www.samajalive.in
Thursday, December 11, 2025
27.1 C
Bhubaneswar

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟମ୍ୟାଚ୍‌

ଇନ୍ଦୋର: ୮ ଦିନର ବିଶ୍ରାମ ପରେ ଭାରତ ଓ ଅ‌େ‌ଷ୍ଟ୍ରଲିଆ ବୁଧବାରଠାରୁ ୩ୟ ଟେଷ୍ଟମ୍ୟାଚ୍‌ ଖେଳିବେ। ଅଦ୍ୟାବଧି ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାରେ ୱାନ୍‌ୱେ ଟ୍ରାଫିକ୍‌ ଦେଖିବାକୁ ମିଳିଛି। ଖେଳା ଯାଇଥିବା ୨ଟି ଟେଷ୍ଟରେ ଏପରି ମୁକାବିଲା ହୋଇଛି; ଲାଗୁଛି ଯେପରି ବିଶ୍ବର ୧ନଂ ଟେଷ୍ଟ ଦଳ ଅଷ୍ଟ୍ରେଲିଆ ନୁହେଁ; ଘରୋଇ ଭାରତର ମୁକାବିଲା ବାଂଲାଦେଶ କିମ୍ବା ଜିମ୍ବାୱେ କରିଥିଲେ। ଉଭୟ ଟେଷ୍ଟକୁ ଅଢ଼େଇ ଦିନରେ ସମାପ୍ତ କରିଥିଲା ଭାରତୀୟ ଦଳ। ପ୍ରଥମ ଟେଷ୍ଟରେ ଭାରତ ଇନିଂସ ବିଜୟ ହାସଲ କରିଥିବା ବେଳେ ୨ୟ ଟେଷ୍ଟକୁ ମଧ୍ୟ ଭାରତ ସହଜରେ ଜିତି ପାରିଥିଲା। ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ରହି ଭାରତ ବର୍ଡର-ଗାଭାସ୍କର ଟ୍ରଫି ହାତେଇ ପାରିଛି। ବାକି ୨ଟି ଟେଷ୍ଟରେ ଉଭୟ ଦଳଙ୍କ ଲକ୍ଷ୍ୟ ସ୍ପଷ୍ଟ। ୩ୟ ଟେଷ୍ଟକୁ ଜିତିଲେ ଭାରତ ଶୃଙ୍ଖଳା ଜିତିବା ସହ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ଖେଳିବାର ଟିକଟ ପାଇବ। ଏହାସହ ଅଷ୍ଟ୍ରେଲିଆକୁ ଗାଦିଚ୍ୟୁତ କରି ଭାରତ ବିଶ୍ବର ୧ନଂ ଦଳର ମାନ୍ୟତା ହାସଲ କରିପାରିବ। ଅନ୍ୟପକ୍ଷରେ ୩ୟ ଟେଷ୍ଟକୁ ଜିତିଲେ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ଜୀବନ୍ତ ରଖିପାରିବ। ଶୃଙ୍ଖଳା ନ ଜିତିଲେ ମଧ୍ୟ ଡ୍ର କରିବାର ସୁଯୋଗ ଉନ୍ମୁକ୍ତ ରଖିପାରିବ କଙ୍ଗାରୁଦଳ। ଏହି ମ୍ୟାଚ୍‌ ଜିତିଲେ ଭାରତ ଘରୋଇମାଟିରେ କ୍ରମାଗତ ୧୬ଶ ଟେଷ୍ଟ ଶୃଙ୍ଖଳା ଜିତିପାରିବ।

