ପଢ଼ିବାକୁ ଯାଇପାରୁନାହାନ୍ତି ଭାରତୀୟ ବିଦ୍ୟାର୍ଥୀ

କାନାଡ଼ା-ଭାରତ ସମ୍ପର୍କ ତିକ୍ତ

ନୂଆଦିଲ୍ଲୀ : ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା କୂଟନୈତିକ ତିକ୍ତତାରେ କୌଣସି ଉନ୍ନତି ଆସିପାରି ନାହିଁ। ସପ୍ତାହେ ଧରି ଲାଗି ରହିଥିବା ଏହି ବିବାଦ ଅନ୍ୟାନ୍ୟ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିଛି। ଏପରିସ୍ଥିତିରେ ଲକ୍ଷାଧିକ ଭାରତୀୟ ଛାତ୍ରଛାତ୍ରୀ କାନାଡାରେ ଉଚ୍ଚ ଶିକ୍ଷା କରିବା ଲାଗି ଅପେକ୍ଷା କରି ରହିଛନ୍ତି। ଏପରିକି କାନାଡାରେ ପଢିବା ଲାଗି ଏହି ପିଲାମାନେ ଦୁଇ ଦେଶର ସମ୍ପର୍କରେ ଉନ୍ନତି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ କାନାଡା ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ରରେ ଅଧ୍ୟୟନ କରିବାକୁ ପସନ୍ଦ କରୁ ନାହାନ୍ତି। ଭାରତୀୟ ପିଲାମାନଙ୍କୁ ବିଦେଶରେ ପଢିବା ଲାଗି ସହଯୋଗ କରୁଥିବା ଏକ କମ୍ପାନୀର କହିବା ଅନୁଯାୟୀ ସେପ୍ଟେମ୍ବରରେ କାନାଡାର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନାମ ଲେଖା ହୋଇଥାଏ। ଏହି ମାସ ଏବେ ଶେଷ ହୋଇଯାଇଛି। କାନାଡାର ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ଲାଗି ଯେଉଁମାନେ ଆବେଦନ କରିଛନ୍ତି ସେମାନେ ଏବେ ଭିସା ପାଇଁ ଅପେକ୍ଷା କରିଛନ୍ତି। ଯଦି ଅକ୍ଟୋବର ସୁଦ୍ଧା ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ନ ଆସେ ତେବେ ପିଲାଙ୍କ ପଢିବା ଆଶା ଅଧୁରା ରହିଯିବ। ବିଦେଶରେ ପଢିବା ଲାଗି ଭାରତୀୟ ପିଲାମାନଙ୍କୁ ସହାୟତା କରୁଥିବା ଲେଭେରେଜ ଏଡୁ ନାମକ
କମ୍ପାନୀର ପ୍ରତିଷ୍ଠାତା ଅକ୍ଷୟ ଚତୁର୍ବେଦୀ କହିଛନ୍ତି ଯେ ଅନିଶ୍ଚିତତା ମଧ୍ୟରେ କାନାଡା ବିଶ୍ବବିଦ୍ୟାଳୟଗୁଡିକ ପକ୍ଷରୁ ସକାରାତ୍ମକ ଜବାବ ମିଳୁଛି। ଅନେକ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ସେମାନଙ୍କ ଅନୁଷ୍ଠାନ ୱେବସାଇଟ୍‌ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେବେ ଭିସା ମଞ୍ଜୁର ନେଇ କୌଣସି ପ୍ରକାର ପ୍ରତିଶ୍ରୁତି ମିଳି ନାହିଁ। କମ୍ପାନୀର କହିବା ଅନୁଯାୟୀ ପ୍ରତିବର୍ଷ ଭାରତରୁ ୨ରୁ ୩ଲକ୍ଷ ଛାତ୍ରଛାତ୍ରୀ କାନାଡାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ଲାଗି ଆବେଦନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୭୦% ପଞ୍ଜାବୀ। ଅଧିକାଂଶ ଛାତ୍ରଛାତ୍ରୀ ସ୍ନାତକୋତ୍ତର ଡିଗ୍ରୀ ଲାଗି କାନାଡା ଯାଇଥାନ୍ତି। ଅନ୍ୟ ଏକ କମ୍ପାନୀ କହିଛି ଯେ ଅଧ୍ୟୟନ ଲାଗି କାନାଡା ଯାଉଥିବା ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ ବାସ୍ତବରେ ପାଠ ପଢିବାକୁ ଯାଇ ନଥାନ୍ତି। ସେମାନେ କୌଣସି ଏକ ବିଶ୍ବବିଦ୍ୟାଳୟରେ ନାମ ଲେଖାଇ କାନାଡାର ଭିସା ପାଇବାକୁ ଲକ୍ଷ୍ୟ ରଖିଥାନ୍ତି। କାନାଡାର ଭିସା ପାଇବା ପରେ ସେଠାକୁ ଯାଇ ସେମାନେ ବିଭିନ୍ନ କାମଧନ୍ଦା କରିଥାନ୍ତି।

Comments are closed.