ଚାକିରି ବଦଳାଇବେ ଦୁଇ ତୃତୀୟାଂଶ ଭାରତୀୟ ଆଇଟି କର୍ମଚାରୀ

ନୂଆଦିଲ୍ଲୀ: ଦେଶର ଦୁଇ ତୃତୀୟାଂଶ ଆଇଟି କର୍ମଚାରୀ (ନଲେଜ ୱାର୍କର) ୨୦୨୩ରେ ସେମାନଙ୍କର ଚାକିରୀ ପରିବର୍ତ୍ତନ କରିବା ସମ୍ଭାବନା ରହିଛି। କାର୍ଯ୍ୟସ୍ଥଳକୁ ନେଇ ଅସନ୍ତୋଷ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ପର୍କ ଖରାପ ହେବା ଆଦି କାରଣରୁ ସେମାନେ ଚାକିରୀ ବଦଳାଇବାକୁ ବିଚାର କରୁଥିବା ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାଯାଇଛି। ବୁଧବାର ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଅନ୍ୟୂନ ୫୪ ପ୍ରତିଶତ ଭାରତୀୟ ଆଇଟି କର୍ମଚାରୀ ଗତ ବର୍ଷକ ମଧ୍ୟରେ ନିଜ କାର୍ଯ୍ୟସ୍ଥଳକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ସଫ୍ଟୱେର ସଂସ୍ଥା ସ୍ଲାକ୍‌‌ ଟେକ୍‌‌ନୋଲୋଜି ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ୧୯୯ ଜଣ ପର୍ଯ୍ୟନ୍ତ କର୍ମଚାରୀ ଥିବା ସଂସ୍ଥାଗୁଡିକରେ ପରିସ୍ଥିତି ଅଧିକ ଖରାପ। ଏହିଭଳି ସଂସ୍ଥାଗୁଡିକରେ ୫୯ ପ୍ରତିଶତ ନଲେଜ ୱାର୍କର ବ୍ୟଗ୍ର ଥିବାବେଳେ ୧୫୦୦ରୁ ଅଧିକ କର୍ମଚାରୀ କାମ କରୁଥିବା ସଂସ୍ଥାଗୁଡଇକରେ ୪୮ ପ୍ରତିଶତ କର୍ମଚାରୀ ଏହିଭଳି ବ୍ୟଗ୍ର ଓ ବ୍ୟାକୁଳ ସ୍ଥିତିରେ ଅଛନ୍ତି।

ସ୍ଲାକ୍‌‌ ପକ୍ଷରୁ ୧୦୦ରୁ ଅଧିକ କର୍ମଚାରୀ କାମ କରୁଥିବା ବିଭିନ୍ନ ଆଇଟି ଓ ଆଇଟିଇଏସ୍‌‌ କମ୍ପାନୀରେ ୨ହଜାର ନଲେଜ ୱାର୍କରଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା। ଡେସ୍କରେ ବସି କାମ କରୁଥିବା କର୍ମଚାରୀମାନେ ସେମାନଙ୍କ ନେତୃବୃନ୍ଦଙ୍କ ଠାରୁ ଅଧିକ ଉନ୍ନତ ସମ୍ପର୍କ ଆଶା କରୁଥିବାବେଳେ ତାହା ନପାଇଲେ ସେମାନେ ବିକଳ୍ପ ନିଯୁକ୍ତି ସନ୍ଧାନ କରିବା ଆଶା ରହିଥିବା ଜାଣିବାକୁ ମିଳିଛି। ପ୍ରାୟ ୭୧ ପ୍ରତିଶତ ଯୁବ କର୍ମଚାରୀ ସେମାନଙ୍କ ଚାକିରୀ ବଦଳାଇବେ ବୋଲି ମତ ଦେଇଥିଲେ। ଭାରତୀୟ ଆଇଟି ଏବଂ ଆଇଟିଇଏସ୍‌‌ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୮୪ ପ୍ରତିଶତ କହିଛନ୍ତି ଯେ ସେମାନଙ୍କର ନେତୃବୃନ୍ଦ ସେମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରୁନାହାନ୍ତି ଏବଂ ସେମାନେ ଚାକିରୀ ବଦଳାଇବାକୁ ବିଚାର କରୁଛନ୍ତି। ପ୍ରାୟ ୫ ପ୍ରତିଶତ ମତ ଦେଇଛନ୍ତି ଯେ ସେମାନେ ସେମାନଙ୍କ ଚାକିରୀ ସର୍ତ୍ତାବଳୀ ପୂରଣ କରି ଚୁପ୍‌‌ଚାପ ଛାଡିଦେବେ, କିନ୍ତୁ ସେହି ସ୍ତରରୁ ଊର୍ଦ୍ଧ୍ବକୁ ଅଥବା ତାହା ତଳକୁ ଯିବେନାହିଁ।

