www.samajalive.in
Tuesday, December 9, 2025
17.1 C
Bhubaneswar

ରୁଷ୍‌ ଧମକରେ ବିଶ୍ବ ଚିନ୍ତିତ, ତେଜିଲା ତେଲ ସଙ୍କଟ

ୱାଶିଂଟନ/ମସ୍କୋ,: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଏବେ ବିଶ୍ବବାସୀଙ୍କ ପାଇଁ ମହଙ୍ଗା ପଡିବ। ରୁଷ୍‌ର ଘନଘନ ଆକ୍ରମଣ ୟୁକ୍ରେନ୍‌କୁ ଯେତିକି କ୍ଷତିଗ୍ରସ୍ତ କରିଛି, ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଙ୍କ କଠୋର କଟକଣା ମଧ୍ୟ ମସ୍କୋକୁ ଅନୁରୂପ ଆର୍ଥିକ ସଙ୍କଟ ଭିତରକୁ ଟାଣି ଆଣିଛି। ତୈଳ ଓ ଗ୍ୟାସ୍‌ ଉପରେ ପ୍ରତିଷ୍ଠିତ ରୁଷ୍‌ ଅର୍ଥନୀତିକୁ ଧ୍ବଂସ କରିବା ପାଇଁ ଆମେରିକା ରଣନୀତିକୁ ଦେଖି ମସ୍କୋ କ୍ଷୁବ୍ଧ ହୋଇପଡିଛି। ଆମେରିକା ଓ ୟୁରୋପୀୟ ରାଷ୍ଟ୍ରସଙ୍ଘ କେହି ରୁଷ୍‌ ଠାରୁ ଅଶୋଧିତ ତୈଳ କିଣିବେନି ବୋଲି ମାର୍କିନ ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଷ୍ପତ୍ତି ନେବାପରେ ବିଶ୍ବ ତୈଳ ବଜାରରେ ଗୁରୁତର ତୈଳ ସଙ୍କଟ ସୃଷ୍ଟି ହେବାକୁ ଯାଉଛି। ଏଭଳି ସ୍ଥିତିରେ ପଶ୍ଚିମୀ ରାଷ୍ଟ୍ରଙ୍କୁ ରୁଷ୍‌ ଉପପ୍ରଧାନମନ୍ତ୍ରୀ ଆଲେକ୍‍ଜାଣ୍ଡର ନୋଭାକ୍‍ ଯେଉଁ ଚେତାବନୀ ଦେଇଛନ୍ତି ତାହା ଅଶୋଧିତ ଇନ୍ଧନ ତୈଳ ଦରକୁ ଅଧିକ ତେଜିଦେଇଛି। ଆମେରିକା ଓ ଇୟୁ ରୁଷ୍‌ ଉପରେ କଠୋର ଆର୍ଥିକ କଟକଣା ଲଗାସାରିଛନ୍ତି। ଏବେ ଅଶୋଧିତ ତୈଳ ଉପରେ ମଧ୍ୟ କଟକଣା ଲଗାଇଥିବାରୁ ତାହାର ମୁକାବିଲା ଲାଗି ମସ୍କୋ ଅଶୋଧିତ ତୈଳ ବ୍ୟାରେଲ ପ୍ରତି ଦର ୩୦୦ ଡଲାର ପହଞ୍ଚାଇବ ଦେବ ବୋଲି ସିଧାସଳଖ ଚେତାବନୀ ଦେଇଛି। ଏପରିକି ଗ୍ୟାସ୍‌ ଯୋଗାଣକୁ ମଧ୍ୟ ଗୁରୁତର ପ୍ରଭାବିତ କରିଦେବାକୁ ଧମକ ଦେଇଛି।

ଫଳରେ ସାରା ବିଶ୍ୱ ପାଇଁ ମାଡିଆସୁଛି ଘୋର ତେଲ ସଙ୍କଟ। ପେଟ୍ରୋଲ, ଡିଜେଲ ଆଦି କିଣିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ହେବନାହିଁ। ଗାଡି ମଟର ସବୁ ଅଚଳ ହୋଇ ପଡ଼ିରହିବ। ଏହାର ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହେବ ଏବଂ ସାଧାରଣ ଜୀବନଯାତ୍ରା ଅଚଳ ହୋଇପଡ଼ିବ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ରୁଷର ଧମକ ପରେ ଏଭଳି ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ଏପରିକି ତାହାର ପ୍ରଭାବ ମଧ୍ୟ ତୈଳ ବଜାର ଉପରେ ପଡ଼ିଲାଣି। ମଙ୍ଗଳବାର ଦିନ ଆନ୍ତର୍ଜାତିକ ବଜାରରେ ଅଶୋଧିର ତୈଳ ବ୍ୟାରେଲ ପିଛା ପ୍ରାୟ ୧୩୯ ଡଲାରରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଏହା ୩୦୦ ଡଲାରରେ ପହଞ୍ଚିବା ଆଶଙ୍କା ଦେଖାଦେଇଛି। ମାତ୍ର ତିନିମାସ ତଳେ ଅଶୋଧିତ ତୈଳ ବ୍ୟାରେଲ ପିଛା ପାଖାପାଖି ୮୫ ଡଲାର ଥିଲା।

