www.samajalive.in
Thursday, December 11, 2025
26.1 C
Bhubaneswar

ଗୁରୁତର ଆହତଙ୍କ ଚିକିତ୍ସା ଖର୍ଚ୍ଚ ଦାବିରେ ରାସ୍ତାରୋକ

ଯୋଡା: ଯୋଡା କିଡ୍‍ଜୀ ବିଦ୍ୟାଳୟ ସମ୍ମୁଖରେ ଗତ ରବିବାର ଅପରାହ୍ନ ପ୍ରାୟ ୩.୪୫ ସମୟରେ ଏକ ଅଜଣା ବଲେରୋ ଧକ୍କାରେ ଯୋଡା ଥାନା ଅନ୍ତର୍ଗତ ମୁଖାର୍ଜୀ ହଟିଂର କୁନିଲତା ମଲ୍ଲିକ ଗମ୍ଭୀର ରୂପେ ଆହତ ହୋଇଥିଲେ। ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆହତଙ୍କୁ ପ୍ରଥମେ ଯୋଡା କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଆହତଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପର୍ଣ୍ଣ ଥିବାରୁ କୁନିଲତାଙ୍କୁ ତୁରନ୍ତ କଟକ ବଡ ମେଡିକାଲ ସ୍ଥାନାନ୍ତରଣ କରାଯାଇଥିଲା। ତେବେ ସେଠାରେ ମଧ୍ୟ କୁନିଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଆଡକୁ ଯାଉଥିବାରୁ ଗତକାଲି କୁନିଲତାଙ୍କୁ ବଡମେଡିକାଲ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବାର ସୂଚନା ମିଳିଛି। ତେବେ କୁନିଲତା କୋମା ସ୍ଥିତିରେ ଥିବା ଖବର ପ୍ରଚାରିତ ହେବା ମାତ୍ରେ ଶୁକ୍ରବାର ପୂର୍ବାହ୍ନ ୭ଟାରେ ମୁଖାର୍ଜୀ ହଟିଂର ଶତାଧିକ ଅଧିବାସୀ ଯୋଡା ବସ୍‍ଷ୍ଟାଣ୍ଡରୁ କଳାପାହାଡକୁ ସଂଯୋଗ କରୁଥିବା ରାସ୍ତାର ତାରିଣୀ ଛକ ନିକଟରେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଅଜଣା ବଲେରୋ ଚିହ୍ନଟ ସମେତ ଅସହାୟ ବିଧବା ମହିଳା କୁନିଲତାର ଚିକିତ୍ସା ଖର୍ଚ୍ଚ ଦାବିରେ ସ୍ଥାନୀୟ ବାସୀନ୍ଦା ଏହି ଆନ୍ଦୋଳନ ଚଳାଇଥିବା ପ୍ରକାଶ।

ଖବର ପାଇ ଯୋଡା ଆଇଆଇସି ମନୋଜ କୁମାର ରାଉତ୍‍ ଘଟଣା ସ୍ଥଳରେ ପହଞ୍ଚି କୁନିଲତାଙ୍କ ଚିକିତ୍ସା ନିମନ୍ତେ ୫୦୦୦୦ ଟଙ୍କା ସହାୟତା ରାଶି ଘୋଷଣା କରିବା ସହ ଖୁବ୍‍ଶୀଘ୍ର ଅଜଣା ବଲେରୋଟିର ଠାବ୍‍ ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରିବା ପରେ ଦୁଇ ଘଣ୍ଟା ଧରି ଚାଲିଥିବା ରାସ୍ତାରୋକ୍‍ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଖବର ମିଳିଛି। ସୂଚନା ଯୋଗ୍ୟ, କୁନିଲତାଙ୍କ ସ୍ୱାମୀ ରତିକାନ୍ତ ମଲ୍ଲିକ ଆଠ ବର୍ଷ ତଳେ ଇହଲୀଳା ସମ୍ବରଣ କରିଛନ୍ତି। ତେବେ କୁନିଲତା ଅନ୍ୟ ଘରେ ପାଇଟି କରି ସ୍ୱାମୀଙ୍କ ଅନ୍ତେ ତିନୋଟି ନାବାଳକ ପିଲାଙ୍କର କଷ୍ଟେମଷ୍ଟେ ଭରଣ ପୋଷଣ କରୁଥିବା ସମୟରେ ସ୍ୱାମୀଙ୍କ ଅମଳରେ ତିଆରି ହୋଇଥିବା ଏକ ଜରାଜୀର୍ଣ୍ଣ ଘରେ ରୁହନ୍ତି।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories