www.samajalive.in
Saturday, December 6, 2025
26.1 C
Bhubaneswar

ଓଡିଶା ଖଣି ନିଗମର ଦୁଇ ଲୁହାପଥର ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟାରୁ ଉତ୍ପାଦନ ଆରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ୟ୍ୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ବାରା ଲୁହାପଥର ବଜାରରେ ସ୍ଥିରତା ଆସିବା ସହ ଶିଳ୍ପର ଯୋଗାଣ ଚାହିଦା ମେଣ୍ଟାଇବାରେ ସହାୟକ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ସବୁବେଳେ ଖଣି ସଂପର୍କିତ କ୍ଷେତ୍ରରେ ଅନେକ ଆଗୁଆ ପଦକ୍ଷେପ ନେଇଛି। ଏହି କ୍ଷେତ୍ରରେ ସ୍ବଚ୍ଛତା ପାଇଁ ଲୁହାପଥର ପରିବହନର ତଦାରଖ ନିମନ୍ତେ ୧ ୩ ଏମ୍‍ଏସ୍‍ ସିଷ୍ଟମ ଆରମ୍ଭ କରାଯାଇଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଅନେକ ବଡ ବଡ ଖଣିର ନିଲାମ ପ୍ରକ୍ରିୟା ସଫଳତାର ସହ କରାଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାରେ ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇସ୍ପାତ, ଆଲୁମିନିୟମ ଓ ଅନ୍ୟ ଧାତବ ଶିଳ୍ପ କ୍ଷେତ୍ରରେ ବିଶ୍ବର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବାର ଦକ୍ଷତା ଓଡିଶାର ରହିଛି।

- Advertisement -

ରାଜ୍ୟର ଶିଳ୍ପ ଅନୁକୂଳ ପଦକ୍ଷେପ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିଛି। ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କାର୍ୟ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଖଣି କ୍ଷେତ୍ରରେ ସଂସ୍କାରକୁ ରାଜ୍ୟ ସରକାର ସବୁବେଳେ ସମର୍ଥନ ଦେଇଆସିଛନ୍ତି ଏବଂ ଏହାଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଏହି ଦୁଇଟି ଖଣିକୁ ଓଏମ୍‍ସିକୁ ଆବଣ୍ଟନ କରିବା ଏବଂ ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି ଓଏମ୍‍ସି ମଧ୍ୟ ଏହି ଖଣି ଦୁଇଟିକୁ କାର୍ୟ୍ୟକ୍ଷମ କରିବା ପାଇଁ ତ୍ବରିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଓଏମ୍‍ସିକୁ ସାଧୁବାଦ ଜଣାଇଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ଓଡିଣା ଖଣିଜ ସଂପଦରେ ସମୃଦ୍ଧ। ତେଣୁ କେନ୍ଦ୍ର ଓ ରାଜ୍ୟ ପରସ୍ପର ମଧ୍ୟରେ ସହଯୋଗ ରଖି କାମ କଲେ ଉଭୟ ରାଜ୍ୟ ଓ ଦେଶର ଅର୍ଥନୀତି ସମୃଦ୍ଧ ହେବ। ଏହି ଦୁଇଟି ନୂଆ ଖଣିରୁ ରାଜ୍ୟ ସରକାର ବାର୍ଷିକ ୪ ରୁ ୫ ହଜାର କୋଟି ଟଙ୍କା ରାଜସ୍ବ ଭାବରେ ପାଇବେ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଯୋଶୀ କରିଥିଲେ। ଏହାସହିତ ଲୁହାପଥର ବଜାରରେ ଦେଖାଦେଇଥିବା ଅଭାବ ଦୂର କରିବାରେ ମଧ୍ୟ ସହାୟକ ହେବ ବୋଲି କହିଥିଲେ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟର ସହଯୋଗ ଦେଶର ଅର୍ଥନୀତିରେ ସମୃଦ୍ଧିର ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ।

ଉଦ୍‌ଘାଟନ ଉତ୍ସବରେ ଉପସ୍ଥିତ ରାଜ୍ୟ ଖଣି, ଇସ୍ପାତ ଓ ପୂତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗୁଆଳି ଓ ଜିଲିଙ୍ଗ ଲାଙ୍ଗଲୋଟା ଖଣି ଦୁଇଟିରୁ ଉତ୍ପାଦନ ପାଇଁ କେନ୍ଦ୍ର ଓ ରାଜ୍ୟ ସମନ୍ବୟ ରଖି କାର୍ୟ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ୟ୍ୟକ୍ରମରେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ। ଖଣି ନିଗମର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ବାଗତ ଭାଷଣ ଦେଇଥିଲେ ଏବଂ ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାର ଏହି ଖଣି ଦୁଇଟିରୁ ବାର୍ଷିକ ୧୨ ବିଲିଅନ ଟନ୍‌ ଲୁହାପଥର ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଜିଲ୍‌ଙ୍ଗ ଲାଙ୍ଗଲୋଟା ୭୯.୧୨ ମିଲିଅନ ଟନ୍‌ ଲୁହାପଥର ଥିବାବେଳେ ଏଥିରୁ ବାର୍ଷିକ ୬.୨୮ ମିଲିଅନ ଟନ୍‌ ଉତ୍ପାଦନ ପାଇଁ ପରିବେଶ ମଞ୍ଜୁରୀ ମିଳିଛି। ସେହିପରି ୧୯୪.୯୪ ମିଲିଅନ ଟନ୍‌ ଲୁହାପଥର ଥିବା ଗୁଆଳି ଖଣିରୁ ବାର୍ଷିକ ୫.୭ ମିଲିଅନ ଟନ୍‌ ଲୁହାପଥର ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ମିଳିଛି। ଓଡିଶା ଖଣି ନିଗମ ଦ୍ରୁତ ଅଭିବୃଦ୍ଧି କରୁଥିବା ଦେଶର ଏକ ଖଣି କମ୍ପାନୀ। ଏହି ଦୁଇଟି ନୂଆ ଖଣି ପାଇବା ପରେ ଓଏମ୍‍ସିର ବାର୍ଷିକ ଉତ୍ପାଦନ ୨୦ ବିଲିଅନ ଟନ୍‌ରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories