ମୁଜିବ୍, ନବୀନ, ଫାରୁକି ଆଇପିଏଲ୍ ଖେଳି ନପାରନ୍ତି
ନୂଆଦିଲ୍ଲୀ : ଅଫ୍ସ୍ପିନର ମୁଜିବ୍ ଉର୍ ରେହ୍ମାନ ଏବଂ ୨ ଫାଷ୍ଟବୋଲର ନବୀନ ଉଲ୍ ହକ୍ ଓ ଫଜଲହକ୍ ଫାରୁକିଙ୍କୁ ବିଦେଶରେ ଟ୍ବେଣ୍ଟି୨୦ ଲିଗ୍ ଖେଳିବା ପାଇଁ ଅନୁମତି (ଏନ୍ଓସି) ଦେଇନାହିଁ ଆଫ୍ଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି)। ଫଳରେ ଏହି ୩ ଖେଳାଳି ୨୦୨୪ରେ ଆଇପିଏଲ୍ ଖେଳିବା ନେଇ ସନ୍ଦେହ ସୃଷ୍ଟିହୋଇଛି। ଏସିବି ୨୦୨୪ ବର୍ଷ ପାଇଁ ଏହି ୩ କ୍ରିକେଟରଙ୍କ ସହ ବାର୍ଷିକ ଚୁକ୍ତି ନ କରିବାକୁ ନିଷ୍ପତ୍ତି ନେଇଛି। କାରଣ ମୁଜିବ୍, ନବୀନ, ଫାରୁକି ଆସନ୍ତା ଜାନୁଆରୀ ୧ରୁ କେନ୍ଦ୍ରୀୟ ଚୁକ୍ତିରୁ ସେମାନଙ୍କୁ କାଢ଼ିବାକୁ ଅନୁରୋଧ କରିଥିଲେ।
ତେଣୁ ଏହି ପ୍ରସଙ୍ଗର ତଦନ୍ତ ପାଇଁ ଏସିବି ଏକ କମିଟି ଗଠନ କରିଛି। ଉପରୋକ୍ତ ୩ କ୍ରିକେଟର ବ୍ୟାବସାୟିକ ଟ୍ବେଣ୍ଟି୨୦ ଲିଗ୍ରେ ଖେଳିବାକୁ ପ୍ରାଥମିକତା ଦେବା ଏବଂ ଆଫ୍ଗାନିସ୍ତାନ ପାଇଁ ଖେଳିବା ଅପେକ୍ଷା ନିଜର ସ୍ବାର୍ଥକୁ ପ୍ରାଧାନ୍ୟ ଦେବା ଯୋଗୁଁ ମୁଜିବ୍, ନବୀନ ଓ ଫାରୁକିଙ୍କୁ ଏସିବି କେନ୍ଦ୍ରୀୟ ଚୁକ୍ତିରୁ ବଞ୍ଚିତ କରିଛି। କାରଣ ଆଫ୍ଗାନିସ୍ତାନ ପାଇଁ ଖେଳିବାକୁ ଏସିବି ଜାତୀୟ ଦାୟିତ୍ବ ବୋଲି ଘୋଷଣା କରିଛି।
ତେଣୁ କେନ୍ଦ୍ରୀୟ ଚୁକ୍ତିରୁ ଅବ୍ୟାହତି ନେବା ପାଇଁ ଏହି ୩ କ୍ରିକେଟର ଅନୁରୋଧ କରିଥିବାରୁ ସେମାନଙ୍କ ବିରୋଧରେ ଏସିବି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ତେଣୁ ଏସିବି ଦ୍ବାରା ନିଯୁକ୍ତ ତଦନ୍ତ କମିଟିର ରିପୋର୍ଟ ଉପରେ ସବୁକିଛି ନିର୍ଭର କରେ। ଏହାସହ ମୁଜିବ୍, ନବୀନ ଓ ଫାରୁକି ସେମାନଙ୍କୁ ଆଫ୍ଗାନିସ୍ତାନ ଦଳରେ ସାମିଲ କରିବା ପୂର୍ବରୁ ସେମାନଙ୍କ ଅନୁମତି ନେବାକୁ କହିଛନ୍ତି। ଏହା ଏସିବିକୁ ଆହୁରି କ୍ଷୁବ୍ଧ କରିଛି। ନିକଟରେ ହୋଇଥିବା ଆଇପିଏଲ୍ ନିଲାମରେ କଲକାତା ନାଇଟ୍ ରାଇଡର୍ସ ୨ କୋଟି ଟଙ୍କାରେ ମୁଜିବ୍ ଉର୍ ରେହ୍ମାାନଙ୍କୁ କିଣିଥିଲା। ନବୀନଙ୍କ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଓ ଫାରୁକିଙ୍କୁ ସନ୍ରାଇଜର୍ସ ହାଇଦରାବାଦ ସେମାନଙ୍କୁ ଦଳରେ ରଖିଥିଲା। ବ୍ୟାବସାୟିକ ଟ୍ବେଣ୍ଟି୨୦ ଲିଗ୍ରେ ଖେଳିବା ପାଇଁ ମୁଜିବ୍, ନବୀନ ଓ ଫାରୁକିଙ୍କ ଅନୁମତି ତୁରନ୍ତ ବାତିଲ କରିବାକୁ ଏସିବି ନିର୍ଦେଶ ଦେଇଛି। ଫଳରେ ସେମାନଙ୍କ ଆଇପିଏଲ୍ ଖେଳିବା ନେଇ ସନ୍ଦେହ ସୃଷ୍ଟିହୋଇଛି। ଏଣେ ଜାନୁଆରୀ ୧୧ରୁ ୧୭ ପର୍ଯ୍ୟନ୍ତ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବା ପାଇଁ ଆଫ୍ଗାନିସ୍ତାନ ଦଳ ଭାରତ ଆସିବ। ଏଥିପାଇଁ ମୁଜିବ୍, ନବୀନ ଓ ଫାରୁକି ଅାଫ୍ଗାନିସ୍ତାନ ଦଳରେ ସ୍ଥାନ ପାଉଛନ୍ତି କି ନାହିଁ; ତାହା ଦେଖିବାର କଥା।
Comments are closed.