- Advertisement -

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ରୁଷ ବିରୋଧରେ ଏକାଧିକ କଟକଣା ଲଗାଇଥିବାବେଳେ ଏବେ ରୁଷ ସେମାନଙ୍କୁ ତେଲ ଡର ଦେଖାଇବା ଆରମ୍ଭ କରିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ରୁଷରୁ ଅଶୋଧିତ ତୈଳ ଆମଦାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିବାବେଳେ ରୁଷ ସେମାନଙ୍କୁ ଚେତାବନୀ ଦେଇଛି। ଏହାଦ୍ୱାରା ଆନ୍ତର୍ଜାତିକ ବଜାରରେ ଅଶୋଧିତ

ତୈଳ ଦର ବ୍ୟାରେଲ ପିଛା ୩୦୦ ଡଲାରରେ ପହଞ୍ଚିବ ଏବଂ ଏହାର ପ୍ରଭାବରେ ସବୁକିଛି ଅଚଳ ହୋଇଯିବ ବୋଲି ରୁଷ କହିଛି। ତାହାସହିତ ଏହା ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ଗ୍ୟାସ ଯୋଗାଣ ବନ୍ଦ କରିବାକୁ ଧମକ ଦେଇଛି। ସୂଚନାଯୋଗ୍ୟ ଯେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ ୱାଶିଂଟନ ଏବଂ ଏହାର ୟୁରୋପୀୟ ମିତ୍ର ରାଷ୍ଟ୍ରଗୁଡିକ ରୁଷରୁ ତୈଳ ଆମଦାନୀ ନିଷେଧ କରିବାକୁ ବିଚାର କରୁଛନ୍ତି। ଏହାର ଜବାବରେ ରୁଷର ଉପ ପ୍ରଧାନମନ୍ତ୍ରୀ ଆଲେକ୍‍ଜାଣ୍ଡର ନୋଭାକ୍‍ କହିଛନ୍ତି, ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଯଦି ଏଭଳି ପଦକ୍ଷେପ ନିଅନ୍ତି ତେବେ ସେମାନଙ୍କୁ ତାହାର ସାଂଘାତିକ ପରିଣାମ ଭୋଗିବାକୁ ହେବ। କେବଳ ସେତିକି ନୁହେଁ, ସମଗ୍ର ବିଶ୍ୱ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ। ତାହାସହିତ ରୁଷ୍‍ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ଗ୍ୟାସ୍‍ ଯୋଗାଣ ମଧ୍ୟ ବନ୍ଦ କରିଦେବ। ରୁଷ ଓ ଜର୍ମାନୀ ମଧ୍ୟରେ ଥିବା ଗ୍ୟାସ୍‍ ପାଇପଲାଇନ ଅଚଳ କରିଦେବାକୁ ସେ ଧମକ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ୟୁରୋପୀୟ ରାଷ୍ଟ୍ରଗୁଡିକ ରୁଷରୁ ଯେତିକି ପରିମାଣରେ ଅଶୋଧିତ ତୈଳ ପାଉଥିଲେ ସେତିକି ପରିମାଣର ତୈଳ ଯୋଗାଡ କରିବାକୁ ସେମାନଙ୍କୁ ବର୍ଷେ ଲାଗିଯିବ। ତାହାର ପରିଣତି କଣ ହେବ ତାହା ସେମାନେ ଜାଣନ୍ତି। ଜଣାଯାଇଛି ଯେ ରୁଷ ଦୈନିକ ପ୍ରାୟ ୪ରୁ ୫ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ରପ୍ତାନି କରିଥାଏ ଏବଂ ଏହା ସାଉଦି ଆରବ ପରେ ବିଶ୍ୱର ଦ୍ୱିତୀୟ ବୃହତ ଅଶୋଧିତ ତୈଳ ରପ୍ତାନିକାରୀ ରାଷ୍ଟ୍ର ଭାବରେ ପରିଚିତ।

