କଲମପୁର : କଲମପୁର ବ୍ଲକ ଅଧିନସ୍ଥ ଖଙ୍ଗାରଗୁଡା ଗ୍ରାମର ଜନୈକ ଯୁବତୀ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଏହାସହ କଲମପୁର ଠାରେ ଶବ ବାହକ ଯାନ ଅଭାବ କାରଣରୁ ଦୀର୍ଘ ୧୨ ଘଣ୍ଟା ଧରି ଚିକିତ୍ସାକେନ୍ଦ୍ର ବାରଣ୍ଡାରେ ଶବ ପଡି ରହିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।
ପ୍ରାପ୍ତ ସୂଚନା ଅନୁସାରେ ଖଙ୍ଗାରଗୁଡା ଗ୍ରାମର ବିଭୁତି ପାତ୍ରଙ୍କ ଝିଅ ପ୍ରମୋଦିନୀ(୧୮) ଗତ ମଙ୍ଗଳବାର ରାତିରେ କୌଣସି ଏକ କାରଣରୁ ଆତ୍ମହତ୍ୟା କରିବା ପାଇଁ କୀଟନାଶକ ପିଇ ଦେଇଥିଲା। ଘର ଲୋକ ଏନେଇ ଜାଣିବା ସମୟରେ ସେ ଅତ୍ୟନ୍ତ ଗୁରୁତର ହୋଇ ପଡିଥିଲା। ତୁରନ୍ତ ତାକୁ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ବଡକୁଟୃ ପୁଲିସ ଫାଣ୍ଡିକୁ ସୂଚନା ଦେବା ପରେ ପୁଲିସ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରିଥିଲା। ବୁଧବାର ସକାଳେ ଫାଣ୍ଡି ଅଧିକାରୀ ଜୟଦେବ ତାରିଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ପଞ୍ଚନାମା କରିବା ପରେ କଲମପୁର ଠାରେ ବ୍ୟବଚ୍ଛେଦ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିବା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ କଲମପୁର ଠାରେ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅନୁମୋଦନ କ୍ରମେ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ୱାରା ପ୍ରଦତ ଶବ ବାହକ ଯାନକୁ ଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ନିୟୋଜିତ କରାଯାଇଥିବାରୁ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି କଲମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ବାରଣ୍ଡାରେ ପକାଇ ରଖାଯାଇଥିଲା। ସେଥିପାଇଁ ସାଧାରଣରେ ଉତ୍ତେଜନା ଦେଖା ଦେଇଛି। ଏନେଇ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କବିରାଜ ଚୌଧୁରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା, ଡ୍ରାଇଭର ନିୟୋଜିତ ହୋଇନଥିବାରୁ ଶବ ବାହକ ଯାନ ଭବାନିପାଟଣା ଠାରେ ରହିଥିବା ସୂଚନା ଦେଇଥିଲେ। ଏହାସହ ନିୟମିତ ଚିକିତ୍ସା ଅଧିକାରୀ ନଥିବାରୁ କୌଣସି ନିଷ୍ପତି ନିଆଯାଇ ନାହିଁ ବୋଲି ସୂଚନା ଦେଇଥିଲେ।
ସୂଚନାଯୋଗ୍ୟଯେ, ଯୁବତୀ ଜଣକଙ୍କ ଆତ୍ମହତ୍ୟା ପଛରେ ପ୍ରେମର କାରଣ ଥିବା ଆଲୋଚନା ହେଉଛି। ଏପରିକି ଯୁବତୀ ଜଣକ ନିଜ ବାମ ହାତରେ ଉକ୍ତ ଯୁବକର ନାଁ ଚିତା କୁଟାଇଥିବା ସୂଚନା ମିଳିଛି।
କୀଟନାଶକ ପିଇ ଯୁବତୀଙ୍କ ଆତ୍ମହତ୍ୟା ; ୧୨ ଘଣ୍ଟା ଧରି ବାରଣ୍ଡାରେ ପଡି ରହିଲା ଶବ
Popular Categories