ଅଷ୍ଟ୍ରେଲିଆ ୧୯ ବର୍ଷ ହେଲା ଭାରତମାଟିରେ ଟେଷ୍ଟ ଶୃଙ୍ଖଳା ଜିତିନାହିଁ। ଅଷ୍ଟ୍ରେଲିଆକୁ ଏହି କୃତିତ୍ବ ହାସଲ କରିବାକୁ ଏବେ ଅପେକ୍ଷା କରିବାକୁ ପଡ଼ିବ। ପୁଣି ୩ୟ ଟେଷ୍ଟମ୍ୟାଚ୍‌କୁ ଜିତିଲେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ କ୍ରମାଗତ ୪ର୍ଥ ଟେଷ୍ଟ ଶୃଙ୍ଖଳା ଜିତିବ। ଗତ କେଇ ଦଶନ୍ଧିରେ ବିଶ୍ବର ଶ୍ରେଷ୍ଠ ଦଳଙ୍କୁ ମଧ୍ୟ ଏପରି ବିଜୟ ମିଳିନାହିଁ। ସ୍ପିନର ହିଁ ଏହି ଶୃଙ୍ଖଳାରେ ଅଷ୍ଟ୍ରେଲିଆ ପାଇଁ ଦୁଃସ୍ବପ୍ନ ପାଲଟିବେ ବୋଲି ପୂର୍ବନୁମାନ କରା ଯାଇଥିଲା। ତାହା ହିଁ ହୋଇଛି। ପ୍ରଥମ ୨ଟି ଟେଷ୍ଟରେ ୪୦ଟିରୁ ୩୨ଟି ୱିକେଟ ସ୍ପିନର ନେଇଛନ୍ତି। ଏହି ୩୨ରୁ ୨୪ ଜଣ ବ୍ୟାଟ୍‌ସମ୍ୟାନ୍ ବୋଲ୍‌ଡ କିମ୍ବା ଏଲ୍‌ବିଡବ୍ଲ୍ୟୁ ହୋଇଛି। ୨ୟ ଟେଷ୍ଟର ୨ୟ ଇନିଂସରେ ଭାରତୀୟ ସ୍ପିନ୍ ଯୋଡ଼ି ୨ୟ ଇନିଂସରେ ୧୦ଟିଯାକ ୱିକେଟ ନେଇ ଦଳକୁ ଜିତାଇଥିଲେ। ସ୍ପିନ୍ ଆହ୍ବାନରୁ ମୁକୁଳିବା ପ୍ରୟାସରେ ଅଷ୍ଟ୍ରେଲିଆର ବ୍ୟାଟ୍‌ସମ୍ୟାନ କିଛି ଭିନ୍ନ କରିବାର ପ୍ରୟାସ କରିଥିଲେ; ଯାହା ସେମାନଙ୍କ ପାଇଁ ବୁମେରାଂ ହୋଇଥିଲା। ସ୍ପିନରଙ୍କୁ ସିଧା ବ୍ୟାଟ୍‌ ବଦଳରେ ସେମାନେ ସ୍ବିପ୍ ଓ ରିଭର୍ସ ସ୍ବିପ୍‌ ମାରିଥିଲେ। ଦିଲ୍ଲୀରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌କରି ପ୍ରଥମ ଇନିଂସରେ ଆଗୁଆ ଥିଲା। ୨ୟ ଇନିଂସରେ ୨ ୱିକେଟରେ ୮୨ ରନ୍‌ରୁ ଅଷ୍ଟ୍ରେଲିଆ ୧୧୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ପରାଜୟ ଭୋଗିଥିଲା। ଟ୍ରାଭିସ୍‌ ହେଡ୍‌, ଉସ୍‌ମାନ ଖାୱାଜା ଓ ମାର୍ନସ ଲାବୁସେନ୍ କିଛି ରନ୍ କରିଥିଲେ ହେଁ ଅନ୍ୟମାନେ ବିଫଳ ହୋଇଥିଲେ।

