶ୍ବରେ ୧୦୦-୧୫୦ପୁଟ ତଳେ ଏକ ବିରାଟ କଳାପଥର ଆସ୍ତରଣ ଥିବାରୁ ବୈଦ୍ୟେଶ୍ୱର ଠାରୁ ଡମପଡ଼ା ପର୍ଯ୍ୟନ୍ତ ଡିପ୍ ବୋର୍ୱେଲ୍ ଖୋଳିଲେ ୩୧ଇଞ୍ଚରୁ ବୋରିଂରେ ଯେଉଁ ପରିମାଣରେ ଜଳ ଆସିବା କଥା ତାହା ଆସୁନାହିଁ । ଏ ଅଞ୍ଚଳରେ ଡିପ୍ ବୋରୱେଲ୍ ଅଚଳ ହୋଇ ରହିଛି । ବୈଦ୍ୟେଶ୍ୱର ଠାରୁ ବାଙ୍କୀ ଯିବା ରାସ୍ତାରେ ଚଣ୍ଡିଛକ ଠାରେ ୪ଟି ବୋର୍ୱେଲ୍ କାର୍ଯ୍ୟକାରୀ ନହୋଇ ପଡିରହିଛି । ପଶ୍ଚିମ ବାଙ୍କୀରେ ଭୂତଳ ଜଳର ଅଭାବ ରହିଛି ।
ବାଙ୍କୀବାସୀ ମହାନଦୀ ଦ୍ୱାରା ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେଲାବେଳେ ମହାନଦୀର ଜଳ ବାଙ୍କୀର କୃଷିକୁ ନୂତନ ଜୀବନ ଦେଇ ପାରୁନାହିଁ । ବାଙ୍କୀର ଅନ୍ୱେଷଣ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏକ ଆଲୋଚନା ଶୀର୍ଷକ ବର୍ଷା ଜଳର ଉପଯୋଗିତା ଉପରେ ଆଲୋଚନା ସମୟରେ ରାଜ୍ୟରେ ଉପସ୍ଥିତ ଥିବା ଚିଫ୍ ଇଂଜିନିୟର ମଦନମୋହନ ସାମନ୍ତରାୟ, ନନ୍ଦକିଶୋର ମହାପାତ୍ର, ପୂବର୍ତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ମହାନଦୀର ବାଲିକୁ ଉତ୍ତୋଳନ କରି ବିନା ଅର୍ଥରେ ଲୋକମାନଙ୍କର ବିଭିନ୍ନ ଖାଲ, ଖମାଣ ପୋତିବା ପାଇଁ ଦିଆଯାଏ ଓ ମହାନଦୀର ଦକ୍ଷିଣ ଓ ଉତ୍ତର ପାଶ୍ୱର୍ରେ ସଂଯୋଗ ହୋଇଥିବା ନାଳଗୁଡିକର ମୁହାଣକୁ ଯଦି ସୁଇଜ୍ଗେଟ୍ ଦ୍ୱାରା ଆବଦ୍ଧ କରି ଦିଆଯାଇ ପାରନ୍ତା ତାହାଲେ ଏତେ ମାଟି ନଦୀ ମଧ୍ୟକୁ ପ୍ରବେଶ କରନ୍ତା ନାହିଁ ବୋଲି ଅଭିଜ୍ଞ ଚାଷୀ ଉତ୍କଳମଣି ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ସରକାର ପଠାର ବାଲିକୁ ଉଠାଇ ଗଭୀରତା ବଢ଼ାଇବା ପରିବର୍ତ୍ତେ ଦିନକୁ ଦିନ ନଦୀର ଦୁଇ ପାଶ୍ୱର୍ ଉଚ୍ଚତାକୁ ବଢ଼ାଇ ଚାଲିଛନ୍ତି। ତେଣୁ ଯେତିକି ଜଳ ରହିବାର କ୍ଷମତା ଥିଲା ୫୦ବର୍ଷ ମଧ୍ୟରେ ତାହା ୧୦ଗୁଣ ହ୍ରାସ ପାଇଛି। ମୁଣ୍ଡଳି ଠାରେ ବ୍ୟାରେଜ୍ ହୋଇଥିବା କାରଣରୁ ବାଲିଗୁଡିକ ଯେଉଁମାତ୍ରାରେ ସମୂଦ୍ରକୁ ଯିବାକଥା ତାହା ନଯାଇ ମୁଣ୍ଡଳି ଠାରୁ ଉପରମୁଣ୍ଡକୁ ଧିରେ ଧିରେ ବାଲି ଦ୍ୱାରା ବଡ ବଡ ପଠା ସୃଷ୍ଟି ହୋଇ ନଦୀର ଗଭୀରତାକୁ ହ୍ରାସ କରୁଛି। ଆଗାମୀ ଦିନରେ ମହାନଦୀ ତା’ର ଗତିପଥ ପରିବର୍ତ୍ତନ କରିବାର ସମ୍ଭାବନା ଥିବାର ଅଭିଜ୍ଞ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି ।



