ଆଇସିସି ଅଧ୍ୟକ୍ଷ ହୋଇପାରନ୍ତି ଜୟ ଶାହା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରି​କେଟ କାଉନସିଲ(ଆଇସିସି) ଅଧ୍ୟକ୍ଷ ଦୌଡ଼ରେ ରହିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା। ବର୍ତ୍ତମାନ ଆଇସିସିର ସଭାପତି ରହିଥିବା ଗ୍ରେଗ୍‌ ବାର୍କଲେ ତୃତୀୟ ଥର ପାଇଁ ସଭାପତି ଦୌଡ଼ରୁ ଓହରିଯିବା ପରେ ଏହି ତାଲିକାର ଆଗରେ ରହିଛନ୍ତି ଜୟ ଶାହା। ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ ପର୍ଯ୍ୟନ୍ତ ରହିଛି। ଏହା ପୂର୍ବରୁ ଆଇସିସି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ସଭାପତି ପଦ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ସମୟ ଅଗଷ୍ଟ ୨୭ ପର୍ଯ୍ୟନ୍ତ ରହିଛି। ବାର୍କଲେ ସଭାପତି ଦୌଡ଼ରୁ ଓହରି ଯିବାପରେ ଜୟ ଶାହାଙ୍କ ପାଇଁ ରାସ୍ତା ପରିସ୍କାର ହୋଇଛି। ଆଇସିସିର ନିୟମ ଅନୁସାରେ ଜଣେ ବ୍ୟକ୍ତି ଦୁଇ ବର୍ଷର କାର୍ଯ୍ୟକାଳରେ ଅତି ବେଶିରେ ୩ଥର ଅଧ୍ୟକ୍ଷ ହୋଇପାରିବେ। ନ୍ୟୁଜିଲାଣ୍ଡରେ ଆଟର୍ଣ୍ଣି ଭାବେ କାର୍ଯ୍ୟ କରୁଥିବା ବାର୍କଲେ ଆଇସିସି ଅଧ୍ୟକ୍ଷ ଭାବେ ନଭେମ୍ବର ୩୦ରେ ନିଜର ଦ୍ବିତୀୟ ପାଳିର ୪ବର୍ଷ ପୂରଣ କରି​ବେ। ତେବେ ୩ୟ ଥର ପାଇଁ ସେ ଆଉ ଉକ୍ତ ପଦ ଲାଗି ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ବାର୍କଲେ ୨୦୨୦ରେ ପ୍ରଥମ ଥର ପାଇଁ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୨ରେ ପୁନର୍ବାର ଦ୍ବିତୀୟ ଥର ପାଇଁ ସେ ଉକ୍ତ ପଦରେ ରହିଥିଲେ। ଆଇସିସି ଅଧ୍ୟକ୍ଷ ନିର୍ବାଚନ ଲାଗି ୧୬ ସଦସ୍ୟ ରାଷ୍ଟ୍ରର ନିର୍ଦେଶକମାନେ ଭୋଟ ଦେଇଥାନ୍ତି। ସେଥିମଧ୍ୟରୁ ଜଣେ ପ୍ରାର୍ଥୀଙ୍କୁ ୯ ରାଷ୍ଟ୍ରର ସମର୍ଥନ ମିଳିଲେ ସେ ଅଧ୍ୟକ୍ଷ ହୋଇପାରିବେ। ଏବେ ଆଇସିସିର ନିର୍ଦେଶକ ରହିଥିବା ବ୍ୟକ୍ତିମାନେ ଅଧ୍ୟକ୍ଷ ପଦ ଲାଗି ଆବେଦନ କରିପାରିବେ। ବିଶ୍ବର ସବୁଠାରୁ ଧନୀ ଓ ଶକ୍ତିଶାଳୀ କ୍ରିକେଟ ବୋର୍ଡ ବିସିସିଆଇର ସମ୍ପାଦକ ଭାବେ ଜୟ ଶାହା ୨୦୨୨ ଅକ୍ଟୋବର​‌ରେ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ। ଦ୍ବିତୀୟ ପାଳିର କାର୍ଯ୍ୟକାଳ ଆଉ ଏକ ବର୍ଷ ବାକି ରହିଛି। ତାଙ୍କ କାର୍ଯ୍ୟକାଳ ୨୦୨୫ ସେପ୍ଟେମ୍ବରରେ ଶେଷ ହେବ। ଏହାଛଡ଼ା ସେ ବର୍ତ୍ତମାନ ଆଇସିସିର ଅର୍ଥ – ବାଣିଜ୍ୟ ସବ୍‌ କମିଟି ମୁଖ୍ୟ ରହିଛନ୍ତି। ବିସିସିଆଇ ନିୟମାନୁସାରେ ୬ ବର୍ଷ ପଦବୀରେ ରହିବା ପରେ ୩ ବର୍ଷର କୁଲିଂ ଅଫ ପିରିୟଡ ଆବଶ୍ୟକତା ରହିଥାଏ। ଜୟ ଶାହା ଯଦି ଆଇସିସିର ଅଧ୍ୟକ୍ଷ ହୁଅନ୍ତି ତେବେ ୩୬ ବର୍ଷ ବୟସରେ ସର୍ବକନିଷ୍ଠ ସଭାପତି ହେବେ। ଏହାଛଡ଼ା ୫ମ ଭାରତୀୟ ଭାବେ ଏହି ପଦ ହାସଲ କରିବାରେ ସଫଳ ହେବେ। ପୂର୍ବରୁ ଆଇସିସି ଅଧ୍ୟକ୍ଷ ଭାବେ ଜଗମୋହନ ଡାଲମିଆଁ, ଶରତ ପାୱାର, ଏନ୍‌ ଶ୍ରୀନିବାସନ ଓ ଶଶାଙ୍କ ମନୋହର ଯୋଷୀ ଦାୟିତ୍ବ ତୁଲାଇ ସାରିଛନ୍ତି।

Comments are closed.