- Advertisement -

ପ୍ୟାଟ୍‌ କମିନ୍‌ସଙ୍କ ସ୍ଥାନରେ ଷ୍ଟିଭେନ୍ ସ୍ମିଥ୍ ଅଷ୍ଟ୍ରେଲିଆର ନେତୃତ୍ବ ନେବେ। ଆହତ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଓ ପେସ ବୋଲର ଜୋସ୍ ହାଜେଲ୍‌ଉଡ୍‌ ସ୍ବଦେଶ ଫେରି ଯାଇଛନ୍ତି। ମିଚେଲ ଷ୍ଟାର୍କ ଫିଟ୍‌ ହୋଇଥିବାରୁ ସେ ଖେଳିବା ନିଶ୍ଚିତ। ମ୍ୟାଟ୍‌ ରେନ୍‌ସା ଫର୍ମରେ ନଥିବାରୁ ତାଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର କାମେରନ୍ ଗ୍ରୀନ୍‌ଙ୍କୁ ଖେଳାଇବ। ପୁଣି ବାମହାତି ସ୍ପିନର ମ୍ୟାଟ୍‌ କୁହ୍‌ନେମାନଙ୍କ ସ୍ଥାନରେ ୨ ପେସ୍‌ ବୋଲର ସ୍କଟ୍‌ ବୋଲାଣ୍ଡ ଓ ଲାନ୍‌ସ ମରିସ୍‌ଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବା କଥା ଆଲୋଚନା ହେଉଛି। ଅନୁମାନ କରାଯାଉଛି ଯେ ନେତୃତ୍ବ ମିଳିବା ପରେ ବିଶ୍ବର ୨ନଂ ବ୍ୟାଟ୍‌ସମ୍ୟାନ୍ ଷ୍ଟିଭେନ୍‌ ସ୍ମିଥ୍ ତାଙ୍କ ଖ୍ୟାତି ଅନୁସାରେ ବ୍ୟାଟିଂକରିବେ। ଗତ ୫ ବର୍ଷରେ ସ୍ମିଥ୍‌ ହିଁ ଏକମାତ୍ର ବ୍ୟାଟ୍‌ସମ୍ୟାନ୍ ଯିଏ ଭାରତମାଟିରେ ସ୍ପିନରଙ୍କ ସଫଳ ମୁକାବିଲା କରିଛନ୍ତି। ତାଙ୍କ ଟେକ୍‌ନିକ ମଧ୍ୟ ଚମତ୍କାର। ମୋଟଉପରେ ବଡ଼ ସ୍କୋର୍‌ କରିବାକୁ ହେଲେ ସ୍ମିଥ୍‌ଙ୍କ ସହ ମାର୍ନସ ଲାବୁସେନ୍‌ଙ୍କୁ ବଡ଼ ସ୍କୋର୍ କରିବାକୁ ପଡ଼ିବ। ପୁଣି ଫର୍ମରେ ଥିବା ଉସ୍‌ମାନ ଖାୱାଜା ଓ ଟ୍ରାଭିସ୍‌ ହେଡ୍‌ଙ୍କଠାରୁ ମଧ୍ୟ ଦଳ ବହୁତ ଆଶା ରଖିଛି। ଭାରତ ଓପ୍‌ନର କେ.ଏଲ୍‌. ରାହୁଲଙ୍କ ସ୍ଥାନରେ ଶୁବ୍‌ମାନ ଗିଲ୍‌ଙ୍କୁ ଖେଳାଇପାରେ। ବାକି ୧୦ ଜଣ ସେମାନଙ୍କ ସ୍ଥାନ ବଜାୟ ରଖିବେ। ଚଳିତ ଶୃଙ୍ଖଳାରେ ରାହୁଲ ୩ଟି ଇନିଂସରୁ ୨୦, ୧୭ ଓ ୧ ରନ୍‌ କରିଛନ୍ତି। ୨୦୨୧ ପରଠାରୁ ଟେଷ୍ଟମ୍ୟାଚ୍‌ରେ ଭାରତ ଓପ୍‌ନିଂ ଯୋଡ଼ିରେ ୧୦୦ ରନ୍‌ କରିନାହିଁ। ହୋଲ୍‌କାର ଷ୍ଟାଡିୟମ୍‌ର ପିଚ୍‌ରେ ଆରମ୍ଭରୁ ବଲ୍‌ ସ୍ପିନ୍ ହେବନାହିଁ। ପ୍ରଥମ ୨ ଦିନ ଏହି ପିଚ୍‌ରୁ ପେସ୍‌ ବୋଲରଙ୍କୁ କିଛି ସହାୟତା ମିଳିପାରେ। ତେଣୁ ଉଭୟ ଦଳ ଟସ୍ ଜିତି ବ୍ୟାଟିଂ କରିବାକୁ ଚାହିଁବେ। ୩ୟ ଦିନରୁ ଏଠାରେ ବଲ୍‌ ସ୍ପିନ୍ କରିବା ନିଶ୍ଚିତ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories