ନୂଆଦିଲ୍ଲୀ : ସମ୍ପ୍ରତି ମଧ୍ୟ-ପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ କେବଳ ଭାରତ ହିଁ ପ୍ରଶମିତ କରିପାରିବ ବୋଲି ମତ ଦେଇଛନ୍ତି ଆମେରିକା ଓ ଇରାନ। ବଳୁଆ କିଏରେ ବଳୁଆ କିଏ ଦେଖାଇବା ପାଇଁ ଆମେରିକା ଓ ଇରାନ ପରସ୍ପର ମଧ୍ୟରେ ବାର୍ତ୍ତାଳାପ ନକରି କେବଳ ଶକ୍ତି ପରୀକ୍ଷା କରିବାରେ ଲାଗିଛନ୍ତି। ଇରାନର ମୁଖ୍ୟ କମାଣ୍ଡର କାସିମ ସୁଲେମାନଙ୍କୁ ଆମେରିକା ଡ୍ରୋନ ସାହାଯ୍ୟରେ ଆକାଶ ମାର୍ଗରୁ ହତ୍ୟା କରିବା ପରେ ଇରାନ ଉତ୍ତେଜିତ ହୋଇ ପଡ଼ିଥିଲା। ଉଭୟ ଦେଶ ମଧ୍ୟରେ ଶତ୍ରୁତା ବଢିବାରେ ଲାଗିଛି। ଏପରି ସମୟରେ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଉଭୟ ଦେଶଙ୍କୁ ସଂଯମତା ରକ୍ଷା କରି ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା।
ଭାରତ ହେଉଛି ଇରାନର ପୂରାତନ ବନ୍ଧୁ ଓ ଆମେରିକାର ବିଶ୍ବସ୍ତ ବନ୍ଧୁ। ଉଭୟ ଦେଶ ସହ ଭାରତର ସାମରିକ, ଆର୍ଥିକ ଓ କୂଟନୈତିକ ସମ୍ପର୍କ ଦୃଢ ଅଛି। ଏପରିସ୍ଥିତିରେ ଭାରତ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଆରମ୍ଭ ଉଦ୍ୟମ କରୁ ବୋଲି ଆମେରିକା ଓ ଇରାନର ନେତୃବୃନ୍ଦ ଚାହାନ୍ତି। ଆମେରିକା ସେନା ଶିବିର ଉପରେ ୨୨ଟି ରକେଟ୍ ମାଡ଼ କରିବା ପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କର ଇରାନ ସମକକ୍ଷ ଜାଭେଦ ଜାଫ୍ରିଙ୍କ ସହ ସାମ୍ପ୍ରତିକ ପରିସ୍ଥିତି ସଂକ୍ରାନ୍ତରେ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଥିଲେ। ଏହି ସମସ୍ୟା ସମାଧାନ ଭାରତ ଦ୍ବାରା ହିଁ ସମ୍ଭବ ବୋଲି ଇରାନ ବୈଦେଶିକ ମନ୍ତ୍ରୀ ଜାଭେଦ କହିଥିଲେ। ଏହାର ଦିନକ ପରେ ଭାରତସ୍ଥିତ ଇରାନ ରାଷ୍ଟ୍ରଦୂତ ଅଲ୍ଲୀ ଚେଗେନି କହିଥିଲେ ଯେ, ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଯଦି କୌଣସି ପ୍ରସ୍ତାବ ଦିଏ ତେବେ ଆମେ ତାହାକୁ ସ୍ବାଗତ କରିବୁ। ଏପଟେ ସୁଲେମାନିଙ୍କ ହତ୍ୟା ପରେ ଆମେରିକା ରାଷ୍ଟ୍ରପତି କହିଥିଲେ ଯେ, ସେ ଜଣେ ଆତଙ୍କବାଦୀ` ନୂଆଦିଲ୍ଲୀ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ସେ ଷଡଯନ୍ତ୍ର ରଚିଥିବା ପ୍ରମାଣ ରହିଛି ବୋଲି ଟ୍ରମ୍ପ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ। ଏହି ଘଟଣାରେ ଟ୍ରମ୍ପ ବିଶ୍ବର କୌଣସି ଦେଶର ନାମ ନଧରି ଭାରତକୁ ବିବାଦ ମଧ୍ୟକୁ ଟାଣିଥିଲେ` ଉଦ୍ଦେଶ୍ୟ ଥିଲା ଭାରତ-ଇରାନ ମଧ୍ୟରେ ଥିବା ସୁସମ୍ପର୍କକୁ ପ୍ରଭାବିତ କରିବା` ଏହି ଘଟଣା ପରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କ ଆମେରିକୀୟ ସମକକ୍ଷ ମାଇକ ପୋମ୍ପିଓଙ୍କ ଟେଲିଫୋନ ଯୋଗେ ବାର୍ତ୍ତାଳପ କରିଥିଲେ। ଆମେରିକା କେବେବି ଇରାନ ସହ ଯୁଦ୍ଧ କରିବା ପାଇଁ ଚାହେଁ ନାହିଁ। ଏହା କେବଳ ଆମେରିକା ପାଇଁ ନୁହେଁ, ବରଂ ବିଶ୍ବ ପାଇଁ ସମସ୍ୟା ସୃଷ୍ଟି କରିବ। ଇରାନ ଯଦି ଆଣବିକ କାର୍ଯ୍ୟକ୍ରମ ବନ୍ଦ କରିଦିଏ ତେବେ ଏହି ଦେଶ ବିରୋଧରେ ଯେତେପ୍ରକାର କଟକଣା ରହିଛି ସେସବୁକୁ ଆମେରିକା ପ୍ରତ୍ୟାହାର କରିନେବ ବୋଲି ପୋମ୍ପିଓ ଜୟଶଙ୍କରଙ୍କୁ କହିଥିଲେ। ଲସ୍ଏଞ୍ଜେଲ୍ସରେ ଛୁଟି ବିତାଉଥିବା ଟ୍ରମ୍ପ ସ୍ଥାନୀୟ ସମୟ ସକାଳ ୮ଟା ୨ମିନିଟ୍ରେ ଏକ ଟୁଇଟ୍ କରିଥିଲେ। ଏହି ଟୁଇଟରେ ସେ କିଛି ନଲେଖି କେବଳ ଆମେରିକାର ଜାତୀୟ ପତାକା ପୋଷ୍ଟ କରିଥିଲେ। ଏହାର କିଛି ସମୟ ପରେ ଇରାନର ମୁଖ୍ୟ କମାଣ୍ଡର କାସିମ୍ ସୁଲେମାନିଙ୍କୁ ଆମେରିକୀୟ ସୈନ୍ୟ ହତ୍ୟା କରିଥିବା ଜଣାପଡ଼ିଥିଲା। ଏହାର ପ୍ରତିଶୋଧ ପାଇଁ ଇରାନ୍ ପ୍ରସ୍ତୁତି ଆରମ୍ଭ କରିଥିଲା। ଇରାନକୁ ହେୟଜ୍ଞାନ କରି ଟ୍ରମ୍ପ କହିଥିଲେ ଯେ ଆମେରିକା ନିକଟରେ ୨ ଟ୍ରିଲିଅନ ମୂଲ୍ୟର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ରହିଛି। ଇରାନ ଭିତରେ ପଶି ଅଥବା ବାହାରୁ ୫୦ରୁ ଊର୍ଦ୍ଧ୍ବ ଥର ଆକ୍ରମଣ କରି ଏହି ଦେଶକୁ ସମ୍ପୂର୍ଣ୍ଣ ଧ୍ବଂସ କରି ଦେବୁ ବୋଲି ଟ୍ରମ୍ପ ଚେଚତାବନୀ ଦେଇଥିଲେ ା ତେବେ ତାଙ୍କର ଏହି ବାହାସ୍ଫୋଟକୁ ଆମେରିକୀୟ ଜନତା ପ୍ରତ୍ୟାଖ୍ୟାନ କରିଥିଲେ। ଟ୍ରମ୍ପ ଏପରି ପଦକ୍ଷେପକୁ ଆମେରିକାବାସୀ ବିରୋଧ କରିବାରେ ଲାଗିଲେ। ଏପଟେ କଂଗ୍ରେସ (ଦେଶର ସଂସଦ)ର ନିମ୍ନ ସଦନରେ ଟ୍ରମ୍ପ ୨୨୪/୧୯୪ ଭୋଟରେ ପରାଜୟ ବରଣ କରିଥିଲେ। ଅର୍ଥାତ୍ ଇରାନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପୂର୍ବରୁ ଟ୍ରମ୍ପ ସଂସଦର ଅନୁମୋଦନ ଲାଭ କରିବା ଆବଶ୍ୟକ। ଯେହେତୁ ନିମ୍ନ ସଦନ ‘ଦ ହାଉସ୍ ଅଫ ରିପ୍ରେଜେଣ୍ଟେଟିଭ’ରେ ଟମ୍ପ୍ରଙ୍କ ଦଳ ରିପବ୍ଲିକାନ ପାର୍ଟିର ସଂଖ୍ୟା ବଳ ନାହିଁ ତେଣୁ ଟ୍ରମ୍ପଙ୍କ ଯୁଦ୍ଧ ସଂକ୍ରାନ୍ତ ନିଷ୍ପତ୍ତି ଏଠାରେ କାଟ ଖାଇଯାଇଥିଲା। ଏପରିକି ଦଳୀୟ ଆଇନରୁ ଊର୍ଦ୍ଧ୍ବରୁ ଉଠି କେତେକ କଞ୍ଜରଭେଟିଭ ସଦସ୍ୟ ଟ୍ରମ୍ପଙ୍କ ବିରୋଧରେ ମତଦାନ କରିଥିଲେ। ଏବେ ଟମ୍ପ୍ରଙ୍କ କ୍ଷମତା ସଙ୍କୁଚିତ ହୋଇଯାଇଛି। ଅନ୍ୟପଟେ ଆମେରିକା ସମେତ କୌଣସି ବିଦେଶୀ ସେନା ଇରାକରେ ରହିପାରିବେ ନାହିଁ ବୋଲି ଏକ ପ୍ରସ୍ତାବ ସର୍ବସମର୍ଥନରେ ଇରାକ ସଂସଦରେ ଗୃହୀତ ହୋଇଛି। ଏହାଦ୍ବାରା ଆମେରିକୀୟ ସୈନ୍ୟ ଆଉ ଇରାକରେ ରହି ପାରିବେ ନାହିଁ । ଏହି ଦୁଇଟି ନିଷ୍ପତ୍ତି ଟ୍ରମ୍ପଙ୍କ ବାଟ ଓଗାଳିଛି ା ଫଳରେ ଏବେ ସେ ସମାଧାନ ପାଇଁ ବାଟ ଖୋଜିବାରେ ଲାଗିଛନ୍ତି।
ଭାରତକୁ ଦୃଷ୍ଟିରେ ରଖି ଉଭୟ ଆମେରିକା ଓ ଇରାନ ପରସ୍ପର ବୟାନବାଜି ଚଳାଇଛନ୍ତି। ଦୀର୍ଘଦିନରୁ ଲାଗି ରହିଥିବା ଏହି ସମସ୍ୟାକୁ ଭାରତ ହିଁ ସମାଧାନ କରିପାାରିବ ବୋଲି ସେମାନଙ୍କ ବିଶ୍ବାସ। ଇରାନ ବିରୋଧରେ ଆଣବିକ କଟକଣା ଲାଗୁ କରିବା ପାଇଁ ଆମେରିକା ପୂର୍ବରୁ ଚୀନ୍ ଓ ରୁଷ୍କୁ ପ୍ରସ୍ତାବ ଦେଇଥିଲା। ତେବେ ଚୀନ୍ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛି। ସେହିପରି ରୁଷ୍କୁ ଇରାନର ସହଯୋଗୀ ଭାବେ ଆମେରିକା ଜାଣିଛି। ତେଣୁ ଉଭୟ ଦେଶ ଭାରତ ଉପରେ ଆସ୍ଥା ରଖିଛନ୍ତି। ଯଦି ମଧ୍ୟ-ପ୍ରାଚ୍ୟ ସମସ୍ୟାକୁ ଭାରତ ସମାଧାନ କରିଦିଏ, ଆଗକୁ ବିଶ୍ବରେ ଯେତେ ସମସ୍ୟା ଥିଲେ ମଧ୍ୟ ଭାରତ ଏଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାରେ ସମର୍ଥ ହୋଇପାରିବ।
ଆମେରିକା-ଇରାନର ସମସ୍ବର : ଭାରତ ହିଁ ମଧ୍ୟପ୍ରାଚ୍ୟ ସମସ୍ୟା ସମାଧାନ କରୁ
Popular Categories



