www.samajalive.in
Tuesday, December 9, 2025
17.1 C
Bhubaneswar

ଗାଜାରେ ପରମାଣୁ ବୋମା ପକାଇବୁ : ଇସ୍ରାଏଲ ମନ୍ତ୍ରୀ

ତେଲ ଆବିଭ୍‌ : ଗାଜାରେ ହମାସ ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଦୃଢ ପ୍ରତିଜ୍ଞା କରିଥିବା ଇସ୍ରାଏଲ ଏଠାରେ ପରମାଣୁ ବୋମା ପକାଇବାର ଯୋଜନା କରୁଛି। ଗାଜାରେ ପରମାଣୁ ଆକ୍ରମଣ ବିକଳ୍ପ ସମ୍ପର୍କରେ କହିଛନ୍ତି ଇସ୍ରାଏଲର ମନ୍ତ୍ରୀ ଆମିଚାଇ ଏଲିୟାହୁ। ଇସ୍ରାଏଲ ଐତିହ୍ୟ ମନ୍ତ୍ରୀ ଥିବା ଏଲିୟାହୁ ଏକ ରେଡିଓ ସାକ୍ଷାତକାରରେ କହିଛନ୍ତି ଯେ ଗାଜାରେ ହମାସ ଆତଙ୍କବାଦୀଙ୍କ ସମୂଳେ ନିପାତ କରିବାର ଗୋଟିଏ ବିକଳ୍ପ ହେଉଛି ପରମାଣୁ ଆକ୍ରମଣ। ଏଲିୟାହୁଙ୍କ ଏପରି ମନ୍ତବ୍ୟକୁ ନେଇ ବିଶ୍ବବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି। ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ବ ଇସ୍ରାଏଲ ମେଣ୍ଟ ସରକାରରେ ଅଂଶୀଦାର ଥିବା ଓଜମା ୟେହୁଦିତ୍ ପାର୍ଟିର ସଦସ୍ୟ ହେଉଛନ୍ତି ଏଲିୟାହୁ। ତେବେ ଏଲିୟାହୁଙ୍କ ଏପରି କଥାକୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଖଣ୍ଡନ କରିଛନ୍ତି। ନେତାନ୍ୟାହୁ କହିଛନ୍ତି ଯେ ଏହିୟାହୁ ଯେଉଁ ଆଶଙ୍କା ବ୍ୟକ୍ତ କରିଛନ୍ତି ତାର କୌଣସି ସତ୍ୟତା ନାହିଁ। ଗାଜାରେ ଇସ୍ରାଏଲ ଯେଉଁ ଯୁଦ୍ଧ ଚଳାଇଛି ତାହା ଆନ୍ତର୍ଜାତିକ ନିୟମ ଆଧାରରେ ଚାଲିଛି। ନିରୀହ ଜନତା ଯେପରି ଯୁଦ୍ଧରେ କୌଣସି ପ୍ରକାର କ୍ଷତିଗ୍ରସ୍ତ ନ ହେବେ ସେଥିପ୍ରତି ଇସ୍ରାଏଲ ସେନା (ଆଇଡିଏଫ୍‌) ଗୁରୁତ୍ବ ଦେଇ ଆସୁଛି। ସେହିପରି ଇସ୍ରାଏଲର ବିରୋଧୀ ଦଳ ନେତା ୟାର ଲାପିଡ କହିଛନ୍ତି ଯେ ଏଲିୟାହୁଙ୍କ ଦାୟିତ୍ବହୀନ ମନ୍ତବ୍ୟ ପାଇଁ ତାଙ୍କୁ ସରକାରରୁ ବହିଷ୍କାର କରାଯିବା ଦରକାର। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ନେତାନ୍ୟାହୁ ଏଲିୟାହୁଙ୍କୁ କ୍ୟାବିନେଟରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି।
ଅନ୍ୟପଟେ ନେତାନ୍ୟାହୁ କହିଛନ୍ତି ଯୁଦ୍ଧରେ ବିଜୟ ହେବା ପର୍ଯ୍ୟନ୍ତ ଇସ୍ରାଏଲ ଯୁଦ୍ଧ ଜାରି ରଖିବ। ଅସ୍ତ୍ରବିରତି ନେଇ ​‌ଆମେରିକା ସମେତ ଆନ୍ତର୍ଜାତିକ ସମୁଦାୟ ପକ୍ଷରୁ ଇସ୍ରାଏଲ ଉପରେ ଚାପ ପଡୁଥିବାବେଳେ ନେତାନ୍ୟାହୁ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନେତାନ୍ୟାହୁ କହିଛନ୍ତି ଯେ ହମାସ ଆତଙ୍କବାଦୀମାନେ ପଣବନ୍ଦୀଙ୍କୁ ପ୍ରଥମେ ମୁକ୍ତ କରିବା ପରେ ଅସ୍ତ୍ରବିରତି ସମ୍ପର୍କରେ ବିଚାର କରାଯିବ। ହମାସ ଆତଙ୍କବାଦୀଙ୍କ ଅଧୀନରେ ଏବେ ୨୪୦ଜଣ ଇସ୍ରାଏଲ ଓ ବିଦେଶୀ ନାଗରିକ ପଣବନ୍ଦୀ ରହିଛନ୍ତି। ଇସ୍ରାଏଲ ଓ ହସାମ ମଧ୍ୟରେ ଚାଲିଥିବା ଯୁଦ୍ଧ ରବିବାର ୩୦ ଦିନରେ ପହଞ୍ଚିଛି। ଏହି ଯୁଦ୍ଧରେ ଗାଜାରେ ପ୍ରାୟ ୧୦ହଜାର ଲୋକ ପ୍ରାଣ ହରାଇଲେଣି। ଏମାନଙ୍କ ମଧ୍ୟରେ ୪୮୦୦ ଶିଶୁ ରହିଛନ୍ତି। ଏପରିକି ଯୁଦ୍ଧ ଯୋଗୁଁ ଗାଜାରେ ପ୍ରତି ୧୦ମିନିଟ୍‌ରେ ଜଣେ ଶିଶୁ ପ୍ରାଣ ହରାଉଥିବା ନେଇ ଜାତିସଂଘ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି। ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ରବିବାର ତାଙ୍କର ଇରାନ ପ୍ରତିପକ୍ଷ ଅମିର ଅବଦୋଲ୍ଲାଙ୍କ ସହିତ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି। କଥାବାର୍ତ୍ତା କାଳରେ ଗାଜାକୁ ମାନବିକ ସହାୟତା ଯୋଗାଣ ଉପରେ ଜୟଶଙ୍କର ଗୁରୁତ୍ବ ଦେଇଛନ୍ତି। ଏହା ସହିତ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ମାନବିକ ସଂକଟକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories