
ଯଦି ଖୋମିନିଙ୍କ ମୃତ୍ୟୁ ହୁଏ, କିଏ ହେବ ପରବର୍ତ୍ତୀ ସର୍ବୋଚ୍ଚ ନେତା ?

ସମାଜ ଡିଜିଟାଲ ଡେସ୍କ: ଇରାନ-ଇସ୍ରାଏଲ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଆଜି ଯୁଦ୍ଧର ଷଷ୍ଠ ଦିନ । ଇସ୍ରାଏଲ ସହିତ ଟ୍ରମ୍ପ ମଧ୍ୟ ଇରାନ ପଛରେ ପଡିଥିବା ମନେ ହେଉଛି । ସମ୍ପ୍ରତି ଡୋନାଲ୍ଡ ଟ୍ରମ୍ପ ଆୟାତୋଲ୍ଲା ଅଲ୍ଲୀ ଖୋମିନିଙ୍କୁ ଏକ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ କୌଣସି ସର୍ତ୍ତ ବିନା ଆତ୍ମସମର୍ପଣ କରନ୍ତୁ ଖୋମିନି । ଏହା ପରେ ଖୋମିନି ମଧ୍ୟ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ସେ ୟିହୁଦୀମାନଙ୍କ ପ୍ରତି କୌଣସି ପ୍ରକାର ଦୟା ଦେଖାଇବେ ନାହିଁ । ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ନେତାନ୍ୟାୟୁ କହିଛନ୍ତି ଯେ ଯଦି ଆୟାତୋଲ୍ଲା ଅଲ୍ଲି ଖୋମିନିଙ୍କୁ ହତ୍ୟା କରାଯାଏ, ତେବେ ଯୁଦ୍ଧ ଶେଷ ହୋଇଯିବ । ଯଦି ଏହା ହୁଏ ତେବେ ଇରାନର ପରବର୍ତ୍ତୀ ନେତା କିଏ ହେବେ ତାହାକୁ ନେଇ ଚର୍ଚ୍ଚା ହେଉଛି ।
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖୋମିନି ବର୍ତ୍ତମାନ ଚିନ୍ତିତ ଏବଂ ଏକାକୀ ଥିବା ପରି ମନେ ହେଉଛି । କାରଣ ଗୋଟିଏ ପଟେ ନେତାନ୍ୟାହୁଙ୍କ ବୟାନ ଓ ସେପଟେ ଟ୍ରମ୍ପଙ୍କ ଚେତାବନୀ ତାଙ୍କୁ ହରଡଘଣାରେ ପକାଇବା ସହ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ସକର୍ତ କରାଇ ଦେଇ କହିଛନ୍ତି ସଦ୍ଦାମ ହୁସେନଙ୍କ ପରି ସମାନ ଅବସ୍ଥା ଭୋଗିବାକୁ ପଡିବ ।
କିଏ ହେବ ପରବର୍ତ୍ତୀ ସର୍ବୋଚ୍ଚ ନେତା
ମୋଜତବା ଖୋମିନି
ମୋଜତବା ଖୋମିନି ହେଉଛନ୍ତି ସର୍ବୋଚ୍ଚ ନେତାଙ୍କ ଦ୍ୱିତୀୟ ପୁଅ ଏବଂ ଏହି ପଦବୀ ପାଇଁ ସବୁଠାରୁ ବଡ ଦାବିଦାର । ୧୯୬୯ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ମୋଜତବା ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ ଏବଂ ଇରାନ ଧର୍ମଗୁରୁ ପ୍ରତିଷ୍ଠାନ ସହିତ ଜଡ଼ିତ ଅଛନ୍ତି । ସେ ଏହି ଯୁଦ୍ଧରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
ଅଲିରେଜା ଅରାଫି
ଅଲିରେଜା ଅରାଫି ଜଣେ ଇରାନୀ ସିଆ ଧର୍ମଗୁରୁ । ଯିଏ ଅଭିଭାବକ ପରିଷଦର ସଦସ୍ୟ ଅଟନ୍ତି । ତାଙ୍କର ବୟସ ୬୨ବର୍ଷ ହେବ । ଅଲିରେଜା ଅଲ୍-ମୁସ୍ତାଫା ଇଣ୍ଟରନ୍ୟାସନାଲ ୟୁନିଭସିଟିର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି । ସେ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ହେବା ପାଇଁ ରେସରେ ଅଛନ୍ତି ।
ଅଲି ଅସଗର ହେଜାଜି
ଆୟାତୋଲ୍ଲା ଅଲ୍ଲି ଖୋମିନିଙ୍କ କାର୍ଯ୍ୟାଳୟରେ ରାଜନୈତିକ ସୁରକ୍ଷା ମାମଲା ଦେଖାଶୁଣା କରୁଥିବା ଅଲି ଅସଗର ଇରାନର ସର୍ବୋଚ୍ଚ ନେତା ଭାବେ ନିର୍ବାଚିତ ହେବାକୁ ତାଲିକାରେ ଜଣେ ଦାବିଦାର ଭାବେ ଉଭା ହୋଇଛନ୍ତି । ସେ ରଣନୈତିକ ନିଷ୍ପତି ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।
ଗୁଲାମ ହୁସେନ ମୋହସେନି ଏଜେଇ
ଇରାନ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରନ୍ତି ଗୁଲାମ ହୁସେନ ମୋହସେନି ଏଜେଇ । ସେ ଦଶନ୍ଧି ଧରି ଗୁପ୍ତଚର ବିଭାଗରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସର୍ବୋଚ୍ଚ ନେତା ଭାବେ ସେ ଜଣେ ଦୃଢ ଦାବିଦାର ହୋଇପାରନ୍ତି । ଇରାନର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ସହିତ ଗୁପ୍ତଚର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଆଇନଗତ କୌଶଳ ବିଷୟରେ ବହୁତ ଜ୍ଞାନ ଏବଂ ବୁଝାମଣା ଅଛି ।
Comments are closed.