ମୁମ୍ବଇ : ଭାରତୀୟ କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ଆସନ୍ତା ମାସରେ କ୍ରିକେଟ୍ ସିରିଜ୍ ଖେଳିବ। ଦୁଇ ଦେଶ ମଧ୍ୟରେ ୩ଟି ଲେଖାଏଁ ଟ୍ବେଣ୍ଟି୨୦ ଓ ଦିନିକିଆ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ଗସ୍ତ ନିମନ୍ତେ ଭାରତୀୟ ଦଳର ଘୋଷଣା ଶୁକ୍ରବାର ହେବ। ଏହି ମନୋନୟନରେ ୨ଟି ଦିଗ ଉପରେ ମୁଖ୍ୟତଃ ଗୁରୁତ୍ବ ଦିଆଯିବ। ଏହା ହେଉଛି ଅଧିନାୟକ ବିରାଟ କୋହଲି ଏହି ସିରିଜ୍ ଖେଳିବା ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦଳରେ ସ୍ଥାନ ମିଳିବା ।
ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟ୍ବେଣ୍ଟି୨୦ ସିରିଜ୍ରେ ଖେଳିବେ ନାହିଁ ବୋଲି ଆଲୋଚନା ହୋଇଥିଲା। ତେବେ କୋହଲି ଦିନିକିଆ, ଟ୍ବେଣ୍ଟି୨୦ ସହ ଟେଷ୍ଟ ସିରିଜ୍ରେ ଭାରତୀୟ ଦଳ ତରଫରୁ ଖେଳିବାକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। କେବଳ କୋହଲି ନୁହନ୍ତି ଦଳର ସମସ୍ତ ବରିଷ୍ଠ ଖେଳାଳି ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ୩ଟି ଯାକ ଫର୍ମାଟ୍ରେ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂହ ଧୋନିଙ୍କୁ ୱେଷ୍ଟଇଣ୍ଡିଜ ଗସ୍ତ ନିମନ୍ତେ ଭାରତୀୟ ଦଳରେ ସାମିଲ କରାଯାଉଛି କି ନାହିଁ; ତାହା ଉପରେ ସମସ୍ତଙ୍କ ନଜର ରହିବ। ୩୮ ବର୍ଷ ବୟସ୍କ ମହେନ୍ଦ୍ର ସିଂହ ଧୋନିଙ୍କ ଫିନିସର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଧୋନି ପୂର୍ବପରି ଶେଷଆଡ଼କୁ ଆକ୍ରମଣାତ୍ମକ ବ୍ୟାଟିଂ କରି ପାରୁନାହାନ୍ତି। ଧୋନିଙ୍କୁ ଦଳରେ ସ୍ଥାନ ଦିଆଯିବା କିମ୍ବା ବାଦ୍ ଦିଆଯିବା ଉପରେ ହିଁ ତାଙ୍କ କ୍ରିକେଟ ଭବିଷ୍ୟତ ନିର୍ଭରକରେ। ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ଟ୍ବେଣ୍ଟି୨୦ ବିଶ୍ବକପ୍ ଖେଳାଯିବାର ଥିବାରୁ ମନୋୟନକାରୀ ଯୁବ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ୍ଙ୍କୁ ସୁଯୋଗଦେବା କଥା ଚିନ୍ତା କରିପାରନ୍ତି। ଗତ ଅକ୍ଟୋବରରେ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍ରୁ ଧୋନିଙ୍କୁ ବାଦ୍ ଦିଆ ଯାଇଥିଲା। ତେଣୁ ଏଥର ମଧ୍ୟ ତାଙ୍କୁ ସୁଯୋଗ ମିଳିନପାରେ ବୋଲି ଅନୁମାନ କରାଯାଉଛି। ଭାରତୀୟ ଦଳ ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମରା ୱେଷ୍ଟଇଣ୍ଡିଜ ବିପକ୍ଷ ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍ରେ ନ ଖେଳି ବିଶ୍ରାମ ନେବେ ଏବଂ ଟେଷ୍ଟ ସିରିଜ୍ ନିମନ୍ତେ ଦଳକୁ ଫେରିବେ ବୋଲି ଆଶା କରାଯାଉଛି। ବୁମରା ଇଂଲଣ୍ଡରେ ଖେଳାଯାଇଥିବା କ୍ରିକେଟ୍ ବିଶ୍ବକପରେ ଭାରତ ପାଇଁ ୧୦ଟି ଯାକ ମ୍ୟାଚ୍ରେ ଭଲ ବୋଲିଂ ପ୍ରଦର୍ଶନ କରିିଥିଲେ। ବୁମରା କ୍ରମାଗତ ଭାବେ କ୍ରିକେଟ ଖେଳି ଆସୁଥିବାରୁ ତାଙ୍କୁ ବିଶ୍ରାମ ଦେବାକୁ ମନୋନୟନକାରୀ ନିଷ୍ପତ୍ତି ନେଇଛନ୍ତି। ତେବେ ସେ ଟେଷ୍ଟ ସିରିଜ୍ରେ ଖେଳିବେ ବୋଲି ମନୋୟନକାରୀଙ୍କୁ କହି ସାରିଥିବା ଚର୍ଚ୍ଚା ହେଉଛି।
ଭାରତୀୟ ଦଳର ଯୁବ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ପିଠିରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ ନିମେନ୍ତ ଦଳରେ ସାମିଲ କରାନଯାଇ ବିଶ୍ରାମ ଦିଆଯିବାର ସମ୍ଭାବନା ଥିବା ଆଲୋଚନା ହେଉଛି। ବିଶ୍ବକପ୍ ସମୟରେ ଆଘାତପ୍ରାପ୍ତ ହୋଇଥିବା ଭାରତୀୟ କ୍ରିକେଟର୍ ଶିଖର ଧାୱନ୍ ଓ ବିଜୟ ଶଙ୍କରଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ ନିମନ୍ତେ ଦଳରେ ସାମିଲ କରାଯାଉଛି କି ନାହିଁ ଦେଖିବାକୁ ବାକି ରହିଛି । ବିରାଟ କୋହଲି କ୍ରମାଗତ ଭାବେ କ୍ରିକେଟ୍ ଖେଳି ଆସୁଥିବାରୁ ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟ୍ବେଣ୍ଟି୨୦ ସିରିଜ୍ ନିମନ୍ତେ ବିଶ୍ରାମ ଦିଆଯିବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ତେବେ କୋହଲି ବିଶ୍ରାମ ନେବାକୁ ଚାହାନ୍ତି ନାହିଁ ବୋଲି ଜଣାପଡ଼ିଛି। ସେହିପରି ରୋହିତ ଶର୍ମା ବିଶ୍ବକପରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିବାରୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି। ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିବା ସଂପର୍କରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ଏହାକୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଓ ବରିଷ୍ଠ ଖେଳାଳିମାନେ ଖଣ୍ଡନ କରିଛନ୍ତି। କୋହଲି ଓ ରୋହିତଙ୍କ ମଧ୍ୟରେ କୌଣସି ବିବାଦ ନାହିଁ ବୋଲି ମ୍ୟାନେଜମେଣ୍ଟ ତରଫରୁ ସୂଚନା ଦିଆଯାଇଛି।
ୱେଷ୍ଟଇଣ୍ଡିଜ ଗସ୍ତରେ ଯିବାକୁ କୋହଲିଙ୍କ ସହ ବରିଷ୍ଠ ଖେଳାଳି ପ୍ରସ୍ତୁତ : ଶୁକ୍ରବାର ମନୋନୟନ
Popular Categories



