ସମାଜ ଡିଜିଟାଲ ଡେସ୍କ: କ୍ଷମତା ପରିବର୍ତ୍ତନ ସତ୍ବେ ନେପାଳରେ ଅଶାନ୍ତ ବାତାବରଣ ଜାରି ରହିଥିବା ବେଳେ ଜନତାଙ୍କ ଆକ୍ରୋଶର ଶିକାର ହୋଇଛି ଏକ ଭାରତୀୟ ପର୍ଯ୍ୟଟକ ବସ୍। ଉତ୍ତ୍ୟକ୍ତ ଲୋକମାନେ ଭାରତୀୟ ବସକୁ ଆକ୍ରମଣ କରିଛନ୍ତି। ବସରେ ଥିବା ପର୍ଯ୍ୟଟକମାନଙ୍କୁ ମାଡ଼ ମାରିବା ସହିତ ସେମାନଙ୍କଠାରୁ ଲୁଟପାଟ କରିଛନ୍ତି।
ଆନ୍ଧ୍ରପ୍ରଦେଶର କିଛି ପର୍ଯ୍ୟଟକ ଏକ ବସ ଯୋଗେ ନେପାଳ ବୁଲିବାକୁ ଯାଇଥିଲେ। କାଠମାଣ୍ଡୁ ନିକଟରେ ଉତ୍ତ୍ୟକ୍ତ ଲୋକମାନେ ବସକୁ ଆକ୍ରମର କରି ଲୁଟ୍ପାଟ କରିଥିଲେ। ଆକ୍ରମଣରେ ଅନେକ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି। ପର୍ଯ୍ୟଟକମାନେ କାଠମାଣ୍ଡୁସ୍ଥିତ ପଶୁପତିନାଥ ମନ୍ଦିର ବୁଲିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଏହି ଘଟଣା ଘଟିଥିଲା। ପର୍ଯ୍ୟଟକମାନଙ୍କ ବ୍ୟାଗ, ଫୋନ ଏବଂ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଭାରତ ସରକାର ଏହି ଘଟଣାରେ ହସ୍ତକ୍ଷେପ କରି ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତ ଫେରାଇ ଆଣିବାକୁ ଯୋଜନା କରିଥିବା ସୂଚନା ମିଳିଛି।



