ଜୟପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନିକିଆ ଓଡିଶା ଗସ୍ତରେ ଆସି କୋରାପୁଟର ଜୟପୁର ବାଙ୍କବିଜା ପଡ଼ିଆରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ ବର୍ଷ ବର୍ଷ ଧରି ଶାସନ କରି ଆସୁଥିବା ଉଭୟ ବିଜେଡି ଏବଂ କଂଗ୍ରେସ ଉପରେ ଭୀଷଣ ବର୍ଷିଛନ୍ତି। ଜୟ ଜଗନ୍ନାଥରୁ ନିଜର ଅଭିଭାଷଣ ଆରମ୍ଭ କରି ଆପଣ କେମିତି ଅଛନ୍ତି ବୋଲି ଓଡିଶାବାସୀଙ୍କୁ ଓଡିଆରେ ମୋଦୀ ପଚାରିଥିଲେ। ଏହାପରେ ଗୁପ୍ତେଶ୍ୱର ଓ ତାରିଣୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ମଞ୍ଚରେ ଉପସ୍ଥିତ ଥିବା ପଦ୍ମଶ୍ରୀ କମଳା ପୂଜାରୀ ଆଦିବାସୀଙ୍କ ପାରମ୍ପରିକ ଟୋପି ତଲାରି ପିନ୍ଧାଇ ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କମଳା ଦେବୀଙ୍କୁ ମଞ୍ଚରେ ଦେଖି ମୋଦୀ ଖୁବ୍ ଖୁସୀ ହେବା ସହ ତାଙ୍କୁ ପ୍ରଶଂସା କରିଥିଲେ। ଏହା ସହ ସହିଦ ଲକ୍ଷ୍ମଣ ନାୟକଙ୍କ ଫଟୋଚିତ୍ରକୁ ପ୍ରଣାମ କରି ମୋଦୀ ଅଭିଭାଷଣ ଆରମ୍ଭ କରିଥିଲେ।
୨୦୧୪ରେ ଓଡିଶା ଆସିଥିବା ବେଳେ ମୁଁ ଓଡିଶାବାସୀଙ୍କ ନିକଟରେ ପ୍ରତିଜ୍ଞା କରିଥିଲି ଯେ, ନିଷ୍ଠା ସହ ଆପଣଙ୍କ ସେବା କରିବି। ଓଡିଶାବାସୀଙ୍କ ପ୍ରଧାନସେବକ ଭାବେ ମୁଁ ତାହା ପୂରା କରିଛି। କେନ୍ଦ୍ର ସରକାର ଯୋଜନାରେ ୮ଲକ୍ଷ ଗରିବଙ୍କୁ ଓଡିଶାରେ ଘର ମିଳିଛି। ଉଜ୍ଜ୍ୱଳା ଯୋଜନାରେ ୪୦ ଲକ୍ଷ ଘରେ ଗ୍ୟାସ ପହଞ୍ଚିଛି। ୩ ହଜାର ଗ୍ରାମରୁ ଅନ୍ଧାର ଦୂର ହୋଇଛି। ୨୪ଲକ୍ଷ ଘରକୁ ବିଜୁଳି ମାଗଣାରେ ପହଞ୍ଚିଛି।
ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର, ହେଲେ ତିଳେ ମାତ୍ର ବିକାଶ ହୋଇନାହିଁ । ଏଭଳି ପ୍ରାକୃତିକ ସମ୍ପଦ ଗୁଜରାଟରେ ଥିଲେ ଗୁଜରାଟର ଆହୁରି ବିକାଶ ହୋଇଥାନ୍ତା । ମୁଁ ଗୁଜରାଟରେ ଜଗନ୍ନାଥ ମହାପ୍ରଭୁଙ୍କୁ ମନେପକାଇ ଓଡ଼ିଶା ଭଳି ଗୁଜରାଟରେ ମଧ୍ୟ ଭରପୁର ପ୍ରାକୃତିକ ସମ୍ପଦ ଭିକ୍ଷା କରେ।