ସୂଚନାଯୋଗ୍ୟ ଯେ ୟୁରୋପର ମୋଟ ଗ୍ୟାସ୍‍ ଆବଶ୍ୟକତାର ୪୦% ରୁଷ ପୂରଣ କରିଥାଏ। ତେବେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ ହେବାପରେ ଜର୍ମାନୀ ଗତମାସରେ ନର୍ଡ ଷ୍ଟ୍ରିମ୍‍ ୨ ଗ୍ୟାସ୍‍ ପାଇପଲାଇନ ପ୍ରକଳ୍ପର ପ୍ରମାଣପତ୍ରକୁ ସ୍ଥଗିତ ରଖିଥିଲା। ପାଶ୍ଚାତ୍ୟ ରାଷ୍ଟ୍ର ନର୍ଡ ଷ୍ଟ୍ରିମ୍‍ ୨ ପ୍ରକଳ୍ପ ଉପରେ ନିଷେଧାଦେଶ ଲାଗୁ କରିବା ପରେ ରୁଷ ଅନୁରୂପ ପାଲଟା ପଦକ୍ଷେପ ନେବାର ଅଧିକାର ରଖୁଛି ଏବଂ ନର୍ଡ ଷ୍ଟ୍ରିମ୍‍ ୧ ଗ୍ୟାସ୍‍ ପାଇପଲାଇନ୍‍ ଜରିଆରେ ଗ୍ୟାସ୍‍ ସ୍ଥାନାନ୍ତରଣ ଉପରେ ନିଷେଧାଦେଶ ଲାଗୁ କରିବ ବୋଲି ନୋଭାକ୍‍ କହିଛନ୍ତି। ଇତିମଧ୍ୟରେ ବିଶ୍ୱର ଅଗ୍ରଣୀ ଇନ୍ଧନ କମ୍ପାନୀ ଶେଲ୍‍ ରୁଷୀୟ ତୈଳ, ପ୍ରାକୃତିକ ଗ୍ୟାସ୍‍ କ୍ରୟ ନକରିବାକୁ ନିଷ୍ପତ୍ତି ନେଇଛି। ଏଥିସହିତ ଏହା ରୁଷରେ ଥିବା ତାହାର ସର୍ଭିସ ଷ୍ଟେସନଗୁଡିକୁ ବନ୍ଦ କରିବାକୁ ମଧ୍ୟ ଘୋଷଣା କରିଛି। ରୁଷରୁ ତୈଳ ବିଶୋଧନ ଯନ୍ତ୍ରପାତି ଆମଦାନୀ ଉପରେ ଜାପାନ ନିଷେଧାଦେଶ ଜାରି କରିଛି। ତାହାସହିତ ଏହା ରୁଷରୁ ତୈଳ ଆମଦାନୀ ଉପରେ ମଧ୍ୟ କଟକଣା ଲଗାଇଛି। ଅଷ୍ଟ୍ରେଲୀୟ ଆମ୍‍ପୋଲ ଏବଂ ଭିଭା ଏନର୍ଜି ଭଳି କମ୍ପାନୀଗୁଡିକ ରୁଷରୁ ଅଶୋଧିତ ତୈଳ କ୍ରୟ କରିବାକୁ ମନା କରିଦେଇଛନ୍ତି।

ଇତିମଧ୍ୟରେ ଆନ୍ତର୍ଜାତିକ ବଜାରରେ ବ୍ରେଣ୍ଟ ନର୍ଥ ସି ଅଶୋଧିତ ତୈଳ ବ୍ୟାରେଲ ପିଛା ୧୩୯.୧୩ ଡଲାରରେ ପହଞ୍ଚିଛି। ଶୁକ୍ରବାର ଠାରୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୨୦ ଡଲାରରୁ ଅଧିକ ବୃଦ୍ଧି ପାଇଥିବା ଜଣାଯାଇଛି। ୨୦୦୮ରେ ଆର୍ଥିକ ମାନ୍ଦା ଅବସ୍ଥା କାରଣରୁ ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରକୁ ଖସିଆସିଥିବାବେଳେ ତାହା ପରବର୍ତ୍ତୀ ସମୟରେ ଏହା ସର୍ବାଧିକ ସ୍ତରରେ ପହଞ୍ଚିଛି। ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ମଧ୍ୟ ପଡ଼ିଛି। ମଙ୍ଗଳବାର ବମ୍ବେ ଷ୍ଟକ ବଜାରର ସମ୍ବେଦୀ ସୂଚକାଙ୍କ ୧୬୦୦ ପଏଣ୍ଟ ହ୍ରାସପାଇଛି। ସେହିଭଳି ଜାପାନର ନିକେଇ ୨୨୫ରେ ମଙ୍ଗଳବାର ୮୫୦ ପଏଣ୍ଟ ହ୍ରାସଘଟିଛି। ହଂକଂର ସୂଚକାଙ୍କ ହାଙ୍ଗ୍‍ ସେଙ୍ଗରେ ମଧ୍ୟ ୭୦୦ ପଏଣ୍ଟରୁ ଅଧିକ ହ୍ରାସ ପରିଲକ୍ଷିତ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories