ବିଦେଶରେ ଭାରତୀୟ ଛାତ୍ରଙ୍କୁ କରାଯାଉଛି ହତ୍ୟା- ପାଞ୍ଚ ବର୍ଷରେ ବିଦେଶ ଯାଇଥିବା ୪୦୩ ଭାରତୀୟ ବିଦ୍ୟାର୍ଥୀଙ୍କ ମୃତ୍ୟୁ

ସର୍ବାଧିକ କାନାଡ଼ାରେ, ସର୍ବନିମ୍ନ ଫିଲିପାଇନ୍ସରେ
ନୂଆଦିଲ୍ଲୀ : ପ୍ରତିବର୍ଷ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ବିଦେଶକୁ ପାଠ ପଢିବା ପାଇଁ ଯାଇଥା’ନ୍ତି। ଆମେରିକା ଓ ବ୍ରିଟେନରେ ପାଠ ପଢିବା ଏମାନଙ୍କ ମୁଖ୍ୟ ପସନ୍ଦ। ଏହି ୨ଟି ଦେଶରେ ଆଡମିସନ ନହେଲେ ଏମାନେ ଜର୍ମାନୀ, ୟୁକ୍ରେନ ଓ କାନାଡ଼ା ପରି ଦେଶକୁ ମଧ୍ୟ ଯାଇଥା’ନ୍ତି। ବିଦେଶରେ ରହୁଥିବା ବିଦ୍ୟାର୍ଥୀ ଏକାଧିକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଗତ ୫ ବର୍ଷ ମଧ୍ୟରେ ବିଦେଶକୁ ପଢିବାକୁ ଯାଇଥିବା ୪୦୩ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ତରଫରୁ ସଂସଦରେ ସୂଚନା ଦିଆଯାଇଛି। ସର୍ବାଧିକ ମୃତ୍ୟୁ କାନାଡ଼ାରେ ହୋଇଥିବା ଜଣାପଡ଼ିଛି।

ଆମେରିକାର ନର୍ଥ କାରୋଲିନାରେ ଜଣେ ୪୬ ବର୍ଷୀୟ ଭାରତୀୟ ବଂଶଜଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଭାରତୀୟ ଜଣକ ଗୁଜରାଟ ଗାନ୍ଦେବୀ ଅଞ୍ଚଳ ସୋନୱାଡ଼ି ଗ୍ରାମର। ଏହି ବ୍ୟକ୍ତିଙ୍କୁ ଆମେରିକାରେ ଥିବା ତାଙ୍କ ହୋଟେଲରେ ହିଁ ଜଣେ ଯୁବକ ଗୁଳି ମାରି ହତ୍ୟା କରିଛି। ମୃତ ଭାରତୀୟ ଯୁବକଙ୍କ ନାଁ ସତ୍ୟେନ ନାଏକ। ତାଙ୍କୁ ଗୁଳିମାରିଥିବା ବ୍ୟକ୍ତି ହେଲେ ଟ୍ରଏ କେଲମ (୫୯)। ପରେ ଟ୍ରଏ ନିଜକୁ ମଧ୍ୟ ଗୁଳି ମାରି ଆତ୍ମହତ୍ୟା କରିଛି। ସତ୍ୟେନଙ୍କ ଭାଇ ହରନୀଶଙ୍କ କହିବା ଅନୁଯାୟୀ, ଟ୍ରଏ କେଲମ ନାମକ ଜଣେ ବ୍ୟକ୍ତି ସତ୍ୟେନଙ୍କ ହୋଟେଲକୁ ପଶିଆସିଥିଲେ ଏବଂ ନିଜକୁ ଏକ କୋଠରିରେ ବନ୍ଦ କରିଦେଇଥିଲେ। ଏନେଇ ହୋଟେଲ କର୍ମଚାରୀ ସତ୍ୟେନଙ୍କୁ ଜଣାଇଥିଲେ। ଏହାପରେ ସତ୍ୟେନ ଟ୍ରଏଙ୍କୁ ବାହାର କରିବା ପାଇଁ ଉକ୍ତ କୋଠରି ନିକଟକୁ ଆସିଥିଲେ। ପରେ ସତ୍ୟେନ ସେହି କୋଠରୀ ଖୋଲିବାକୁ ଚେଷ୍ଟା କରିଥିଲେ। କୋଠରିର କବାଟ ଖୋଲିବା କ୍ଷଣି ଭିତରେ ଥିବା ଟ୍ରଏ ତାଙ୍କୁ ଗୁଳିକରି ଥିଲା। ଗୁରୁତର ଅବସ୍ଥାରେ ସତ୍ୟେନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେପଟେ ଉକ୍ତ ବ୍ୟକ୍ତି ଜଣକ ନିଜକୁ ପୁଣି କୋଠରି ଭିତରେ ବନ୍ଦ କରିଦେଇଥିଲା। ଏହାପରେ ପୁଲିସ୍‌ର ଏକ ଦଳ ପହଞ୍ଚି ଉକ୍ତ କୋଠରି ଖୋଲିବାକୁ ଉଦ୍ୟମ କରୁଥିବାବେଳେ ଟ୍ରଏ ନିଜକୁ ଗୁଳି ମାରି ଟଳି ପଡ଼ିଥିଲା। ସତ୍ୟେନଙ୍କ ପତ୍ନୀ, ଦୁଇ ସନ୍ତାନ ଏବଂ ମାଆ ଅଛନ୍ତି। ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି।

ସେହିପରି ଗତ ବର୍ଷ ଆମେରିକାର ଚିକାଗୋରେ ଜଣେ ଭାରତୀୟ ଛାତ୍ରୀଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଥିଲା। ମୃତ ଛାତ୍ରୀଙ୍କ ଘର ହାଇଦ୍ରାବାଦରେ । ସେ ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟରେ ଡାକ୍ତରୀ ପାଠ ପଢ଼ୁଥିଲେ। ଯୁବତୀଙ୍କୁ ବଳାତ୍କାର କରି କଲେଜ ପରିସର ବାହାରେ ଥିବା ଏକ ଗ୍ୟାରେଜରେ ଅଭିଯୁକ୍ତ ଫିଙ୍ଗି ଦେଇଥିଲା। ଏହି ଘଟଣାରେ ଆମେରିକା ପୁଲିସ ଅଭିଯୁକ୍ତ ଡୋନାଲ୍ଡ ଥ୍ରୁମ୍ୟାନକୁ ଗିରଫ କରିଥିଲା। ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା। ତାଙ୍କୁ ବଳାତ୍କାର କରିବା ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଡାକ୍ତର କହିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ କିଛି ଦିନ ହେବ ତାଙ୍କ ଝିଅ ଘରକୁ ଫୋନ କରି ନ ଥିଲେ। ପରିବାର ପକ୍ଷରୁ ଝିଅ ନିଖୋଜ ଥିବା ସଂକ୍ରନ୍ତରେ ଥାନାକୁ ଜଣାଇଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ। ଅଭିଯୁକ୍ତ ଛାତ୍ରୀଙ୍କ ପିଛା କରୁଥିବା ଦୃଶ୍ୟ ସିସିଟିଭିରେ ରେକର୍ଡ ଥିଲା। ସିସିଟିଭି ଫୁଟେଜ ଆଧାରରେ ଆମେରିକା ପୁଲିସ ଯାଞ୍ଚ କରିଥିଲା। ପରେ ଗ୍ୟାରେଜରୁ ମୃତ କଲେଜ ଛାତ୍ରୀଙ୍କ ଶବ ଠାବ କରାଯାଇଥିଲା। ଆମେରିକାର ବ୍ଲୁ ଲାଇନ ଷ୍ଟେସନ ନିକଟରୁ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ସେହିପରି ଗତ ଜୁଲାଇ ମାସରେ ଲଣ୍ଡନର ବେମ୍ବଲୀରେ, ହାଇଦ୍ରାବାଦର ଜଣେ ଛାତ୍ରୀଙ୍କୁ ଛୁରି ମାରି ହତ୍ୟା କରାଯାଇଥିଲା। ୨୭ ବର୍ଷର ଏହି ଛାତ୍ରୀଙ୍କ ନାମ ତେଜସ୍ବିନୀ ରେଡ୍ଡି। ତେଜସ୍ବିନୀଙ୍କ ପଡ଼ୋଶୀ ତାଙ୍କୁ ହତ୍ୟା କରିଥିଲେ। ​ପୁଲିସ ସୂଚନା ଅନୁଯାୟୀ ବେମ୍ବଲୀର ନିଲ୍ଡ କ୍ରିସେଣ୍ଟର ଏହି ଛୁରା ମାଡ଼ କରିଥିଲେ। ଅଭିଯୁକ୍ତ ଦୁଇଜଣଙ୍କୁ ଆକ୍ରମଣ କରିଥିଲା। ଯେଉଁଥିରେ ତେଜସ୍ବିନୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ୨୮ ବର୍ଷୀୟ ମହିଳା ଗୁରୁତର ହୋଇପଡ଼ିଥିଲେ। ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିଲା। ଏଥି​‌ରେ ଜଣେ ୨୪ ବର୍ଷୀୟ ପୁରୁଷ ଏବଂ ଜଣେ ୨୩ ବର୍ଷୀୟ ମହିଳା ଅଛନ୍ତି। ହାଇଦ୍ରାବାଦରେ ରହୁଥିବା ତେଜସ୍ବିନୀଙ୍କ ସଂପର୍କୀୟ ଭାଇ ବିଜୟଙ୍କ ଅନୁଯାୟୀ ଅଭିଯୁକ୍ତ ଜଣକ ବ୍ରାଜିଲର ବ୍ୟକ୍ତି ଥିଲା। ମାସକ ପୂର୍ବରୁ ତେଜସ୍ବିନୀ ରହୁଥିବା ବିଲ୍ଠିଂକୁ ରହିବାକୁ ଆସିଥିଲା ଏବଂ ତେଜସ୍ବିନୀ ରହୁଥିବା ଫ୍ଲାଟର ପାଖ ଫ୍ଲାଟରେ ରହୁଥିଲା। ତେଜସ୍ବିନୀ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପାଇଁ ଗତ ବର୍ଷ ମାର୍ଚ୍ଚରେ ଲଣ୍ଡନ ଯାଇଥିଲେ। ତେଜସ୍ବିନୀଙ୍କ ଆସନ୍ତା ଦୁଇ ମାସରେ ପାଠ ପଢ଼ା ସରିବାର ଥିଲା ଏବଂ ସେ ଘରକୁ ଫେରିଥାନ୍ତେ। ଏହାରି ମଧ୍ୟରେ ତାଙ୍କର ହତ୍ୟା ହୋଇଛି।

ଏହିପରି ବିଦେଶରେ ପଢୁଥିବା ଭାରତୀୟ ବିଦ୍ୟାର୍ଥୀ ପ୍ରତିବର୍ଷ ମୃତ୍ୟୁର ଶିକାର ହୋଇ ଆସୁଛନ୍ତି। ଏମାନଙ୍କ ମଧ୍ୟରୁ କେବଳ କାନାଡାରେ ୯୧ ଜଣ ଛାତ୍ରଙ୍କ ଜୀବନ ଯାଇଛି । ଏମାନଙ୍କର ମୃତ୍ୟୁ ଦୁର୍ଘଟଣା, ସ୍ୱାସ୍ଥ୍ୟଗତ କାରଣ ଓ ହତ୍ୟା ଯୋଗୁ ହୋଇଛି । ସବୁଠାରୁ ଅଧିକ ଭାରତୀୟ ଛାତ୍ର କାନାଡାରେ ମୃତ୍ୟୁବରଣ କାହିଁକି କରିଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରବିନ୍ଦ ବାଗଚୀ କହିଛନ୍ତି ଯେ, ଅନ୍ୟ ଦେଶ ତୁଳନାରେ ସର୍ବାଧିକ ଭାରତୀୟ ଛାତ୍ର କାନାଡ଼ା ପାଠ ପଢିବାକୁ ଯାଇଥାନ୍ତି । ଗତ ୫ ବର୍ଷ ମଧ୍ୟରେ କାନାଡାରେ ୯୧, ବ୍ରିଟେନରେ ୪୮, ରୁଷରେ ୪୦, ଆମେରିକାରେ ୩୬, ଅଷ୍ଟ୍ରେଲିଆରେ ୩୫, ୟୁକ୍ରେନରେ ୨୧, ଜର୍ମାନୀରେ ୨୦, ସାଇପ୍ରସରେ ୧୪, ଇଟାଲିରେ ୧୧ ଓ ଫିଲିପାଇନ୍ସରେ ୯ ଜଣ ଭାରତୀୟ ବିଦ୍ୟାର୍ଥୀଙ୍କ ମୃତ୍ୟୁ ଘଟିଥିବା ସେ ସୂଚନା ଦେଇଛନ୍ତି।

Comments are closed.