କାବୁଲ : ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପାଇଁ ଆମେରିକାର ରାଷ୍ଟ୍ରଦୂତ ଜାଲମେ ଖଲିଲ୍ଜାଦଙ୍କୁ ଦାୟୀ କରାଯାଇଛି। ଆଫଗାନିସ୍ତାନ ଜନ୍ମିତ ୭୦ବର୍ଷୀୟ ଖଲିଲ୍ଜାଦଙ୍କୁ ତାଲିବାନଙ୍କ ସହିତ ଶାନ୍ତି କଥାବାର୍ତ୍ତା ନିମନ୍ତେ ଆମେରିକା ୨୦୧୮ରେ ଏହାର ସ୍ବତନ୍ତ୍ର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦେଇଥିଲା। ଖଲିଲ୍ଜାଦଙ୍କୁ ସ୍ବତନ୍ତ୍ର ରାଷ୍ଟ୍ରଦୂତ ନିଯୁକ୍ତି ଦେବା ପରେ ତାଙ୍କ କଥାରେ ଆମେରିକା ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବୁଦୁଲ ଘନି ବରାଦରଙ୍କୁ ପାକିସ୍ତାନ କାରାଗାରରୁ ମୁକ୍ତ କରାଇଥିଲା। ଏହା ସହିତ ଶାନ୍ତି ଆଲୋଚନା ନାମରେ ଆଫଗାନ କାରାଗାରରେ ବନ୍ଦୀ ଥିବା ଅନେକ ତାଲିବାନ ନେତାଙ୍କୁ ମଧ୍ୟ ଖଲିଲ୍ଜାଦ ମୁକ୍ତ କରାଇଥିଲେ। ଯେଉଁମାନେ କି ପରବର୍ତ୍ତୀ ସମୟରେ ତାଲିବାନ ସେନାକୁ ଶକ୍ତି ଯୋଗାଇଥିଲା। ଏତେ ସବୁ ସତ୍ତ୍ବେ ତାଲିବାନଙ୍କ ସହିତ ଶାନ୍ତି କଥାବାର୍ତ୍ତା କରିବାରେ ଖଲିଲ୍ଜାଦ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଏପରି କି ତାଲିବାନଙ୍କ ସହ ଆଫଗାନ ସରକାରଙ୍କ କ୍ଷମତା ଆବଣ୍ଟନ ପ୍ରସଙ୍ଗ ମଧ୍ୟ ବିଫଳ ହୋଇଥିଲା। ଏକଦା ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଥିବା ଖଲିଲ୍ଜାଦ ତାଲିବାନଙ୍କ କ୍ଷମତା ଦଖଲ ପରେ ସମ୍ପୂର୍ଣ୍ଣ ନିରବ ରହିଛନ୍ତି। ଆମେରିକାର ଆନ୍ତର୍ଜାତିକ ସୁରକ୍ଷା, ରାଜନୀତି ସମ୍ପର୍କିତ ଗବେଷଣା କେନ୍ଦ୍ର ହୁଡସନ ଇନଷ୍ଟିଚ୍ୟୁଟର ବରିଷ୍ଠ ଗବେଷକ ହୁସେନ ହକାନି କହିଛନ୍ତି ଯେ ଖଲିଲ୍ଜାଦ ଓ ତାଲିବାନଙ୍କ ସହିତ ଶାନ୍ତି କଥାବାର୍ତ୍ତା ପ୍ରଭାବଶାଳୀ ନଥିଲା। ତାଙ୍କର ଶାନ୍ତି କଥାବାର୍ତ୍ତା ଅତ୍ୟନ୍ତ ନିମ୍ନମାନର ଥିଲା ଫଳରେ ଏହା ସଫଳ ହୋଇପାରି ନଥିଲା। ଏପରି କି ତାଙ୍କ କଥାରେ ତାଲିବାନମାନେ କ୍ଷମତା ଆବଣ୍ଟନ ପାଇଁ ରାଜି ହୋଇ ନଥିଲେ। ଆଫଗାନିସ୍ତାନରୁ ଆମେରିକା ଏହାର ସୈନ୍ୟ ପ୍ରତ୍ୟାହାର ନିମନ୍ତେ ରାଷ୍ଟ୍ରପତି ଜୋ ବାଇଡେନ ବ୍ୟଗ୍ର ଥିବା ବିଷୟ ଖଲିଲ୍ଜାଦ ତାଲିବାନଙ୍କୁ କହିଥିଲେ। ଫଳରେ ସେମାନେ ଶାନ୍ତି ପରିବର୍ତ୍ତେ କ୍ଷମତା ଦଖଲ ପାଇଁ ମନ ବଳାଇଥିଲେ। କାତାରରେ ତାଲିବାନଙ୍କ ସହିତ କଥାବାର୍ତ୍ତା ସମୟରେ ତାଲିବାନ ନେତାଙ୍କ ସହିତ ଖଲିଲ୍ଜାଦଙ୍କ ଘନିଷ୍ଠତା ବଢିଥିବା ଦେଖିବାକୁ ମିଳିଥିଲା।
Popular Categories