ସର୍ବେକ୍ଷଣରେ ସାମିଲ ଆଇଟି ଓ ଆଇଟିଇଏସ୍‌‌ କର୍ମଚାରୀମାନେ କହିଛନ୍ତି ଯେ ସାଂଗଠନିକ ସଫଳତା ନିମନ୍ତେ ଆର୍ଥିକ ସଫଳତା ତୁଳନାରେ ସ୍ୱଚ୍ଛତା ଏବଂ ବିଶ୍ୱସନୀୟ ନେତୃତ୍ୱ, ନମନୀୟ କାର୍ଯ୍ୟଶୈଳୀ, କର୍ମଚାରୀଙ୍କ କଲ୍ୟାଣ ତଥା ଦଳଗତ କାର୍ଯ୍ୟ ଏବଂ ସମନ୍ୱୟ ଅତ୍ୟନ୍ତ ଜରୁରୀ। ଭାରତୀୟ ନଲେଜ କର୍ମଚାରୀଙ୍କ ମଧ୍ୟରୁ ତିନି-ଚତୁର୍ଥାଂଶ କହିଛନ୍ତି ଯେ ସେମାନେ ସ୍ଥାନ ଅଥବା କାର୍ଯ୍ୟ ସମୟ ନିର୍ବିଶେଷରେ ସେମାନଙ୍କ କାର୍ଯ୍ୟ କରିବା ସକାଶେ ପ୍ରଥମେ ସେମାନଙ୍କୁ ବିଶ୍ୱାସକୁ ନିଆଯିବା ଆବଶ୍ୟକ। ସଂଖ୍ୟାଗରିଷ୍ଠ ଭାରତୀୟ ଆଇଟି ଓ ଆଇଟିଇଏସ୍‌‌ କର୍ମଚାରୀ (୮୧ ପ୍ରତିଶତ) ଏହା ମଧ୍ୟ କହିଛନ୍ତି ଯେ ସେମାନେ ଚାକିରୀରୁ ଅଧିକ ପରିପୂର୍ଣ୍ଣତା ଆଶା କରୁଛନ୍ତି ଅଥବା ସେମାନେ ଯେଭଳି ନିଜ କର୍ମକ୍ଷେତ୍ରରେ କିଛିଟା ପ୍ରଭାବୀ କାର୍ଯ୍ୟ କରିପାରୁଛନ୍ତି, ସେହିଭଳି ଅନୁଭବ କରିବାକୁ ଚାହୁଛନ୍ତି।

କେବଳ ଆଇଟି ଓ ଆଇଟିଇଏସ୍‌‌ କର୍ମଚାରୀ ନୁହନ୍ତି, ସିଭିଲ ସର୍ଭାଣ୍ଟ ଏବଂ ସରକାରୀ କର୍ମଚାରୀ ମଧ୍ୟ ମତ ଦେଇଛନ୍ତି ଯେ ସେମାନେ ଗତ ବର୍ଷକ ଭିତରେ ନିଜ ଭିତରେ ଅସନ୍ତୋଷ ଅନୁଭବ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୫୮ ପ୍ରତିଶତ କହିଛନ୍ତି, ସେମାନଙ୍କ ଉପରେ ମାତ୍ରାଧିକ ବୋଝ ପଡୁଥିବା ସେମାନେ ମନେକରୁଛନ୍ତି। ଫଳସ୍ୱରୂପ ୧୩ ପ୍ରତିଶତ ସରକାରୀ କର୍ମଚାରୀ ସେହି ସମୟ ମଧ୍ୟରେ ନୀରବରେ ଚାକିରୀ ଛାଡିଦେଇଥିବା କହିଛନ୍ତି।

Comments are closed.