ୟୁକ୍ରେନରେ ଦେଖା ଦେଇଥିବା ସଙ୍କଟ ପରେ ସୁମିରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କ ସୁରକ୍ଷିତ ଉଦ୍ଧାର ନେଇ ପଦକ୍ଷେପ ନେବା ଆରମ୍ଭ କରାଯାଇଛି। ଉଭୟ ରୁଷ ଏବଂ ୟୁକ୍ରେନ ସରକାରଙ୍କୁ ବିଭିନ୍ନ ମାଧ୍ୟମରେ ଭାରତୀୟ ଛାତ୍ରମାନଙ୍କ ପାଇଁ ଏକ ନିରାପଦ କରିଡର ସୃଷ୍ଟି କରିବାକୁ ଅନୁରୋଧ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ଅରିନ୍ଦମ ବାଗଚିଙ୍କ ଅନୁଯାୟୀ ମନ୍ତ୍ରଣାଳୟ ଏବଂ ଦୂତାବାସ ଛାତ୍ରଛାତ୍ରୀଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି ଏବଂ ସୁରକ୍ଷା ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନର ସୁମିରେ ଭାରତୀୟ ଛାତ୍ରମାନଙ୍କ ବିଷୟରେ ଆମେ ଗଭୀର ଭାବରେ ଚିନ୍ତିତ। ଆମ ଛାତ୍ରମାନଙ୍କ ପାଇଁ ଏକ ସୁରକ୍ଷିତ କରିଡର ସୃଷ୍ଟି କରିବା ପାଇଁ ତୁରନ୍ତ ଅସ୍ତ୍ରବିରତି ଘୋଷଣା ନିମନ୍ତେ ଅନୁରୋଧ କରାଯାଇଛି।
We are deeply concerned about Indian students in Sumy, Ukraine. Have strongly pressed Russian and Ukrainian governments through multiple channels for an immediate ceasefire to create a safe corridor for our students.
— Arindam Bagchi (@MEAIndia) March 5, 2022
ସେ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି, ଆମର ଛାତ୍ରମାନଙ୍କୁ ସୁରକ୍ଷା ସାବଧାନତା ଅବଲମ୍ବନ କରିବାକୁ, ଆଶ୍ରୟସ୍ଥଳୀରେ ରହିବାକୁ ଏବଂ ଅନାବଶ୍ୟକ ବିପଦରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ ଏବଂ ଦୂତାବାସ ଉଭୟ ଛାତ୍ରଛାତ୍ରୀଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ସେ କହିଛନ୍ତି ଯେ ପରାମର୍ଶ ଜାରି ହେବା ପରଠାରୁ ୨୦ ହଜାରରୁ ଅଧିକ ଭାରତୀୟ ୟୁକ୍ରେନ ଛାଡିଛନ୍ତି। ଆସନ୍ତା ୨୪ ଘଣ୍ଟାରେ ଭାରତୀୟ ବାୟୁସେନାର ସି-୧୭ ଏବଂ ଅନ୍ୟ ୧୬ଟି ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି। ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସୁମି ସହରରୁ ଶତାଧିକ ବିଦେଶୀ ଛାତ୍ରଙ୍କୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଉଛି। ଅନ୍ୟ ପକ୍ଷରେ ସାଧାରଣ ନାଗରିକଙ୍କ ସ୍ଥାନାନ୍ତର ତଥା ଖାଦ୍ୟ ଏବଂ ଔଷଧ ବିତରଣ ପାଇଁ ମାନବିକ କରିଡର ସ୍ଥାପନ ପାଇଁ ୟୁକ୍ରେନର ମାରିଅପୋଲ ଏବଂ ଭଲନୋଭାଖା ସହରରେ ସାତ ଘଣ୍ଟିଆ ଅସ୍ତ୍ରବିରତି ଆରମ୍ଭ ହୋଇଛି।
ଏହି ଅସ୍ତ୍ରବିରତି ମାରିଅପୋଲର ୪ ଲକ୍ଷ ୪୦ ହଜାର ଏବଂ ଭଲନୋଭାଖାର ୨୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିବ ବୋଲି ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ଆଜି ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ଅସ୍ତ୍ରବିରତି ଘୋଷଣା କରାଯାଇଛି।



